Unknown

 

 

 

 

 

 

 

 

 

 

 

ହିଂସାର ବିଭୀଷିକା

ଶ୍ରୀ ଅଯୋଧ୍ୟା ନାଥ

 

 

 

 

 

 

 

 

 

 

ଆପଣାର ସମସ୍ତ ଲହୁ ଲୁହ ଢାଳି ଯେ ମୋତେ ମଣିଷ ରୂପେ ଧରାପୃଷ୍ଠରେ ବଞ୍ଚିବାର ପର୍ଯ୍ୟାପ୍ତ ଆଲୋକ ଦେଇଛି, ସେଇ ପରମ ପୂଜନୀୟା, ଭକ୍ତି ଭାଜନୀୟା ।

 

ବୋଉ ହାତରେ

 

 

 

 

 

 

 

 

 

ଉପନ୍ୟାସ ବର୍ଣ୍ଣିତ ସମସ୍ତ ଚରିତ୍ର ଓ କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ । କୌଣସି ପରିବେଶ କିମ୍ବା ବ୍ୟକ୍ତି ବିଶେଷଙ୍କର ପ୍ରତିଫଳନ ଏଥିରେ ରୂପାୟିତ ହୋଇନାହିଁ ।

 

ଲେଖକ

 

ଛନ୍ଦା ପେଦିନୀକୁ ହତ୍ୟା କରାଯାଇଛି !

 

ଓଡ଼ିଶାର ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ଛନ୍ଦା ପେଦିନୀକୁ କେହି ଜଣେ ଦୁର୍ବୃତ୍ତ ହତ୍ୟା କରିବାର ଆଜିକୁ ପ୍ରାୟ ଚାରିଦିନ ହୋଇଗଲାଣି ।

 

ସୁନ୍ଦରୀ, ଅନୁପମ ଲାବଣ୍ୟମୟୀ, ଲାସ୍ୟମୟୀ, ହାସ୍ୟମୟୀ, ବିଂଶତି ବର୍ଷୀୟା ଛନ୍ଦା ପେଦିନୀ, ଗତ ପାଞ୍ଚ ବର୍ଷ ହେଲା ଓଡ଼ିଶାର ଚଳଚ୍ଚିତ୍ର ଇତିହାସରେ ଯେ ନୂତନ ରେକର୍ଡ଼ ସୃଷ୍ଟି କରିଥିଲା, ସେ ଆଉ ଇହଜଗତରେ ନାହିଁ । ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପର ଅପୂରଣୀୟ କ୍ଷତି ଘଟାଇ ଆତତାୟୀର ଛୁରିକା କିମ୍ବା ପିସ୍ତଲର ଆଘାତରେ ସେ ଚିରଦିନ ପାଇଁ ଆଖିମୁଦି ଦେଇଛି ।

 

ଛନ୍ଦା ତିନୋଟି ଓଡ଼ିଆ ଚିତ୍ରରେ ଅଭିନୟ କରିବାପାଇଁ ଚୁକ୍ତିବଦ୍ଧ ହୋଇଥିଲା । ଗୋଟିଏ ଚିତ୍ରର ଆଉଟ୍‌ଡ଼ୋର ସୁଟିଂ ସରିଯାଇଥିଲା ଏବଂ ଇନ୍‌ଡ଼ୋର ସୁଟିଂ ଚାଲୁଥିଲାବେଳେ ତା’ର ଏ ଆକସ୍ମିକ ମୃତ୍ୟୁ ।

 

ଆଉ ଦୁଇଟି ଚିତ୍ରର ପ୍ରାଥମିକ କାର୍ଯ୍ୟ ଠିକ୍‌ ଆରମ୍ଭ ହେଲାବେଳେ ଚିତ୍ରଶିଳ୍ପୀ ଛନ୍ଦା ପେଦିନୀ ଓଡ଼ିଶା ଦେଶର ଶହ ଶହ ଚିତ୍ରାମୋଦୀ ଦର୍ଶକଙ୍କୁ ଗଭୀର ଦୁଃଖରେ ଅଭିଭୂତ କରି, ମର ସଂସାରରୁ ବିଦାୟ ନେଇ ଚାଲିଗଲା...

 

କିଏ ତାକୁ ହତ୍ୟାକଲା ? ତା’ର କୁସୁମକୋମଳ ଦେହରେ କିଏ ଛୁରିକାଘାତ କଲା ? ପିସ୍ତଲ ଚଳାଇଲା ? ଛନ୍ଦାର ଛନ୍ଦାୟିତ କଟୀମେଖଳା ଦେଖି ସେଇ ଦସ୍ୟୁ, ଆତତାୟୀର ଛୁରିକା କ’ଣ ଖସିପଡ଼ିଲା ନାହିଁ ? ହାତର ପିସ୍ତଲ କ’ଣ ଲକ୍ଷ୍ୟଭ୍ରଷ୍ଟ ହେଲା ନାହିଁ ?

 

ଛନ୍ଦାର ଗୌର ନିଟୋଳ ଲୀଳାୟିତ ତନୁ–ଲତା ! ଆଃ, କେଉଁ ପୁରୁଷ ପ୍ରାଣରେ ଆବେଗ ସୃଷ୍ଟି ନ କରେ ? କେଉଁ ପୁରୁଷର ହୃଦୟରେ ଆଲୋଡ଼ନ ସୃଷ୍ଟି ନ କରେ ? କେଉଁ ପୁରୁଷର ଅନ୍ତରରେ ରେଖାପାତ ନ କରେ ?

 

ଯେଉଁ ଆତତାୟୀ ତାକୁ ହତ୍ୟା କରିଛି, ସେ ମଣିଷ ନୁହେଁ । ମାନବିକତାର ଗନ୍ଧ ତା’ ଠାରେ ନାହିଁ । ଦୟା, ସ୍ନେହ, କରୁଣା, ଶ୍ରଦ୍ଧା ଓ ମମତା ତା’ ଅନ୍ତରରୁ ସମ୍ପୂର୍ଣ୍ଣଭାବରେ ବୋଧହୁଏ ଲୋପ ପାଇଯାଇଛି । ପୁରୁଷ ସମାଜରେ ସମ୍ଭବତଃ ସେ ଏକମାତ୍ର ବ୍ୟତିକ୍ରମ !

 

ଓଡ଼ିଶାର ଚିତ୍ରନିର୍ମାତା ଓ ପ୍ରଯୋଜକମାନଙ୍କର ଆଜି ଏକ ଶୋକସଭା ଅନୁଷ୍ଠିତ ହେଉଛି....

 

ମେହେନ୍ଦିପୁରର ‘ନବଜ୍ୟୋତି’ ହୋଟେଲରେ ଏଇ ଶୋକସଭା ଆହୂତ ହୋଇଛି ।

 

ଓଡ଼ିଶାର ସମସ୍ତ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ ଏ ବୈଠକରେ ଯୋଗଦାନ କରିଛନ୍ତି ।

 

ସଭାକକ୍ଷ ନୀରବ ଗାମ୍ଭୀର୍ଯ୍ୟରେ ଫାଟିପଡ଼ୁଛି । ଚିତ୍ରାଭିନେତା ଓ ପ୍ରଯୋଜକମାନଙ୍କର ସଂକ୍ଷିପ୍ତ ଓ ଶୋକୋଚ୍ଛ୍ୱାସ ଭରା ବକ୍ତୃତା ‘ନବଜ୍ୟୋତି’ ହୋଟେଲର ଗମ୍ଭୀର ବାତାବରଣକୁ ଆହୁରି ନୀରବ ଓ ଆହୁରି ଗମ୍ଭୀର କରି ଦେଇଛି ।

 

ଗତବର୍ଷ ସର୍ବଭାରତୀୟ ସ୍ତରରେ ଚଳଚ୍ଚିତ୍ର ଅଭିନୟରେ ନାରୀ ଅଭିନେତ୍ରୀ ରୂପେ ସେ ଶ୍ରେଷ୍ଠସ୍ଥାନ ଅଧିକାର କରି ରାଷ୍ଟ୍ରପତିଙ୍କଦ୍ୱାରା ଏକ ବିଶେଷ ଉତ୍ସବରେ ପୁରସ୍କୃତ ହୋଇଥିଲା । ଓଡ଼ିଶାର ଲୋକେ ଆଶା କରିଥିଲେ, ଓଡ଼ିଆ ଚଳଚ୍ଚିତ୍ରର କ୍ରମବର୍ଦ୍ଧିଷ୍ଣୁ ଯାତ୍ରାପଥରେ ଛନ୍ଦା ପେଦିନୀ ହେବ ଏକ ଦୃଢ଼ ସ୍ତମ୍ଭ । ତା’ର ଜୀବନ୍ତ ଅଭିନୟ ଏ ଦେଶର ଚଳଚ୍ଚିତ୍ରକୁ ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତବର୍ଷର ଯେ କୌଣସି ଉନ୍ନତ ଆଞ୍ଚଳିକ ଭାଷାର ଚିତ୍ର ସହିତ ସମକକ୍ଷ କରାଇପାରିବ ।

 

ମାତ୍ର ଓଡ଼ିଶା ଦେଶର ଲକ୍ଷ ଲକ୍ଷ ଦର୍ଶକଙ୍କ ସେ ଭାବନା ଓ କଳ୍ପନାର ମୀନାରକୁ ଧୂଳିସାତ୍‌ କରିଦେଇ ଛନ୍ଦା ମିଶିଯାଇଛି ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବରେ ମାଟିରେ ...

 

ଓଡ଼ିଆ ଚଳଚ୍ଚିତ୍ରର ଜନପ୍ରିୟ ଅଭିନେତା ସୁରିତ୍‌ କୁମାର ଛନ୍ଦାର ସ୍ୱର୍ଗତଃ ଆତ୍ମାର ସଦ୍‌ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜଣାଇ ଅତି ସଂକ୍ଷେପରେ ବକ୍ତୃତା ଦେବାକୁ ଏଇମାତ୍ର ଆରମ୍ଭ କରିଛି….

 

ମାତ୍ର ଏ କଣ ? ସେ କିଛି କହିପାରୁନି । ବୁକୁ ତଳର ଅବରୁଦ୍ଧ ଆବେଗ ତା’ର ଅସମ୍ଭାଳ ହୋଇଗଲା । ସେ କାନ୍ଦି ଉଠିଲା ଅତ୍ୟନ୍ତ କରୁଣ ଭାବରେ କଇଁ କଇଁ ହୋଇ । ଠିଆହୋଇ ବକ୍ତୃତା ଦେଉ ଦେଉ ସେ ବସିପଡ଼ିଲା ।

 

ଅନ୍ୟମାନେ କାନ୍ଦୁ ନଥିଲେ ମଧ୍ୟ କିପରି ସ୍ଥାଣୁ ଭଳି ଶୋକାଚ୍ଛନ୍ନ ହୋଇ ରହିଥିଲେ ।

 

ସୁରିତ୍‌ର ମନେପଡ଼ିଯାଉଛି ସବୁକଥା । ବିଗତ ତିନି ବର୍ଷ ହେଲା ଓଡ଼ିଆ ଚଳଚ୍ଚିତ୍ରର ‘ରୋମାଣ୍ଟିକ୍‌ କପଲ’ ରୂପେ ଦୁହେଁଯାକ ଅଭିନୟ କରୁଥିଲେ । ନାୟିକା ଭୂମିକାରେ ଛନ୍ଦା ଅଭିନୟ କରୁଥିଲେ, ସୁରିତ୍‌ ହେଉଥିଲା ନାୟକ–‘ହିରୋ’ । ତେଣୁ ଚିତ୍ର ପ୍ରଯୋଜକମାନେ ସୁରିତ୍‌ ଓ ଛନ୍ଦା ଉଭୟଙ୍କ ସହିତ ଚୁକ୍ତିବଦ୍ଧ ହେଉଥିଲେ । ଛନ୍ଦା କୌଣସି ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିବାକୁ ଡକରା ପାଇଲେ, ସୁରିତ୍‌କୁ ହିଁ ନାୟକ ଭୂମିକାରେ ଅଭିନୟ କରିବାକୁ ନିମନ୍ତ୍ରଣ ଜଣାଉଥିଲା । ଚିତ୍ରନିର୍ମାତା ଓ ପ୍ରଯୋଜକମାନଙ୍କ ଉପରେ ପ୍ରଭାବ ପକାଇ ସୁରିତ୍‌କୁ ‘ହିରୋ’ ଭୂମିକାରେ ଅବତୀର୍ଣ୍ଣ ହେବାକୁ ସେ ସୁଯୋଗ ଦେଉଥିଲା ।

 

ମୋଟ ଉପରେ ଛନ୍ଦାପାଇଁ ସୁରିତ୍‍ ହୋଇଛି ଓଡ଼ିଶାର ଆଜି ଜଣେ ଜନପ୍ରିୟ ଅଭିନେତା...

 

ସଭାକକ୍ଷ ଗୁରୁ ଗମ୍ଭୀରତାରେ ଫାଟିପଡ଼ୁଛି ।

 

ସୁରିତ୍‌ର ଭାବନା ଏବେ ବି ବନ୍ଦ ହୋଇନାହିଁ ।

 

ଗତ ସପ୍ତାହରେ ଦୁହେଁଯାକ ଯାଇଥିଲେ ବମ୍ବେ । ବମ୍ବେର ମେରୀନ୍‌ ଡ୍ରାଇଭରେ ବସି କେତେ ଆଳାପ ଆଲୋଚନା ହୋଇଥିଲେ ।

 

ଛନ୍ଦା କହିଥିଲା– ଆମର ଭଲ ପାଇବାର ଚୂଡ଼ାନ୍ତ ପରିଣତିକୁ ଆମେ ଅତି ଶୀଘ୍ର ବିବାହରେ ରୂପାନ୍ତରିତ କରିବା ନାହିଁ, ସୁରିତ୍‌ । ଓଡ଼ିଆ ଚଳଚ୍ଚିତ୍ରକୁ ସମଗ୍ର ଭାରତବର୍ଷରେ ସୁପ୍ରତିଷ୍ଠିତ କରିବା ପରେ ଆମେ ହୁଏତ ବିବାହ–ବନ୍ଧନରେ ଆବଦ୍ଧ ହେବା ।

 

ମେରୀନ୍‌ ଡ୍ରାଇଭ୍‌ର ସେ ମୌସୁମୀ ସନ୍ଧ୍ୟା...

 

ଦୁହେଁଯାକ ଗୋଟିଏ ସିମେଣ୍ଟ୍‌ ଚଉକି ଉପରେ ବସିଥିଲେ । ଅଶାନ୍ତ ସମୁଦ୍ରଆଡ଼ୁ ବହି ଆସୁଥିଲା ଶାନ୍ତ, ଶୀତଳ ସମୀରଣ ! ଓଡ଼ିଶା ଦେଶର ଦୁଇଟି ସ୍ୱପ୍ନ–ବିଭୋର ତରୁଣ ତରୁଣୀ, ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ, ସୁରିତ୍‌ ଓ ଛନ୍ଦା, ଉଦାର ଓ କଳାସ୍ନିଗ୍‌ଧ ମନ ନେଇ ଉପଭୋଗ କରୁଥିଲେ ଫାଲ୍‌ଗୁନର ସେଇ ରମଣୀୟ ମେରିନ୍‌ ଡ୍ରାଇଭ୍‌ ସନ୍ଧ୍ୟାକୁ ।

 

ସୁରିତ୍‌ର ମନେପଡ଼ିଯାଉଛି ସେଇସବୁ...

 

ହଠାତ୍‌ ସଭାକକ୍ଷ ଭିତରକୁ କାନ୍ଦି କାନ୍ଦି ପଶିଆସିଲେ ବ୍ରଜେନ୍ଦ୍ର ପେଦିନୀ, ଆଖିରୁ ଭାସିଯାଉଛି ଅଶ୍ରୁର ବନ୍ୟା...

 

ସୁରିତ୍‌କୁ ଅନେକ ଦିନରୁ ସେ ଚିହ୍ନିଛନ୍ତି । ଅନେକ ଦିନରୁ ତାକୁ ସ୍ନେହ ଓ ଶ୍ରଦ୍ଧା କରନ୍ତି । ସୁରିତ୍‌ର ସନ୍ଧାନରେ ବ୍ରଜେନ୍ଦ୍ର ପେଦିନୀ କାନ୍ଦି କାନ୍ଦି ଚାଲିଆସିଲେ ।

 

ସୁରିତ୍‌ ସଭାକକ୍ଷ ଛାଡ଼ି ଅତିଦ୍ରୁତ ପଦକ୍ଷେପ ନେଇ ଚାଲିଆସିଲା ବ୍ରଜେନ୍ଦ୍ରଙ୍କ ପାଖକୁ.....

 

ସୁରିତ୍‌ ତାଙ୍କୁ ଧରିପକାଇଲା । ସୁରିତ୍‌କୁ ଚିହ୍ନିପାରି ବ୍ରଜେନ୍ଦ୍ର କହିଲେ– ମୋ ସଂସାରର ଶେଷ ଦୀପ ନିଭିଗଲା ସୁରିତ୍‌, ଜୀବନର ସନ୍ଧ୍ୟାରେ ଆଉ କାହାକୁ ନେଇ ବଞ୍ଚିବି ? କାହାକୁ ଦେଖି ବାର୍ଦ୍ଧକ୍ୟର ସମସ୍ତ କ୍ଳାନ୍ତି ଭୁଲିଯିବି ?

 

ମୋ ଆଖି ଆଗରୁ ଗୋଟି ଗୋଟି ହୋଇ ସମସ୍ତେ ଚାଲିଗଲେ । ଗୋଟିଏ ମାତ୍ର ପୁଅ ବଞ୍ଚିଥିଲା ବହୁ କଷ୍ଟରେ । ମାତ୍ର ସେ ମଧ୍ୟ ଆଜିକୁ ତିନିବର୍ଷ ତଳେ ଏୟାର କ୍ରସିଂରେ ପବନରେ ମିଶିଗଲା । କେବଳ ଏଇ ଛନ୍ଦାକୁ ଦେଖି ଜୀବନର ସମସ୍ତ ଦୁଃଖ, ଶୋକ ପାଶୋରି ଦେଇଥିଲି, ସୁରିତ୍‌ । ମୁଁ ତାକୁ ଅନେକ ଥର ମନା କରିଛି ଅଭିନେତ୍ରୀ ଜୀବନ ଗ୍ରହଣ କରିବାକୁ, ମାତ୍ର ତା’ ଜିଦ୍‍ ସେ ଛାଡ଼ିଲା ନାହିଁ । ନିଜର ଯଶ ଓ ଗୌରବର ବିଜୟ ବୈଜୟନ୍ତୀ ଉଡ଼ାଇବା ପାଇଁ ସେ ବଦ୍ଧପରିକର ହୋଇ ଉଠିଲା ।

 

କେବଳ ସେ ଏକା ନୁହଁ ସୁରିତ୍‌ ଓଡ଼ିଶା ଦେଶର ବଡ଼ ବଡ଼ ଚିତ୍ରନିର୍ମାତା ଓ ପ୍ରଯୋଜକମାନେ, ଯେଉଁମାନେ ଆଜି ଏଇଠି ତା’ର ଶୋକସଭା ପାଳନ କରୁଛନ୍ତି, ସେମାନେ ମଧ୍ୟ ମୋତେ ଛାଡ଼ିଲେ ନାହିଁ । ସେମାନଙ୍କର ଅନୁରୋଧ, ଆବେଦନ ଓ ପ୍ରବର୍ତ୍ତନା ମୁଁ ଏଡ଼ାଇ ଦେଇପାରିଲି ନାହିଁ । ମୋ କନ୍ୟା ହୋଇ ଛନ୍ଦା ଯଦି ସାରା ଓଡ଼ିଶା ମୂଲକରେ ଚାଞ୍ଚଲ୍ୟ ସୃଷ୍ଟି କରିବ, ତା’ର ଅଭିନୟର ବାସ୍ତବବୋଧରେ ଶହ ଶହ ଓଡ଼ିଆ ଦର୍ଶକକୁ ମୁଗ୍‌ଧ କରିପାରିବ, ତା’ ହେଲେ ସେ ପଥରୁ ତାକୁ ଓହରି ଆସିବାପାଇଁ ମୁଁ ଜିଦ୍‌ କରିବି କିଆଁ ?

 

ମାତ୍ର ଆଜି ତା’ର ବିଷମୟ ପରିଣତି ମୁଁ ଉପଭୋଗ କରୁଛି, ବାପା ! ଚଳଚ୍ଚିତ୍ରର ଅଭିନେତ୍ରୀ ଜୀବନ ସେ ଯଦି ଗ୍ରହଣ କରିନେଇ ନ ଥାନ୍ତା, ତା ହେଲେ ଆଜି ତା’ର ଏଭଳି ଆକସ୍ମିକ ଜଘନ୍ୟ ହତ୍ୟାକାଣ୍ଡ କେବେହେଲେ ସମ୍ଭବ ହୋଇ ନ ଥାନ୍ତା, ବାପା !

 

ବ୍ରଜେନ୍ଦ୍ର ବିକଳ ହୋଇ ପୁଣି କାନ୍ଦିବାରେ ଲାଗିଲେ...

 

ସୁରିତ୍‌ କହିଲା– ଏ ସଂକ୍ରାନ୍ତରେ ପୋଲିସ୍‌କୁ ଓଡ଼ିଆ ଚିତ୍ରନିର୍ମାତା ସଂଘ ତରଫରୁ ଖବର ଦିଆସରିଛି ମଉସା ! ସେମାନେ ଯଥାବିଧି ଅନୁସନ୍ଧାନ ଚଳାଇଛନ୍ତି । ମାତ୍ର ଏପର୍ଯ୍ୟନ୍ତ ହତ୍ୟାକାରୀର କୌଣସି ସଂଧାନ ମିଳିନାହିଁ ।

 

ବ୍ରଜେନ୍ଦ୍ର ବାଷ୍ପାକୁଳ କଣ୍ଠରେ କହିଲେ– ତମେମାନେ ଯେତେ ଯାହା ଚେଷ୍ଟାକର ବାବା, ଛନ୍ଦା ମୋର ଆଉ ଫେରିବ ନାହିଁ । ତା ପିତାର ଶୁଷ୍କ, କରୁଣ, ଧୂସର ମରୁଭୂଇଁର ଜୀବନରେ ଛନ୍ଦା ଆସି ଆଉ ଶୀତଳ ଜଳ ସିଞ୍ଚିବ ନାହିଁ । ତାର ଏଇ ଗଦ୍ୟମୁଖୀ ଜୀବନର ପାଣ୍ଡୁଲିପି ଆଉ ପଦ୍ୟମୟ, ଲାଳିତ୍ୟପୂର୍ଣ୍ଣ ହୋଇଉଠିବ ନାହିଁ ।

 

ମୁଁ ଏକାକୀ ବାବା ବଞ୍ଚି ରହିଛି । ମୋ ଆଖି ଆଗରୁ ମୋ ପରିବାରର ଗୋଟି ଗୋଟି ହୋଇ ସମସ୍ତେ ଚାଲିଗଲେ । ସେ ସବୁ ବଜ୍ର ଚଡ଼କକୁ ମୁଁ ଧୈର୍ଯ୍ୟର ସହିତ ପିଠେଇ ନେଇଥିଲି । ମାତ୍ର ଛନ୍ଦାର ମୃତ୍ୟୁ....ମୋ ଛନ୍ଦାର ମୃତ୍ୟୁରେ ମୁଁ ନିଃସ୍ୱ, ଦରିଦ୍ର ଓ ଅସହାୟ ହୋଇଉଠିଛି ।

 

ସୁରିତ୍‌ ଆଉ ସାନ୍ତ୍ୱନା ଦେଇ ପାରିଲା ନାହିଁ । ଖାଲି ବୁଝାଇ ବୁଝାଇ, ତାଙ୍କୁ ଧରି ନେଇ କହିଲା– ଚାଲନ୍ତୁ, ଆପଣଙ୍କ ଘରେ ନେଇ ଛାଡ଼ି ଦେଇ ଆସିବି ମଉସା । ଆପଣ ଆଉ ପ୍ରଳାପ କରନ୍ତୁ ନାହିଁ–ବିଳାପ କରନ୍ତୁ ନାହିଁ । ଆପଣଙ୍କ ମନୋବେଦନା ମୁଁ ସବୁ ଜାଣିପାରୁଛି । ଚାଲନ୍ତୁ, ମୁଁ ଆପଣଙ୍କ ପରିବାରର ସବୁକଥା ଜାଣେ ମଉସା, ବର୍ତ୍ତମାନ ଆଉ କ’ଣ କରିବେ ?

 

ଏଇ ବୃଦ୍ଧ ବୟସରେ ଆପଣ ଯଦି ସବୁବେଳେ ଏଭଳି ବାୟା ପାଗଳାଙ୍କ ପରି ହେବେ.....

 

ବ୍ରଜେନ୍ଦ୍ର କହିଲେ– କହିପାରିବୁ ବାବା, କିଏ ମୋର ଛନ୍ଦାକୁ ହତ୍ୟା କଲା ? କିଏ ତାର ପ୍ରତିଦ୍ୱନ୍ଦୀ ହୋଇ ତା’ର ଜୀବନ–ଦୀପକୁ ଏପରି ନିଷ୍କରୁଣ ଭାବରେ ନିଭାଇ ଦେଲା ?

 

ସୁରିତ୍‌ ଏକ ଅବ୍ୟକ୍ତ ବେଦନାରେ କାନ୍ଦି ଉଠିଲେ, ଲୁହ ଛଳଛଳ ଆଖିରେ ବ୍ରଜେନ୍ଦ୍ରଙ୍କୁ କହିଲେ– ଆପଣ ଚାଲନ୍ତୁ ମଉସା, ଆପଣଙ୍କୁ ଘରେ ନେଇ ପହଞ୍ଚାଇ ଦେବି । ଆପଣ ଘରେ ପହଞ୍ଚି ନୀରବରେ ବିଶ୍ରାମ ନେବେ ।

 

ସୁରିତ୍‌ ବ୍ରଜେନ୍ଦ୍ରଙ୍କୁ ଧରି ଧରି ଗୋଟିଏ ରିକ୍‌ସାରେ ବସାଇଲା । ରିକ୍‌ସା ଚାଲିଲା ବ୍ରଜେନ୍ଦ୍ର ବାବୁଙ୍କ ଘରଆଡ଼େ ।

 

ସେଦିନର ଶୋକସଭା ସୁରିତ୍‌ର ଅନୁପସ୍ଥିତିରେ ହୁଏତ ସାଙ୍ଗ ହୋଇଥିବ ।

 

ସମରେଶ ବଳିଆର ସିଂହ । ଲାଲବାଗ ଥାନାର ଇନ୍‌ଚାର୍ଯ୍ୟ ଅଫିସର । ଗତକାଲି ନିଜେ ସଦଳବଳେ ଯାଇଥିଲେ ଚଣ୍ଡୀଖୋଲ ନିକଟସ୍ଥ ସେଇ ଆରଣ୍ୟକ ଡାକବଙ୍ଗ୍‌ଲୋକୁ, ଯେଉଁଠାରେ ପ୍ରଖ୍ୟାତ ଅଭିନେତ୍ରୀ ଛନ୍ଦା ପେଦିନୀର ହତ୍ୟାକାଣ୍ଡ ଘଟିଥିଲା ।

 

ଚଣ୍ଡୀଖୋଲ ସନ୍ନିକଟ ସେଇ ଡାକବଙ୍ଗଳାରେ ଏଭଳି ଏକ ଜଘନ୍ୟ, ଲୋମହର୍ଷଣକାରୀ ହତ୍ୟା ଘଟିବ ବୋଲି କେହି କେବେହେଲେ କଳ୍ପନା କରି ନ ଥିଲା । ଚଣ୍ଡୀଖୋଲ ପାହାଡ଼ର ପାଦଦେଶରେ ଗୈରିକବସ୍ତ୍ର ପରିହିତ ସନ୍ନ୍ୟାସୀର ତପସ୍ୟାମଗ୍ନ ଗୁମ୍ଫା । ତା’ର ସେଇ ଶାନ୍ତ, ନିସ୍ତବ୍‌ଧ ଓ ଭକ୍ତିଭାବାତ୍ମକ ସ୍ଥାନ ଦେଖିଲେ ଯେକୌଣସି ଦର୍ଶକର ହୃଦୟ ଏକ ପ୍ରଶାନ୍ତ ଆନନ୍ଦରେ ଭରି ଉଠେ ।

 

ମାତ୍ର–ଅଦୂରର ସେଇ ନବନିର୍ମିତ ଡାକବଙ୍ଗ୍‌ଲୋରେ, ଛନ୍ଦା ପେଦିନୀର ହତ୍ୟା, ଚଣ୍ଡୀଖୋଲର ସେଇ ଶାନ୍ତ ନୀରବ ଓ ନିସ୍ତବ୍‌ଧ ଗୁମ୍ଫା ସତେ ଯେପରି ଅଶାନ୍ତ ହୋଇଉଠିଛି । ଏକର ଏକର ଜମିରେ ଧାଡ଼ି ଧାଡ଼ି ହୋଇ ଅସଂଖ୍ୟ କଦଳୀ ଗଛ ପବନରେ ହଲି ହଲି ଆଜି ମଧ୍ୟ ସେହି ଅଶାନ୍ତ ବାତାବରଣକୁ ସତେ ଯେପରି ବଢ଼ାଇଦେଇଛି ।

 

ସମରେଶ ବଳିଆରସିଂହ ଫେରି ଆସିଛନ୍ତି ସେଠାରୁ ପ୍ରାଥମିକ ଅନୁସନ୍ଧାନ କାର୍ଯ୍ୟ ଶେଷ କରି ।

 

ଟାଉନ୍‌ ଥାନା ଇନିସ୍‌ପେକ୍ଟର ପଚାରିଲେ– ‘‘ମୋଟାମୋଟି ଅନୁସନ୍ଧାନ କରି ଆପଣ କି ଧାରଣା ପୋଷଣ କରି ଏଠାକୁ ଫେରି ଆସିଲେ ମିଃ ବଳିଆର ସିଂହ ?’’

 

ବଳିଆର ସିଂହ ନୂତନ ତଥ୍ୟରୁ ଆବିଷ୍କାର କଲାଭଳି କହିଲେ– ‘‘ମୃତ୍ୟୁର ଦୁଇଦିନ ପୂର୍ବରୁ ଛନ୍ଦା ପେଦିନୀ ସେହି ଡାକବଙ୍ଗ୍‌ଲୋକୁ ଯାଇଥିଲେ ସାର୍‌ । ତାଙ୍କ ସାଙ୍ଗରେ ମଧ୍ୟ ଅନ୍ୟତମ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁରାଧା ପୂଜାରୀ ଯାଇଥିଲେ ।’’

 

ତା’ର କାରଣ ହେଉଛି, ଖୁବ୍‌ ନିକଟ ଭବିଷ୍ୟତରେ ଦୁହେଁଯାକ ଏକ ଆଦିବାସୀ ପଟ୍ଟଭୂମିରେ ପ୍ରସ୍ତୁତ ନୂତନ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ । ସୁତରାଂ ଦୁହେଁଯାକ ଚଣ୍ଡୀଖୋଲ ଡାକବଙ୍ଗ୍‌ଲୋରେ ଗୋଟିଏ ସପ୍ତାହ ରହି, ଆଦିବାସୀ ପଲ୍ଲୀକୁ ପ୍ରତିଦିନ ଯାଇ, ସେମାନଙ୍କର ରୀତି ନୀତି, ପାରିବାରିକ ଜୀବନର ବିଚିତ୍ର ବ୍ୟବହାର ଓ ପଦ୍ଧତି ସହିତ ପରିଚିତ ହୋଇ ପୁଣି କଟକ ଫେରି ଆସିବାକୁ ।

 

ନିଜର ଅଭିନୟକୁ ବାସ୍ତବ, ଜୀବନ୍ତ ଓ ଅଧିକ ଉପଭୋଗ୍ୟ କରିବା ପାଇଁ ସେମାନେ ସେଠାରେ ରହୁଥିଲେ ।

 

କିନ୍ତୁ ଅନୁରାଧା ପୂଜାରୀ ମାତ୍ର ଗୋଟିଏ ଦିନ ରହିଲାପରେ, ସେଠାରୁ ଫେରିଆସିଥିଲା-। ଏକାକୀ ରହିଥିଲେ ଛନ୍ଦା ପେଦିନୀ....

 

ଅନୁରାଧା ପୂଜାରୀଙ୍କ ଅନୁପସ୍ଥିତିରେ ହଠାତ୍‌ ଏକ ନୀରବ ନିର୍ଜ୍ଜନ ନିଶୀଥରେ ଛନ୍ଦା ପେଦିନୀଙ୍କ ହତ୍ୟାକାଣ୍ଡ ବଡ଼ ରହସ୍ୟପୂର୍ଣ୍ଣ ବୋଧହେଉଛି । ଡାକବଙ୍ଗ୍‍ଲୋର ୱାଚର, ବାରଣ୍ଡାରେ ଗଭୀର ନିଦ୍ରାରେ ଅଭିଭୂତ ଥିଲାବେଳେ, ହଠାତ୍‌ ଛନ୍ଦା ପେଦିନୀଙ୍କ ମୃତ୍ୟୁକାଳୀନ ଚିତ୍କାରରେ, ତା’ର ନିଦ ଭାଜିଗଲା ।

 

ଘର ଭିତରକୁ ସେ ଯାଇ ଦେଖିଲାବେଳକୁ ଛନ୍ଦା ପେଦିନୀ ରକ୍ତାକ୍ତ ଅବସ୍ଥାରେ ମରି ଶୋଇଛନ୍ତି । ଅବଶ୍ୟ ୱାଚରକୁ ଗିରଫ କରାଯାଇଛି । କିନ୍ତୁ ମୃତ୍ୟୁ ସହିତ ତା’ର ଯେ କୌଣସି ସମ୍ପର୍କ ନାହିଁ, ତା’ ଷ୍ଟେଟମେଣ୍ଟରୁ ପରିଷ୍କାର ଜଣାଯାଉଛି ।

 

ସେ ତା’ ଜମାନବନ୍ଦୀରେ କହିଛି– ସେ ଦିନ ସନ୍ଧ୍ୟା ସାଢ଼େ ଛଅଟାବେଳକୁ ଛନ୍ଦା ପେଦିନୀ ନିକଟସ୍ଥ ଏକ ଆଦିବାସୀ ପଲ୍ଲୀରୁ ଫେରିଆସି ନିଜର ଖାଇବା ପଦାର୍ଥ ପ୍ରସ୍ତୁତ କରି ବହି ପଢ଼ିବାରେ ମନ ଢାଳି ଦେଇଥିଲେ । ରାତି ସାଢ଼େ ନଅଟା ପର୍ଯ୍ୟନ୍ତ ସେ ପଢ଼ାପଢ଼ି କାର୍ଯ୍ୟରେ ବ୍ୟସ୍ତ ଥିଲେ । ୱାଚର ସାଢ଼େ ନଅଟାରେ ଖାଇ ପିଇ ଆସି ବଙ୍ଗ୍‌ଲୋ ବାରଣ୍ଡାରେ ଶୋଇଥିଲା ।

 

ଛନ୍ଦା ପେଦିନୀ ରାତ୍ରିଭୋଜନ କେତେବେଳେ ଶେଷ କରିଥିଲେ, ତାହା ମଧ୍ୟ ସେ ଜାଣେନାହିଁ । ମାତ୍ର ରାତି ଆନୁମାନିକ ପ୍ରାୟ ଦୁଇଟାବେଳେ ବଙ୍ଗ୍‍ଲୋ ଭିତରୁ ସେ ଏକ କ୍ରମାଗତ କରୁଣ ଚିତ୍କାର ଶୁଣିବାକୁ ପାଇଥିଲା ।

 

ପ୍ରତିଦିନ ଘର ଭିତରୁ ଛନ୍ଦାଦେବୀ କବାଟ ବନ୍ଦ କରି ଶୁଅନ୍ତି ବୋଲି ସେ ସ୍ୱୀକାର କରିଛି-। ମାତ୍ର ସେ ଦିନ ଛନ୍ଦାଦେବୀଙ୍କର ସେଇ କରୁଣ ଆର୍ତ୍ତନାଦ ଶୁଣି ଘର ଭିତରକୁ ଗଲାବେଳେ ବଙ୍ଗ୍‍ଲୋର ସମ୍ମୁଖ ଦ୍ୱାର ପୂରାପୂରି ଖୋଲାଥିଲା ।

 

ପୋଲିସ୍‌ ଇନିସପେକ୍ଟର ପଚାରିଲେ– ମୋର ମନେ ହେଉଛି, ସେଇ ୱାଚରଟି ମୃତ୍ୟୁ ସହିତ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ । ସେ ନିଜେ ଯାଇ ହତ୍ୟା କରିନାହିଁ, ଏକଥା ଅବଶ୍ୟ ସତ୍ୟ; ମାତ୍ର ହତ୍ୟାକାଣ୍ଡ ପଛରେ ତାର ଯେ ନୀରବ ସମର୍ଥନ ରହିଛି, ଏ କଥାକୁ ଅସ୍ୱୀକାର କରିହେବ ନାହିଁ ।

 

ମିଃ ବଳିଆର ସିଂହ କହିଲେ– ସେଥିପାଇଁ ତ ତାକୁ ଗ୍ରେପ୍ତାର କରି ହାଜତ୍‌ରେ ରଖାଯାଇଛି, ସାର୍‍ ! ମାତ୍ର ବିଚାର କରିବାର କଥା, ଛନ୍ଦାଦେବୀଙ୍କ ଭଳି ଜଣେ ସୁବିଖ୍ୟାତ ଲାବଣ୍ୟମୟୀ, ସୁଶ୍ରୀ ଅଭିନେତ୍ରୀଙ୍କର ହତ୍ୟାକାଣ୍ଡ ଘଟାଇ ବିଚରା ୱାଚରର କି ସ୍ୱାର୍ଥ ସାଧିତ ହେବ-?

 

ଛନ୍ଦାଦେବୀଙ୍କ ଲୁଗାପଟା, ଚମଡ଼ା ସୁଟ୍‌କେଶ, ହାତରେ ପଟିଏ ସୁନା କାଚ, ବେକରେ ଗୋଟିଏ ହାର ଏବଂ ଡାହାଣ ହାତର ଏକ ଅଙ୍ଗୁରୀୟ ଏବେ ମଧ୍ୟ ସେଇମିତି ରହିଛି । ସେସବୁ ଅଳଙ୍କାରଗୁଡ଼ିକ ମୁଁ ଅବଶ୍ୟ ଜବତ୍‌ କରି ମୋ ସାଙ୍ଗରେ ଏଠାକୁ ନେଇ ଆସିଛି । ଗରିବ ୱାଚରର ଯଦି ଏଇସବୁ ଅଳଙ୍କାର ପ୍ରତି ଲୋଭ ହୋଇଥାନ୍ତା, ତାହେଲେ ସେ ହୁଏତ ଏଗୁଡ଼ିକ ଚୋରେଇ ନେଇ ପାରିଥାନ୍ତା । କାରଣ ଚଣ୍ଡୀଖୋଲର ସେଇ ନିର୍ଜ୍ଜନ ଡାକବଙ୍ଗଲୋରେ ୱାଚର ଯେଉଁ ମୁହୂର୍ତ୍ତରେ ଇଚ୍ଛା କରିଥାଆନ୍ତା, ସେଇ ମୁହୂର୍ତ୍ତରେ ଛନ୍ଦା ପେଦିନୀଙ୍କର କ୍ଷଣକର ଅନୁପସ୍ଥିତିରେ ହୁଏତ ଚୋରି କରି ପାରିଥାଆନ୍ତା । ଚୋରି କରିବା ପାଇଁ ତାର ଥିଲା ଯଥେଷ୍ଟ ଅବକାଶ ।

 

ମାତ୍ର ମୁଁ ସ୍ଥାନୀୟ ଲୋକଙ୍କଠାରୁ ଅନୁସନ୍ଧାନ କରି ବୁଝିଲି, ୱାଚର ବିଚରା ସେଭଳି ପ୍ରକୃତିର ଲୋକ ନୁହେଁ । ଗ୍ରାମପଞ୍ଚାୟତ, ସରପଞ୍ଚଙ୍କଠାରୁ ଆରମ୍ଭ କରି ସେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପଚାରି ବୁଝିଲି । ମାତ୍ର କେହିହେଲେ ତା’ବିରୁଦ୍ଧରେ ମତପ୍ରକାଶ କଲେ ନାହିଁ ବରଂ ସମସ୍ତେ ତାର ସାଧୁତା, ସଚ୍ଚୋଟପଣିଆ ଓ ନିର୍ବୋଧତାର ପ୍ରଶଂସା ମୋ ଆଗରେ ଗାଇଲେ-

 

ଗତ କାଲିଠାରୁ ଆଜି ସକାଳ ନଅଟା ପର୍ଯ୍ୟନ୍ତ ନାନା ଉପାୟରେ ତା’ଠାରୁ କଥା ଆଦାୟ କରିବି ବୋଲି ଚେଷ୍ଟା କରିଛି, ମାତ୍ର ତା’ଠାରୁ କୌଣସି ସନ୍ଧାନ ମିଳୁନାହିଁ । ପ୍ରଶ୍ନ ପଚାରିଲେ କେବଳ ସେ କାନ୍ଦୁଛି ।

 

ପୋଲିସ୍‌ ଇନିସ୍‌ପେକ୍ଟର କହିଲେ– ୟୁ ସୁଡ଼୍‍ ନଟ୍‌ ବି କାଇଣ୍ଡ ଟୁଆର୍ଡ଼ସ ଦି କଲ୍‌ପ୍ରିଟ୍‌ ମିଃ ବଳିଆର ସିଂହ । ତାର ସେହି ନିର୍ବୋଧତାର କରୁଣ କାନ୍ଦଣାରେ ତମେ ବିଶ୍ୱାସ ସ୍ଥାପନ କଲେ ଏଭଳି ଏକ ବିରାଟ ହତ୍ୟାକାଣ୍ଡର ରହସ୍ୟାବୃତ୍ତ ପରଦା ହୁଏତ ଅପସାରିତ ହୋଇପାରିବ ନାହିଁ । ଏଇ ହତ୍ୟାକାଣ୍ଡର ରହସ୍ୟ ଉଦ୍‌ଘାଟନ କରିବା ପାଇଁ ଆମର ପୋଲିସମାନଙ୍କୁ ଅଧିକ ସଜାଗ, ସତର୍କ ଓ ସକ୍ରିୟ ହେବାକୁ ପଡ଼ିବ ।

 

ଛନ୍ଦା ପେଦିନୀ ଓଡ଼ିଶାର ଜଣେ ଶୀର୍ଷସ୍ଥାନୀୟା ଅଭିନେତ୍ରୀ ବୋଲି କେବଳ ପୋଲିସ ସଂସ୍ଥା ନୁହେଁ, ସମଗ୍ର ରାଜ୍ୟରେ ଏକ ଚହଳ ଖେଳିଯାଇଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଘରୋଇ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏ ବିଷୟରେ ଅନୁସନ୍ଧାନ ଚଳାଇବା ପାଇଁ ତନାଘନା ଫୋନ କରୁଛନ୍ତି ଏସ୍‌. ପି.ଙ୍କ ପାଖକୁ । ତେଣୁ ଏ ବିଷୟରେ ତମକୁ ପୂରାପୂରି ସାହାଯ୍ୟ କରିବାକୁ ଗତକାଲି ଏସ୍‌. ପି. ମୋତେ ନିର୍ଦ୍ଦେଶ ଦେଇଛନ୍ତି ।

 

କିନ୍ତୁ ମିଃ ବଳିଆର ସିଂହ ! କହିପାରିବ କେଉଁ ଚଳଚ୍ଚିତ୍ର ଅନୁଷ୍ଠାନ ତରଫରୁ ସେହି ଆଦିବାସୀ କଥାବସ୍ତୁକୁ କେନ୍ଦ୍ର କରି ଓଡ଼ିଆ ଫିଲମ୍‌ ପ୍ରସ୍ତୁତ ହେବାକୁ ଯାଉଥିଲା ? ଛନ୍ଦାଦେବୀ ନିଜ ଖର୍ଚ୍ଚରେ ସେଠାକୁ ଯାଇ ଆଦିବାସୀ ଜୀବନ ସହିତ ପରିଚିତ ହେଉଥିଲେ, କି ଚଳଚ୍ଚିତ୍ର କମ୍ପାନୀ ସେହି ଖର୍ଚ୍ଚ ବହନ କରୁଥିଲେ ?

 

ମିଃ ବଳିଆର ସିଂ କହିଲେ– ସେ କଥାର ଅବଶ୍ୟ ମୁଁ ଖବର ରଖିନାହିଁ; କିନ୍ତୁ ଏ ପ୍ରଶ୍ନ ମତେ ମଧ୍ୟ ଆନ୍ଦୋଳିତ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ବ୍ରଜେନ୍ଦ୍ର ପେଦିନୀଙ୍କ ଘରକୁ ଯାଇ ଏବିଷୟରେ ଅନୁସନ୍ଧାନ କରିବାକୁ ମୁଁ ଭାବିଛି ।

 

ପୋଲିସ ଇନିସ୍‌ପେକ୍ଟର ସଂଗ୍ରାମ ପାଟଶାଣୀ କହିଲେ– ତାହେଲେ ମୁଁ ତମ ସାଙ୍ଗରେ ଯିବି ମିଃ ବଳିଆର ସିଂହ । ଆମେ ଦୁହେଁଯାକ ଗଲେ ଅନୁସନ୍ଧାନ କରିବାର ମାର୍ଗ ଅଧିକ ସୁସ୍ପଷ୍ଟ ହୋଇଯିବ । ଯଦି ଏଇ ପନ୍ଦର ଦିନ ମଧ୍ୟରେ ଆମେ ପ୍ରକୃତ ହତ୍ୟାକାରୀର ସଂଧାନ ନ ପାଉ, ତାହେଲେ ବାଧ୍ୟ ହୋଇ ଆମକୁ ଅନ୍ୟ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ ।

 

ମିଃ ବଳିଆର ସିଂହ କହିଲେ– ତାହେଲେ ଆଜି ସନ୍ଧ୍ୟାକୁ ଆସନ୍ତୁ ସାର ! ସାଙ୍ଗ ହୋଇ ଛନ୍ଦା ପେଦିନୀଙ୍କ ବାପାଙ୍କ ପାଖକୁ ଆମେ ଯିବା ।

 

ପୋଲିସ୍‌ ଇନସ୍‌ପେକ୍ଟର ପାଟଶାଣୀ ବିଦାୟ ନେଲେ ।

 

ସେଦିନ ସନ୍ଧ୍ୟା ହୋଇ ଯାଇଥିଲା....

 

ବୃଦ୍ଧ ବ୍ରଜେନ୍ଦ୍ରଙ୍କ ମାନସିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ଉଠୁଛି । ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନାହାନ୍ତି । ଯେତେ ଆଶ୍ୱାସନା ଦେଲେ ମଧ୍ୟ ସେ ଆଶ୍ୱସ୍ତ ହେଉ ନାହାନ୍ତି । କେବଳ ଛନ୍ଦା, ଛନ୍ଦା’ ବୋଲି ଦିନ ରାତି ପ୍ରଳାପ କରିବାରେ ଲାଗିଛନ୍ତି ।

 

ସୁରିତ୍‌ କୁମାର ଛନ୍ଦାର ମୃତ୍ୟୁପରେ ପ୍ରତିଦିନ ବ୍ରଜେନ୍ଦ୍ରଙ୍କ ପାଖକୁ ଆସି ତାଙ୍କୁ ସାନ୍ତ୍ୱନା ଦିଅନ୍ତି । ବକି ବକି, ପ୍ରଳାପ କରି କରି ସେ କ୍ଳାନ୍ତ ହୋଇ ବିଛଣା ଧରିଲେ ସେ ଫେରନ୍ତି ବ୍ରଜେନ୍ଦ୍ରଙ୍କ ଘରୁ ।

 

ଛନ୍ଦାର ମୃତ୍ୟୁପରେ ସୁରିତ୍‌ କୁମାରର ସମସ୍ତ ସ୍ୱପ୍ନ ଦିବସର ପ୍ରଚଣ୍ଡ ଖରାତେଜରେ ହଜି ଯାଇଛି । ତା’ କଳାକାର ଜୀବନର ଆଉ ଯେ ଉନ୍ନତି ଓ ବିକାଶ ସଂଘଟିତ ହେବ, ତାହା ଆଉ ସେ କଳ୍ପନା କରିପାରୁନାହିଁ ।

 

ଛନ୍ଦାର ମୃତ୍ୟୁପରେ ମନ ତାର ଏକ ଅକୁହା ବେଦନାରେ ଭାରାକ୍ରାନ୍ତ ହୋଇଉଠିଛି ।

 

ସନ୍ଧ୍ୟାର ଆଲୋକ ଜଳିଲାଣି । ଛନ୍ଦାର ଜୀବିତାବସ୍ଥାରେ ବ୍ରଜେନ୍ଦ୍ର ପେଦିନୀଙ୍କ ଘର ଆଗରେ ଧାଡ଼ି ଧାଡ଼ି ହୋଇ ମଟରକାର୍‌ ଯେପରି ଜମୁଥିଲା, ଆଜି ସେସବୁ ଶୁନ୍‌ଶାନ୍‌, ନୀରବ ନିସ୍ପନ୍ଦ । ସନ୍ଧ୍ୟା ହେଲେ ପେଦିନୀଙ୍କ ଘର ହୋଇ ଉଠୁଥିଲା କଳମୁଖରିତ–କଳ କୋଳାହଳର ଅସ୍ପଷ୍ଟ ଓ ଅବୋଧ୍ୟ ଗୁଞ୍ଜନରେ ନିକଟସ୍ଥ ବାତାବରଣ ହୋଇ ଉଠୁଥିଲା ଧ୍ୱନିମୁଖର–ସଜାଗ ।

 

ମାତ୍ର ଆଜି ! ଛନ୍ଦା ପେଦିନୀର ବାସଭବନ ଶୂନ୍ୟ ହାହାକାର ଓ ନୀରବ ନିର୍ଜ୍ଜନତାରେ ସତେ ଯେପରି ଆତଙ୍କ–ଗ୍ରସ୍ତ ହୋଇ ପଡ଼ିଛି । ନବନିର୍ମିତ ଦ୍ୱିତଳ ପ୍ରାସାଦର ଉପର ଭାଗରୁ ନିଅନ୍‌ ଆଲୁଅର ଝରଣା ଆଜି ଝରି ପଡ଼ୁନାହିଁ । ତଳ ଭାଗର ଏକ ମଳିନ ଅସ୍ପଷ୍ଟ ଆଲୋକ ଅତୀତର ଆଡ଼ମ୍ବରକୁ ପରିହାସ କରି ଅତି ମୁମୂର୍ଷୁ ଅବସ୍ଥାରେ ଜଳିବାରେ ଲାଗିଛି ।

 

ବ୍ରଜେନ୍ଦ୍ର କହିଲେ– ଛନ୍ଦା ମୋର ଆଉ କ’ଣ ଫେରିବ ନାହିଁ, ସୁରିତ୍‌ ? ଏଡ଼େ ହଠାତ୍ ସେ ଅଭିମାନ କରି ଚାଲିଯିବ ବୋଲି ମୁଁ କେବେହେଲେ ଭାବି ନଥିଲି, ବାବା । ମୁଁ ଯଦି ଏଭଳି ଏକ ଦୁର୍ଘଟଣାର ଆଭାସ ଟିକିଏ ପାଇଥାଆନ୍ତି, ତା’ ହେଲେ ମୋ ପ୍ରାଣର ଏକମାତ୍ର ଆଲୋକ ବର୍ତ୍ତିକା ଛନ୍ଦାକୁ କେବେହେଲେ ବାହାରକୁ ଯିବାକୁ ଅନୁମତି ଦେଇ ନଥାନ୍ତି ।

 

ବାବା ସୁରିତ୍‌ ! ମୁଁ ଆଉ ବେଶୀଦିନ ବଂଚି ପାରିବି ନାହିଁ । ମୋର ମୃତ୍ୟୁ ଆସି ଆଖରେ ହୋଇଗଲା । ମୋଭଳି ଏକ ହତଭାଗ୍ୟ ମଣିଷ ନିର୍ଲ୍ଲଜ୍ଜ ଭାବରେ ଆଉ କେତେଦିନ ବଞ୍ଚି ରହିବ କହିଲୁ ? ସଂସାରରେ ଯାହାର ‘ଆହା’ ବୋଲି ପଦେ କହିବାକୁ ସାହା ଭରସା ନାହିଁ, ସେ ଆଉ ବଞ୍ଚିବ କାହିଁକି ?

 

ମୁଁ ତ ଆଉ ଯୁବକ ନୁହେଁ ବାବା । କାଳ ଅସୁରୁଣୀ ବୁଢ଼ୀ ସହିତ ସଂଗ୍ରାମ କରିବାକୁ ମୋର ଆଉ ବଳବୟସ ନାହିଁ । ମନର ସାହସ ଥିଲା, ଦମ୍ଭ ଥିଲା, ଦୃଢ଼ତା ଥିଲା–ସମୟର ଅସୁରୁଣୀ ବୁଢ଼ୀର ମୁଁ ସମ୍ମୁଖୀନ ହୋଇପାରୁଥିଲି । ଆଉ କିଛିଦିନ ବଞ୍ଚିବାପାଇଁ ମନରେ ଆଶା ପୋଷଣ କରିଥିଲି । ମାତ୍ର ଆଉ କାହିଁକି ? କିଏ ମୋର ଅଛି ? କାହାପାଇଁ ଆଉ ଜୀବନକୁ ଲୋଭ କରିବି ?

 

ଛନ୍ଦାର ବିବାହ ଦେଖି ସାରିଥିଲେ, ମୁଁ ନିଶ୍ଚିନ୍ତରେ ଆଖି ମୁଦି ଥାଆନ୍ତି ବାବା । ତୋ ହାତରେ ଛନ୍ଦାକୁ ଟେକିଦେଇ ମୁଁ ମୋର ଗୁରୁଦାୟିତ୍ୱ ସଂପନ୍ନ କରିବି ବୋଲି ସ୍ଥିର କରିଥିଲି । ଏ ବିଷୟରେ ଛନ୍ଦାକୁ ଥରେ ମଧ୍ୟ ସୂଚନା ଦେଇଥିଲି ।

 

ତମ ଦୁହିଁଙ୍କର ମନୋଭାବ ମତେ ସବୁ ଜଣାଥିଲା ବାବା ! କିନ୍ତୁ ମୁଁ ହତଭାଗ୍ୟ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯାହା ଭାଗ୍ୟରେ ଦୁଃଖ, କଷ୍ଟ, ଯନ୍ତ୍ରଣା, ହାହାକାର ଓ ନିର୍ଯ୍ୟାତନା ଲେଖାଅଛି, ସେହି ଭାଗ୍ୟ–ଲିଖନକୁ ବଦଳାଇ ଦେବାର କାହାର ଶକ୍ତି ଅଛି ? ସାମର୍ଥ୍ୟ ଅଛି ?

 

ବ୍ରଜେନ୍ଦ୍ର କହିଚାଲିଛନ୍ତି.....

 

ଦାଣ୍ଡଦୁଆରେ କବାଟରେ ଧଡ଼ଧଡ଼ ଆୱାଜ ଶୁଣାଗଲା ।

 

ବ୍ରଜେନ୍ଦ୍ର କହିଲେ– ଦେଖ ବାବା, କିଏ ଆସିଛି । କାହିଁକି ଆସିଛି, ଥରେ ଯାଇ ବୁଝିଆସ-। ଛନ୍ଦାର ମୃତ୍ୟୁ ସମ୍ବାଦ ପ୍ରଚାରିତ ହୋଇସାରିଲା ପରେ, ଏ ଘରର ଦ୍ୱାର ତ କେହି ମାଡ଼ି ନାହାନ୍ତି-। ମାତ୍ର ଆଜି ପୁଣି କିଏ କାହିଁକି ଆସିଲା ଏଠାକୁ ? ଛନ୍ଦାର ମୃତ୍ୟୁ ପରେ ପରେ ଏ ଘରର ଶ୍ରୀ ମଳିନ ପଡ଼ିଯାଇଛି–ଏ ଘରର ଲକ୍ଷ୍ମୀ ବିଦାୟ ନେଇଛି । ଆଉ କାହିଁକି ଆସୁଛନ୍ତି ଅନ୍ୟମାନେ ?

 

ସୁରିତ୍‌, କବାଟ ଖୋଲିବାକୁ ଚାଲିଗଲା । କବାଟ ଖୋଲିଲା....

 

ସୁଶ୍ରୀ, ସୁଦର୍ଶନ ଚଳଚ୍ଚିତ୍ର ଅଭିନେତା ସୁରିତ୍‌ କୁମାରକୁ ଓଡ଼ିଶାରେ ନ ଚିହ୍ନେ କିଏ ? ହୁଏତ ଅନେକ ଲୋକଙ୍କ ସହିତ ତାଙ୍କର ବ୍ୟକ୍ତିଗତ ପରିଚୟ ନଥିବ; କିନ୍ତୁ ଅନ୍ୟମାନେ ବିଭିନ୍ନ ଓଡ଼ିଆ ଚିତ୍ରରେ ତାକୁ ବାରମ୍ବାର ଦେଖିବାର ସୁଯୋଗ ପାଇ ନିଶ୍ଚୟ ଚିହ୍ନିଛନ୍ତି ।

 

ମିଃ ବଳିଆର ସିଂହ ଓ ପାଟଶାଣୀ ହଠାତ୍‌ ସୁରିତ୍‌କୁ ଚିହ୍ନିପାରି କହିଲେ– ଆରେ ସୁରିତ୍‌ ବାବୁ ଯେ, ନମସ୍କାର–ନମସ୍କାର ।

 

ସୁରିତ୍‌ ପ୍ରତିନମସ୍କାର ଜଣାଇଲା । କିନ୍ତୁ ପୋଲିସ୍‌ ସବ୍‌ଇନିସ୍‌ପେକ୍ଟର ବଳିଆର ସିଂହ ଏବଂ ଇନିସ୍‌ପେକ୍ଟର ପାଟଶାଣୀଙ୍କୁ ହଠାତ୍‌ ଦେଖି ସେ ଯେପରି ଆତଙ୍କିତ ହୋଇ ଉଠିଲା ।

 

ପାଟଶାଣୀ କହିଲେ–ବ୍ରଜେନ୍ଦ୍ର ବାବୁ ଘରେ ଅଛନ୍ତି ?

 

—ହଁ ।

 

ଇନିସ୍‌ପେକ୍ଟର ପାଟଶାଣୀ କହିଲେ– ଆମେ ଆସିଛୁଁ ଏକ ଦରକାରୀ କାର୍ଯ୍ୟରେ ତାଙ୍କ ପାଖକୁ, ସୁରିତ୍‌ ବାବୁ । ଦୟାକରି ତାଙ୍କ ପାଖକୁ ଆମକୁ ନେଇଯିବେ କି ?

 

ସୁରିତ୍‌ କହିଲା– ହଁ, ଚାଲନ୍ତୁ । ସେ ତ ବର୍ତ୍ତମାନ ପ୍ରଳାପ କରିବାରେ ଲାଗିଛନ୍ତି । ଛନ୍ଦାର ମୃତ୍ୟୁ ପରେ ପରେ ତାଙ୍କର ମାନସିକ ଅବସ୍ଥା ଅତି ଖରାପ ଆଡ଼କୁ ଗତି କରୁଛି ।

 

ଇନସ୍‌ପେକ୍ଟର ସାହେବ– ଛନ୍ଦାର ମୃତ୍ୟୁ ସମ୍ପର୍କରେ କ’ଣ କିଛି ନିର୍ଦ୍ଦିଷ୍ଟ ଖବର ପାଇଲେ-?

 

ସୁରିତର ପ୍ରଶ୍ନ ଶୁଣି ବଳିଆର ସିଂହ କହିଲେ– ଆମେ ଏପର୍ଯ୍ୟନ୍ତ ଅନୁସନ୍ଧାନ ଚଳାଇଛୁ, ସୁରିତ ବାବୁ । କିନ୍ତୁ ସେଦିଗରେ ବିଶେଷ ଅଗ୍ରଗତି କରିନାହୁଁ । ଛନ୍ଦା ଦେବୀଙ୍କର ମୃତ୍ୟୁ ଏକ ପ୍ରହେଳିକା ସଦୃଶ ଆମକୁ ଲାଗୁଛି ।

 

ସୁରିତ୍‌ ଆଗେ ଆଗେ ଚାଲିଛନ୍ତି । ତାଙ୍କ ପଛେ ପଛେ ଚାଲିଛନ୍ତି ମିଃ ପାଟଶାଣୀ ଓ ବଳିଆର ସିଂହ....

 

ଚାଲୁ ଚାଲୁ ପାଟଶାଣୀଙ୍କ ମନ ସୁରିତ୍‌ ପ୍ରତି ସଂଦେହୀ ହୋଇଉଠିଲା । ସେ ପଚାରିଲେ– ଛନ୍ଦାଦେବୀଙ୍କ ଘରକୁ ଆପଣ ପ୍ରତିଦିନ କଣ ଆସନ୍ତି, ସୁରିତ୍‌ ବାବୁ ?

 

ସୁରିତ୍‌ କହିଲେ– ପ୍ରାୟ ଆସେ । ମାତ୍ର ଏବେ ଛନ୍ଦାଙ୍କର ମୃତ୍ୟୁ ପରେ ପରେ ଏଇ ଅସହାୟ ବୃଦ୍ଧଙ୍କୁ ସାନ୍ତ୍ୱନା ଦେବାପାଇଁ ପ୍ରତିଦିନ ମୁଁ ଆସୁଛି ।

 

ମିଃ ପାଟଶାଣୀ କହିଲେ– ଛନ୍ଦାଙ୍କ ମୃତ୍ୟୁରେ ଆପଣ ନିଶ୍ଚୟ ବ୍ୟଥିତ ହୋଇଥିବେ । ଆଚ୍ଛା, ଆପଣ କାହାକୁ ସନ୍ଦେହ କରୁଛନ୍ତି କହିପାରିବେ ସୁରିତ୍‌ ବାବୁ ?

 

ସୁରିତ୍‌ କହିଲେ– ଛନ୍ଦାଙ୍କର ହତ୍ୟା ସମ୍ପର୍କରେ ମୁଁ କିଛି ଠିକ୍‌ କରିପାରୁ ନାହିଁ ଇନିସ୍‌ପେକ୍ଟର ସାହେବ । ତେଣୁ ସନ୍ଦେହରେ କାହାରି ବିରୁଦ୍ଧରେ ଅଭିଯୋଗ ଆଗତ କରିବା ଆଦୌ ଶୋଭନୀୟ ହେବନାହିଁ ।

 

ଘର ପରେ ଘର ଅତିକ୍ରମ କରି ସେମାନେ ଆସି ବ୍ରଜେନ୍ଦ୍ରଙ୍କ ପାଖରେ ପହଞ୍ଚିଲେ ।

 

ସୁରିତ୍‌ ପରିଚୟ କରାଇଦେଲେ.....

 

ମିଃ ବଳିଆର ସିଂହ ଓ ପାଟଶାଣୀ ବ୍ରଜେନ୍ଦ୍ରଙ୍କ ସାମନାରେ ଦୁଇଟି ଚେୟାରରେ ବସିପଡ଼ିଲେ ।

 

ମିଃ ପାଟଶାଣୀ କହିଲେ– ଆପଣଙ୍କ ଜୀବନର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ କେତେ ସମୟ ପାଇଁ ଆପଣଙ୍କୁ ଆମେ କେତୋଟି ପ୍ରଶ୍ନ ପଚାରିବାକୁ ଆସିଛୁ, ବ୍ରଜେନ୍ଦ୍ର ବାବୁ ! ଛନ୍ଦା ହତ୍ୟା ସମ୍ପର୍କରେ ସେ କେତୋଟି ଉତ୍ତର ଆମକୁ ହୁଏତ ଯଥେଷ୍ଟ ସାହାଯ୍ୟ କରିବ; ମାତ୍ର ସେ ପ୍ରଶ୍ନଗୁଡ଼ିକ ଆପଣଙ୍କୁ ଯଦି ଆଘାତ ଦିଏ, ଅସ୍ୱାଭାବିକ ବୋଧହୁଏ, ଆମକୁ କ୍ଷମା କରିବେ ।

 

ବ୍ରଜେନ୍ଦ୍ର କହିଲେ– ଯେତେ ଯାହା କଲେ ମଧ୍ୟ ମୋ ଛନ୍ଦାକୁ ଜୀବିତାବସ୍ଥାରେ ମୋ ପାଖରେ ଆଣି ଆପଣ ପହଞ୍ଚାଇ ଦେଇ ପାରିବେ ନାହିଁ । ଛନ୍ଦା ଆଉ ଫେରିବନି ଇନସ୍‌ପେକ୍ଟର ସାହେବ । କେବଳ ସରକାରୀ କର୍ତ୍ତବ୍ୟର ଆହ୍ୱାନରେ ଆପଣଙ୍କୁ ଅଯଥା କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି ।

 

ମିଃ ବଳିଆର ସିଂହ କହିଲେ– ଆପଣ ଏ ଦିଗରେ ଆମ୍ଭମାନଙ୍କୁ ସାହାଯ୍ୟ ନ କଲେ ଏଭଳି ଏକ ମୃତ୍ୟୁରହସ୍ୟ ଉଦ୍‌ଘାଟିତ ହୋଇପାରିବ ନାହିଁ । କେବଳ ଆପଣଙ୍କ କନ୍ୟା ଛନ୍ଦା ଦେବୀ ନୁହଁନ୍ତି, ଏହାଦ୍ୱାରା ଏ ଦେଶର ଅନେକ ଯୁବତୀ, ବିବାହିତା ବଧୂମାନଙ୍କର ହତ୍ୟାକାଣ୍ଡ ସମ୍ପର୍କରେ ସମସ୍ତ କାରଣ ବୁଝାପଡ଼ିବ । ଯେଉଁମାନେ ସମାଜ ଆଖିରେ ଧୂଳିଦେଇ ଲୁଚି ଲୁଚି ଏଭଳି ଅମାନୁଷିକ କାର୍ଯ୍ୟ ସମ୍ପାଦନ କରୁଛନ୍ତି, ସେମାନଙ୍କୁ ଆଲୋକକୁ ଆଣିବା କେବଳ ଆମମାନଙ୍କର ଦାୟିତ୍ୱ ନୁହେଁ ବ୍ରଜେନ୍ଦ୍ର ବାବୁ–ଆପଣମାନଙ୍କ ପରି ଏ ଦେଶର ନାଗରିକମାନେ ଆମ୍ଭମାନଙ୍କ ସହିତ ସହଯୋଗ କଲେ, ଅଚିରେ ହତ୍ୟାକାରୀ ଧରାପଡ଼ିଯିବ ।

 

ବ୍ରଜେନ୍ଦ୍ର ବାବୁ ଅଶ୍ୱସ୍ତିସୂଚକ ଏକ ନିଃଶ୍ୱାସ ମାରି କହିଲେ– ତେବେ କ’ଣ ପଚାରିବାର ଅଛି, ପଚାରନ୍ତୁ । ମାତ୍ର ଅଧଘଣ୍ଟାକ ଭିତରେ ଆପଣମାନଙ୍କର ବକ୍ତବ୍ୟ ଶେଷ କରିବାପାଇଁ ମୁଁ ଅନୁରୋଧ କରୁଛି ।

 

ମିଃ ପାଟଶାଣୀ କହିଲେ– ନିଶ୍ଚୟ, ନିଶ୍ଚୟ....

 

ମିଃ ବଳିଆର ସିଂହ ସୁରିତକୁ ଅନାଇଁ କହିଲେ– ଆପଣ ଯଦି ଦୟାକରି ଅନ୍ୟତ୍ର ଚାଲିଯାଆନ୍ତେ ସୁରିତ୍‌ ବାବୁ, ତାହେଲେ ବ୍ରଜେନ୍ଦ୍ର ବାବୁଙ୍କୁ କେତୋଟି ପ୍ରଶ୍ନ ପଚାରିବାରେ ଆମର କୌଣସି ଅସୁବିଧା ରହନ୍ତା ନାହିଁ–ଦିଜ୍‌ ଆର୍‌ ଅଲ୍‌ କନ୍‌ଫିଡ଼େନ୍‌ସିଆଲ ସୁରିତ୍‌ ବାବୁ, ପ୍ଲିଜ୍‌ ଡୁ ନଟ୍‌ ମାଇଣ୍ଡ ଏନି ଥିଂ.....’’

 

ବ୍ରଜେନ୍ଦ୍ର କହିଲେ– ସୁରିତ୍‌ ମୋର ନିଜ ଲୋକ ଇନିସ୍‌ପେକ୍ଟର ବାବୁ । ସେ ଏଠାରେ ଉପସ୍ଥିତ ରହିଲେ ମଧ୍ୟ କୌଣସି ଅସୁବିଧା ନାହିଁ ।

 

ସୁରିତ୍‌ କହିଲା– ନା ମଉସା, ସେମାନଙ୍କର ସୁବିଧା ଅନୁଯାୟୀ ଆପଣଙ୍କ ଷ୍ଟେଟ୍‌ମେଣ୍ଟ୍‌ ନେଲେ ଖୁବ୍‌ ଭଲ ହେବ । ମୁଁ ଯାଉଛି ଅନ୍ୟ ଘରକୁ ।

 

ସୁରିତ୍‌ ଚାଲିଆସିଲା ସେ ଘରୁ....

 

ମିଃ ପାଟଶାଣୀ ପଚାରିଲେ– ଆଚ୍ଛା କହିପାରିବେ ବ୍ରଜେନ୍ଦ୍ର ବାବୁ, ଯେଉଁଦିନ ଆପଣଙ୍କର କନ୍ୟା ଛନ୍ଦାଦେବୀ ଚଣ୍ଡୀଖୋଲ ଅଭିମୁଖେ ଯାତ୍ରାକଲେ, ସେଦିନ ତାଙ୍କ ସାଙ୍ଗରେ ଆଉ କିଏ ସହଯାତ୍ରିଣୀ ହୋଇଥିଲେ ?

 

ବ୍ରଜେନ୍ଦ୍ର ବାବୁ କହିଲେ– ଛନ୍ଦା ସହିତ ଅନୁରାଧା ପୂଜାରୀ ଯାଇଥିଲା ।

 

ଅନୁରାଧା ପୂଜାରୀ ସେଠାରୁ କେବେ ଫେରିଲେ ଆପଣ ସଠିକ୍‌ କହିପାରିବେ ?

 

—ନାଁ ।

 

—ଆଚ୍ଛା, ଅନୁରାଧା ପୂଜାରୀ ଆପଣଙ୍କ ଘରକୁ କେବେ କେବେ ଆସନ୍ତି କି ?

 

—ହଁ, ମଝିରେ ମଝିରେ ଆସି ଛନ୍ଦା ସହିତ ନାନା ଆଳାପ ଆଲୋଚନାରେ ବ୍ୟସ୍ତ ରହି ପଳାଇଯାଏ ?

ହଠାତ୍‌ ମିଃ ବଳିଆର ସିଂହ କହିଲେ– ଆଚ୍ଛା, କହି ପାରିବେ ବ୍ରଜେନ୍ଦ୍ର ବାବୁ, ଅନୁରାଧା ପୂଜାରୀଙ୍କ ସହିତ ଛନ୍ଦା ଦେବୀଙ୍କ ସମ୍ପର୍କ କେତେବର୍ଷ ହେଲା ପ୍ରତିଷ୍ଠିତ ହୋଇଛି ?

ବ୍ରଜେନ୍ଦ୍ର କହିଲେ– ସମ୍ଭବତଃ ଛନ୍ଦା ଯେଉଁଦିନ ଠାରୁ ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ରୂପେ ଅଭିନୟ କରିବାର ସୁଯୋଗ ପାଇଛି ।

—ଆଚ୍ଛା, ସେମାନଙ୍କ ଭିତରେ ଆନ୍ତରିକତା ଥିଲାବୋଲି ଆପଣ କ’ଣ କିଛି ଜାଣନ୍ତି ?

—କ୍ଷମା କରିବେ । ସେମାନଙ୍କ ଭିତରେ ଆନ୍ତରିକତା ଥିଲା କି ନାହିଁ ମୁଁ କହିପାରିବିନି-। ମାତ୍ର ଏତିକି ଜାଣେ, ସେମାନେ ପରସ୍ପରକୁ ଭେଟିବାପାଇଁ ଅତିରିକ୍ତ ଆବେଗ ଓ ବ୍ୟାକୁଳତା ପ୍ରକାଶ କରନ୍ତି ।

ମିଃ ପାଟଶାଣୀ କହିଲେ– ଆଚ୍ଛା, ପ୍ଳିଜ୍‌ ଡ଼ୁ ନଟ୍‌ ଥିଙ୍କ୍‌ ଅଦରଓ୍ୱାଇଜ୍‌–ଅନୁରାଧା ଓ ଛନ୍ଦାଙ୍କ ଭିତରୁ ସୁନ୍ଦରୀ କିଏ ବେଶୀ ।

ବ୍ରଜେନ୍ଦ୍ର ବାବୁ ଅସ୍ଥିର ଆବେଗରେ ବିରକ୍ତ ହୋଇ ଉଠିଲେ ଏସବୁ ପ୍ରଶ୍ନବାଣରେ ସେ ଯେମିତି ଜର୍ଜରିତ ହୋଇ ଉଠୁଛନ୍ତି । ଏଇ ସବୁ ଅପ୍ରାସଙ୍ଗିକ ପ୍ରଶ୍ନ ଶୁଣିବାକୁ ତାଙ୍କର ଯେପରି ଧୈର୍ଯ୍ୟ ନାହିଁ । ସେ ବିରକ୍ତିସୂଚକ ଭାଷାରେ କହିଲେ– ଏ ସବୁ ସିଲି ପ୍ରଶ୍ନ ପଚାରି ମତେ ଆଉ ଆଘାତ ଦିଅନ୍ତୁନି ଇନ୍‌ସ୍‌ପେକ୍ଟର ବାବୁ ! ଛନ୍ଦାର ମୃତ୍ୟୁ ପରେ ଆପଣମାନଙ୍କର ଏଇ ସବୁ ପ୍ରଶ୍ନର ଆବଶ୍ୟକତା ଅଛି ବୋଲି ମୁଁ ମନେକରୁନାହିଁ । ପ୍ରକୃତ ହତ୍ୟାକାରୀ କିଏ ବରଂ ନ ଜଣା ପଡ଼ୁ, ମତେ କିନ୍ତୁ ଏଭଳି ପ୍ରଶ୍ନ ନ କରିବାକୁ ଆପଣମାନଙ୍କୁ ଅନୁରୋଧ କରୁଛି ।

 

ମିଃ ପାଟଶାଣୀ କହିଲେ– କ୍ଷମା କରିବେ ବ୍ରଜେନ୍ଦ୍ର ବାବୁ, ଜାଣି ଜାଣି ଆପଣଙ୍କୁ ଆଘାତ ଆମେ ଦେଉନାହୁଁ । କିନ୍ତୁ ସତ୍ୟଘଟଣାକୁ ଆଲୋକକୁ ଆଣିବାପାଇଁ ବେଳେ ବେଳେ ଅସୌଜନ୍ୟପୂର୍ଣ୍ଣ କଥାବାର୍ତ୍ତା କରିବାକୁ ଆମେ ବାଧ୍ୟ ହେଉ । ଆଚ୍ଛା, ଲେଟ୍‌ ଅସ୍‌ କମ୍‌ ଟୁ ଦି ପଏଣ୍ଟ–

 

—କିଏ ଅପେକ୍ଷାକୃତ ସୁନ୍ଦରୀ କହନ୍ତୁ ?

 

ବ୍ରଜେନ୍ଦ୍ର ଉତ୍ତେଜିତ କଣ୍ଠରେ କହିଲେ ମୋର ଯେତେଦୂର ମନେହୁଏ ଛନ୍ଦା ।

 

ମିଃ ବଳିଆର ସିଂହ କହିଲେ– ଅନୁରାଧା ଯେତେବେଳେ ନିଜର କାର୍ଯ୍ୟୋପଲକ୍ଷେ କଟକ ଫେରି ଆସିଥିଲେ, ସେତେବେଳେ ଆପଣଙ୍କ କନ୍ୟା ତାଙ୍କ ହାତରେ କଣ କୌଣସି ସଂବାଦ ଦେଇ ନ ଥିଲେ ?

 

ବ୍ରଜେନ୍ଦ୍ର କହିଲେ– ଅନୁରାଧା ମୋ ପାଖକୁ ଆଦୌ ଆସିନାହିଁ ।

 

ମିଃ ପାଟଶାଣୀ କହିଲେ– ଏଇ ଯେଉଁ ସୁରିତ୍‌ ବାବୁ ଆପଣଙ୍କ ପାଖକୁ ପ୍ରତିଦିନ ଆସୁଛନ୍ତି, ତାଙ୍କ ସହିତ ଛନ୍ଦାଦେବୀଙ୍କର କି ସମ୍ପର୍କ ଥିଲା ?

 

ବ୍ରଜେନ୍ଦ୍ର ଆଘାତପ୍ରାପ୍ତ କଣ୍ଠରେ କହିଲେ– ଦିଜ୍‌ ଆର ପିଓର୍‌ଲି ପରସନାଲ୍‌ ମ୍ୟାଟର ମିଃ ପାଟଶାଣୀ । ଏଭଳି ଅବାଞ୍ଛନୀୟ ପ୍ରଶ୍ନ ନ ପଚାରିବାକୁ ମୁଁ ଆପଣଙ୍କୁ ନିବେଦନ କରୁଛି ।

 

ମିଃ ପାଟଶାଣୀ କହିଲେ– ଏଇଭଳି ନାନା ଅବାଞ୍ଛନୀୟ ପ୍ରଶ୍ନ ଭିତରୁ ଆମେ ବହୁ ବାଞ୍ଛନୀୟ, ଇପ୍‌ସିତ ଉତ୍ତର ପାଇଥାଉଁ ମିଃ ପେଦିନୀ । ଆମ ପ୍ରଶ୍ନର ଯଥାଯଥ ଉତ୍ତର ଦେଇଦେଲେ ଖୁବ୍‌ଶୀଘ୍ର ଆପଣଙ୍କ ପାଖରୁ ଆମେ ବିଦାୟ ନେଇ ଚାଲିଯିବୁ । ଇଏସ୍‌, କହନ୍ତୁ–

 

ବ୍ରଜେନ୍ଦ୍ର ବାବୁ ବାଧ୍ୟ ହୋଇ କହିଲେ– ସୁରିତ୍‌ ସହିତ ଛନ୍ଦାର ବଂଧୁତା ଥିଲା । ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଉଥିଲେ.....

 

ମିଃ ପାଟଶାଣୀ କହିଲେ– ସୁରିତ୍‌ ବାବୁ ଓ ଛନ୍ଦାଦେବୀଙ୍କର ବନ୍ଧୁତ୍ୱ କେତେବର୍ଷର ?

 

ବ୍ରଜେନ୍ଦ୍ର କହିଲେ– ପ୍ରାୟ ଚାରି ପାଞ୍ଚ ବର୍ଷ ତଳର ।

 

—ଚଳଚ୍ଚିତ୍ର ପ୍ରତିଷ୍ଠାନ ତରଫରୁ ଯେତେବେଳେ ଛନ୍ଦାଦେବୀଙ୍କୁ ଅଭିନୟ କରିବାକୁ ଡକରା ଆସେ, ସେତେବେଳେ ଛନ୍ଦା ଦେବୀ କୁଆଡ଼େ କହନ୍ତି, ସୁରିତ୍‌ଙ୍କୁ ମୁଖ୍ୟ ଭୂମିକାରେ ଟେକ୍‌ ଅପ୍‌ ନକଲେ ସେ ଅଭିନୟ କରିପାରିବେ ନାହିଁ । ଏ ଜନରବ କ’ଣ ସତ୍ୟ ?

 

—ମୁଁ କହିପାରିବି ନାହିଁ ।

 

ମିଃ ବଳିଆର ସିଂହ କହିଲେ– ଛନ୍ଦାଦେବୀ ଯେଉଁ ଚିତ୍ରରେ ଏକ ଆଦିବାସୀ କନ୍ୟା ରୂପେ ଅଭିନୟ କରିବେ ବୋଲି ଚୁକ୍ତିବଦ୍ଧ ହୋଇଥିଲେ, ତା’ର ପ୍ରଯୋଜକ ଓ ଫାର୍ମ ନାମ କହିପାରିବେ କି ?

 

—ନାଁ ।

 

—ଆପଣ ଛନ୍ଦା ଦେବୀଙ୍କର ପିତା, ଏସବୁ ବିଷୟରେ ଆପଣଙ୍କର କଣ ଖବର ରଖିବା ଉଚିତ୍‌ ନୁହେଁ ?

 

—ଏ ସବୁ ଖବରାଖବର ରଖିବାକୁ ମୁଁ ଉଚିତ୍‌ ମନେ କରେନାହିଁ ।

 

—ଯେଉଁ ନାରୀମାନେ ଚଳଚ୍ଚିତ୍ରରେ ଅଭିନୟ କରନ୍ତି, ସେମାନଙ୍କ ବିଷୟରେ ଆପଣଙ୍କର ଧାରଣା କିପରି ?

 

—ସେ ଧାରଣା ସମ୍ପର୍କରେ ଆପଣମାନଙ୍କୁ ଜଣାଇବାକୁ ମୁଁ ଉଚିତ୍‌ ମନେ କରେନାହିଁ ।

 

—ଆଚ୍ଛା ବ୍ରଜେନ୍ଦ୍ର ବାବୁ, ଆପଣ ଜାଣି ଜାଣି ଆପଣଙ୍କ କନ୍ୟା ଛନ୍ଦାକୁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ କିପରି ଛାଡ଼ିଦେଲେ ?

 

ବ୍ରଜେନ୍ଦ୍ର ଉତ୍ତେଜିତ କଣ୍ଠରେ କହିଲେ– ଦିଜ୍‌ ଆର୍‌ ଅଲ୍‌ ଭ୍ୟାଗ କୋଶ୍ଚେନସ୍‌ ମିଃ ବଳିଆର ସିଂହ । ମୋ ଝିଅକୁ ସିନେମାରେ ଅଭିନୟ କରିବାକୁ କାହିଁକି ଛାଡ଼ିଲି, ସେ ଏକ ବ୍ୟକ୍ତିଗତ ପ୍ରଶ୍ନ....

 

ମିଃ ବଳିଆର ସିଂହ ଓ ପାଟଶାଣୀ ନୀରବ ରହିଲେ...

 

ବ୍ରଜେନ୍ଦ୍ର କିଛିକାଳ ନୀରବ ହୋଇ ବସିପଡ଼ିଲେ ।

 

ମିଃ ବଳିଆର ସିଂ କହିଲେ– ଆଚ୍ଛା ବ୍ରଜେନ୍ଦ୍ର ବାବୁ–ପ୍ଳିଜ୍‌ ଏକ୍‌ସକ୍ୟୁଜ୍‌ ଅସ୍‌ କହିପାରିବେ କି ଯେଉଁଦିନ ଆପଣଙ୍କ କନ୍ୟା ଚଣ୍ଡୀଖୋଲ ଅଭିମୁଖେ ଅନୁରାଧାଙ୍କ ସହିତ ଯାତ୍ରାକଲେ, ସେଦିନ ଆପଣଙ୍କୁ କେବେ ଫେରିବେ ବୋଲି କିଛି କହିଥିଲେ କି ?

 

ବ୍ରଜେନ୍ଦ୍ର ବାବୁ ଗମ୍ଭୀରତା ଭାଙ୍ଗି କହିଲେ– ସାତ ଆଠଦିନ ପରେ ଫେରିବ ବୋଲି ମୋତେ ସେ କହି ଯାଇଥିଲେ ।

 

ଏଇ ଦେଖନ୍ତୁ ବ୍ରଜେନ୍ଦ୍ର ବାବୁ, ଆପଣଙ୍କ ଛନ୍ଦା ଯେଉଁ ସବୁ ଜିନିଷପତ୍ର ଓ ଅଳଙ୍କାର ସାଙ୍ଗରେ ନେଇ ଚଣ୍ଡୀଖୋଲ ଯାଇଥିଲେ, ସେସବୁ ଅଳଙ୍କାରଗୁଡ଼ିକ ବର୍ତ୍ତମାନ ଥାନାରେ ରଖାଯାଇଛି । ସେଇ ତାଲିକାଗୁଡ଼ିକ ଆପଣ ଥରେ ଦେଖିନେଲେ ଜଣାପଡ଼ିବ, ଆଉ କେଉଁ ଜିନିଷ ଉଦ୍ଧାର କରାଯାଇ ପରିଲା ନାହିଁ ।

 

ବ୍ରଜେନ୍ଦ୍ର ବାବୁ କହିଲେ– ସେସବୁ ଜିନିଷର ତାଲିକା ଦେଖିବାକୁ ମୋର ଧୈର୍ଯ୍ୟ ନାହିଁ ମିଃ ବଳିଆର ସିଂହ । ଛନ୍ଦା ମୋର ଯେତେବେଳେ ଚିରିଦିନ ପାଇଁ ଅଭିମାନ କରି ମୋ ପାଖରୁ ଚାଲିଯାଇଛି, ସେତେବେଳେ ଏସବୁ ଜିନିଷର ଆକର୍ଷଣ ମୋ ପକ୍ଷେ ଏକାନ୍ତ ନଗଣ୍ୟ, ହେୟ ।

 

ମିଃ ବଳିଆର ସିଂହ କହିଲେ– ତଥାପି ଛନ୍ଦାର ନିଜ ଲୋକ ହିସାବରେ ଏଗୁଡ଼ିକୁ ଥରେ ଭେରିଫାଇ କରିନେବା ଆପଣଙ୍କର କର୍ତ୍ତବ୍ୟ ।

 

—ନାଁ, ସେସବୁ ଭେରିଫାଇ କରିବାକୁ ମୋର ଆଗ୍ରହ ନାହିଁ । ମତେ ସେଥିପାଇଁ କ୍ଷମା କରିବେ ।

 

ମିଃ ବଳିଆର ସିଂହ ଓ ପାଟଶାଣୀ ଆଉ ଅଧିକ କାଳ ବୃଦ୍ଧଙ୍କ ସହିତ ବାକ୍ୟ ବିନିମୟ କରିବାକୁ ଚାହିଁଲେ ନାହିଁ ।

 

ପରସ୍ପର ନିଜ ନିଜ ଘଣ୍ଟାକୁ ଚାହିଁଲେ । ସେତେବେଳକୁ ରାତି ଆଠଟା ହୋଇଯାଇଥିଲା-

 

ମିଃ ପାଟଶାଣୀ ଉଠି ପଡ଼ିଲେ । ତାଙ୍କ ପରେ ପରେ ଉଠି ପଡ଼ିଲେ ବଳିଆର ସିଂହ ।

 

ବୃଦ୍ଧ ବ୍ରଜେନ୍ଦ୍ର ସତେ ଯେପରି ଆଶ୍ୱସ୍ତ ହେଲେ । ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଯମଦୂତମାନେ ଆସି ଯେମିତି ଘେରିଯାଆନ୍ତି, ସେଇ ଘେର ଭିତରୁ ସେ ଯେପରି ମୁକ୍ତ ହେଲେ–ତ୍ରାହି ପାଇଲେ ।

 

ମିଃ ପାଟଶାଣୀ କହିଲେ– ଆଛା, ଆମେ ଚାଲିଲୁ ବ୍ରଜେନ୍ଦ୍ର ବାବୁ । କର୍ତ୍ତବ୍ୟର ଆହ୍ୱାନରେ ଆପଣଙ୍କୁ ଯେ କେତୋଟି ପ୍ରଶ୍ନ ପଚାରିଥିଲୁ, ତାହା ଯଦି ଆପଣଙ୍କ ମନରେ ଦୁଃଖ ଦେଇଥାଏ, ସେଥିପାଇଁ ଆମେ ଦୁଃଖିତ ।

 

ମିଃ ବଳିଆର ସିଂହ ଓ ପାଟଶାଣୀ ହାତଯୋଡ଼ି ନମସ୍କାର ଜଣାଇଲେ ।

 

ବ୍ରଜେନ୍ଦ୍ର ବାବୁ ପ୍ରତିନମସ୍କାର ଜଣାଇଲେ ।

 

ମିଃ ବଳିଆର ସିଂହ କହିଲେ– ସୁରିତ୍‌ ବାବୁ ଗଲେ କୁଆଡ଼େ ?

 

ସୁରିତ୍‌ ନିକଟସ୍ଥ ଆଉ ଏକ ଘରୁ ଚାଲିଆସିଲା । ତାକୁ ଦେଖି ମିଃ ପାଟଶାଣୀ କହିଲେ– ଆମର କଥାବାର୍ତ୍ତା ସରିଗଲା । ସୁରିତ୍‌ ବାବୁ ! ଆମେ ଚାଲିଲୁ । ଛନ୍ଦା ଦେବୀଙ୍କର ମୃତ୍ୟୁ ରହସ୍ୟ ଉଦ୍‌ଘାଟନ ସମ୍ପର୍କରେ ଆମେ ପ୍ରାଣପାତ ଉଦ୍ୟମ ଚଳାଇଛୁ ।

 

ମିଃ ବଳିଆର ସିଂହ ଓ ପାଟଶାଣୀ ଦାଣ୍ଡଘର ଆଡ଼କୁ ଚାଲିଲେ । ସୌଜନ୍ୟ ଦୃଷ୍ଟିରୁ ସେମାନଙ୍କୁ ବଳାଇଦେବାପାଇଁ ତାଙ୍କ ପଛେ ପଛେ ସୁରିତ୍‌ ମଧ୍ୟ ଚାଲିଲା ।

 

ଦାଣ୍ଡରେ ପହଞ୍ଚିଲେ । ମିଃ ବଳିଆର ସିଂହ କହିଲେ–ଦରକାର ପଡ଼ିଲେ ଆପଣଙ୍କ ଘରକୁ ଆମେ ଥରେ ଯିବୁ ସୁରିତ୍‌ ବାବୁ ! ଆପଣଙ୍କ ଘରଟା କେଉଁଠି କହିଲେ,.....ପ୍ଲିଜ୍‌ ଡୁ ନଟ୍‌ ମାଇଣ୍ଡ ।

 

ସୁରିତ୍‌ ହସି ହସି କହିଲେ ମୋ ଘର ନୂଆ ପାଟଣାରେ । ଯେକୌଣସି ଲୋକଙ୍କୁ ପଚାରିଦେଲେ ସେମାନେ ମୋ ଘର ଦେଖାଇଦେବେ ।

 

ମିଃ ବଳିଆର ସିଂହ ଓ ପାଟଶାଣୀ ଚାଲିଗଲେ ।

 

ସୁରିତ୍‌ ଫେରିଆସିଲା ସେମାନଙ୍କ ନିକଟରୁ ।

 

ବ୍ରଜେନ୍ଦ୍ର, ସୁରିତ୍‌ ଚିନ୍ତାମଗ୍ନ ଅବସ୍ଥାରେ ଦେଖି କହିଲେ– ପୋଲିସ୍‌ମାନେ ଏବେ ମଧ୍ୟ ମୋ ଛନ୍ଦାର ମୃତ୍ୟୁ ରହସ୍ୟ ଜାଣିପାରିଲେ ନାହିଁ ବାବା ! ଅନୁସନ୍ଧାନର ତମ୍ବି ତୋଫାନ ଉଡ଼ାଇ ନାନା ଲୋକଙ୍କୁ ନାନା ଅବାଞ୍ଛନୀୟ ପ୍ରଶ୍ନ ପଚାରି ଏମାନେ ଅଯଥାରେ ଯାହା ସମୟ ନଷ୍ଟ କରୁଛନ୍ତି-। ତା’ ବ୍ୟତୀତ ଏମାନେ ଯେ କିଛି ଫଳପ୍ରଦ କାମ କରୁଛନ୍ତି, ମୁଁ ଜାଣିପାରୁନାହିଁ.....

 

ସୁରିତ୍‌ ନୀରବ ରହିଲା.....

 

ବ୍ରଜେନ୍ଦ୍ର ମୁଣ୍ଡରେ ହାତଦେଇ କିଛି ସମୟ ବସି ପଡ଼ିଲେ ।

 

ସୁରିତ୍‌ କହିଲା– ରାତି ଆସି ଅନେକ ହେଲାଣି । ଆପଣ ଖାଆନ୍ତୁ । ଖାଇସାରି ଶୋଇବାକୁ ଗଲେ, ମୁଁ ଚାଲିଯିବି ମଉସା ।

 

ବ୍ରଜେନ୍ଦ୍ର ସୁରିତ୍‌ କଥାରେ ନୀରବ ସମର୍ଥନ ଜଣାଇଲେ ।

 

ରାତ୍ରି ବଢ଼ି ବଢ଼ି ଚାଲିଛି....

 

ସୁରିତ୍‌ ବାହାରିଲା ଘରକୁ ।

 

ଅନୁରାଧା ପୂଜାରୀଙ୍କର ଚାହିଦା ଏବେ ଖୁବ୍‌ ବଢ଼ିଯାଇଛି । ଛନ୍ଦାର ମୃତ୍ୟୁ ପରେ ପରେ ଓଡ଼ିଶାରେ ପ୍ରସ୍ତୁତ ହେବାକୁ ଯାଉଥିବା ପ୍ରାୟ ପ୍ରତ୍ୟେକ ଚିତ୍ରରେ ଅଭିନୟ କରିବାକୁ ସେ ଡାକରା ପାଉଛନ୍ତି ।

 

ଛନ୍ଦାର ଲୀଳାୟିତ ଅଙ୍ଗଭଙ୍ଗୀ ତୁଳନାରେ ଅନୁରାଧାଙ୍କର ସୌନ୍ଦର୍ଯ୍ୟ ନ୍ୟୂନ ହେଲେ ମଧ୍ୟ ସୁନ୍ଦରୀ ଅଭିନେତ୍ରୀ ହିସାବରେ ସେ ପରିଚିତା । କିନ୍ତୁ ଛନ୍ଦାର ଅଭିନୟରେ ଯେଉଁ ବାସ୍ତବତା ଭରି ରହିଛି, ସେ ବାସ୍ତବତା ଅନୁରାଧା ପାଖରେ ଊଣା ଥିଲା ବୋଲି ତା’ର ଜନପ୍ରିୟତା କମିଯାଇଥିଲା । କିନ୍ତୁ ଛନ୍ଦାର ମୃତ୍ୟୁ ପରେ ସୁନ୍ଦରୀ ଅଭିନେତ୍ରୀ–ବିରଳ ଓଡ଼ିଶା ଦେଶରେ ଅନୁରାଧା ଏବେ ହୋଇଛି ସର୍ବଶ୍ରେଷ୍ଠ ସୁନ୍ଦରୀ ଅଭିନେତ୍ରୀ.....

 

ସେଦିନ ଥିଲା ଜ୍ୟେଷ୍ଠର ଏକ ସନ୍ଧ୍ୟା...

 

ଅନୁରାଧା ନିଜ ଅଗଣା ଉଦ୍ୟାନରେ ବସି ଜ୍ୟେଷ୍ଠ ସନ୍ଧ୍ୟାର ଶୀତଳ ସମୀରଣ ସ୍ପର୍ଶରେ ନିଜ ମନକୁ ଶାନ୍ତ କରୁଥିଲା ।

 

ଓଃ, ଦିନବେଳେ କି ପ୍ରଚଣ୍ଡ ଗ୍ରୀଷ୍ମ ! ସନ୍ଧ୍ୟାହେଲେ ଧୀରେ ଧୀରେ ଦକ୍ଷିଣା ପବନ ଟିକିଏ ବହିଲେ ଦେହ ଫୂର୍ତ୍ତି ଲାଗେ, ମନ ଚଞ୍ଚଳ ହୁଏ ।

 

ଅନୁରାଧା ଅଗଣା ଉଦ୍ୟାନରେ ଫୁଟିଥିବା କେତୋଟି ମଲ୍ଲୀଫୁଲକୁ ଚାହିଁ କେତେକଥା ଭାବୁଥିଲା....

 

ବାସ୍ତବିକ ଅଭିନେତ୍ରୀ ଜୀବନରେ ଛନ୍ଦା ଥିଲା ତା’ର ଏକମାତ୍ର ପ୍ରତିଦ୍ୱନ୍ଦୀ । ଛନ୍ଦାର ତିନିବର୍ଷ ଆଗରୁ ଚଳଚ୍ଚିତ୍ର ଜଗତରେ ସେ ପ୍ରବେଶ କରିଥିଲେ ମଧ୍ୟ ଛନ୍ଦାର ଯଶ ଓ ଖ୍ୟାତି ଯେପରି ଭାବରେ ବଢ଼ି ଚାଲିଥିଲା, ସେଥିରେ ତା’ର ପ୍ରତିଭା ମ୍ରିୟମାଣ ହୋଇ ହୋଇ ଆସୁଥିଲା । ଛନ୍ଦା ଯଦି ଆଉ କିଛିଦିନ ବଞ୍ଚିଥାଆନ୍ତା, ତା ହେଲେ ତାକୁ ହୁଏତ ଅଭିନୟ ଜଗତରୁ ବିଦାୟ ନେବାକୁ ପଡ଼ିଥାଆନ୍ତା ।

 

ଅବଶ୍ୟ ଛନ୍ଦାର ମୃତ୍ୟୁ ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ ବର୍ତ୍ତମାନ ଭିନ୍ନ ରୂପ ଧାରଣ କରିଛି । ପ୍ରଯୋଜକମାନଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଖି ଆସି ତା ଉପରେ ପଡ଼ିଛି । ଛନ୍ଦା ବଞ୍ଚିଥିଲେ ଏ ସୁଯୋଗ କ’ଣ ତାକୁ ମିଳିଥାନ୍ତା ।

 

ଛନ୍ଦାର ମୃତ୍ୟୁ ତା ପକ୍ଷରେ ଏକ ଆଶୀର୍ବାଦ । ଯେଉଁ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକମାନେ ଛନ୍ଦା ଅଭିନୟ କରୁଥିବା ଚିତ୍ରରେ ଏକ ପାର୍ଶ୍ୱଭୂମିକାରେ ଅଭିନୟ କରିବାକୁ ତାକୁ ସୁପାରିଶ୍‌ କରୁଥିଲେ, ଆଜି ସେହିମାନେ ତାକୁ ନାୟିକା ଭୂମିକାରେ ଅଭିନୟ କରିବାକୁ ନିମନ୍ତ୍ରଣ କରୁଛନ୍ତି ।

 

ଅନୁରାଧା ଭାବି ଚାଲିଛି । ଜ୍ୟେଷ୍ଠ ସନ୍ଧ୍ୟାର ଚପଳ ପବନ ଧୀରେ ଧୀରେ ମଥା ପିଟି ପିଟି ଘୂରି ବୁଲୁଛି ଉଦ୍ୟାନର ଚାରିପଟେ, ସେ ବସିଛି ଏକାକୀ....

 

ଚାକର ଆସି ପହଞ୍ଚିଯାଇ କହିଲା– ଦେଈ, ଆପଣଙ୍କ ସଙ୍ଗେ ଦୁଇ ଜଣ ଭଦ୍ରଲୋକ ସାକ୍ଷାତ କରିବାକୁ ଆସିଛନ୍ତି । ସେମାନେ ସମ୍ଭବତଃ ସିନେମା କଂପାନୀର ଲୋକ ।

 

ଅନୁରାଧାର ଭାବନା ଫେରିଆସିଲା । କହିଲା– ଯାଅ, ସେମାନଙ୍କୁ ଏଇ ଉଦ୍ୟାନ ଭିତରକୁ ନେଇଆସିବୁ ।

 

ଚାକର ଫେରିଗଲା ସେମାନଙ୍କୁ ଅଭିନନ୍ଦନ ଜଣାଇ ଉଦ୍ୟାନ ଭିତରକୁ ନେଇ ଆସିବାକୁ ।

 

ଅନୁରାଧା ଚାହିଁ ରହିଛି ସେହି ଦୁଇଟି ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କୁ । କେଉଁ ଚଳଚ୍ଚିତ୍ର କମ୍ପାନୀର ପ୍ରତିନିଧି ଆଜି ଆସିଛନ୍ତି ତା’ ପାଖକୁ ! ଛନ୍ଦା ବଞ୍ଚିଥିଲା ବେଳେ ଓଡ଼ିଶା ଦେଶର ଚିତ୍ରନିର୍ମାତା ଓ ପ୍ରଯୋଜକମାନେ ତା’ ଘରକୁ କ୍ୱଚିତ୍‌ ଆସୁଥିଲେ । ମାତ୍ର ଆଜିକୁ ଦୁଇମାସ ହେଲା, ତା’ ଘରକୁ ଆସିବାରେ ସେମାନଙ୍କର ଏକ ଅଭ୍ୟାସ ହୋଇଯାଇଛି ।

 

କଳାକାର ଜୀବନରେ ତା’ର ଆଉ ବାଧା ନାହିଁ–ପ୍ରତିବନ୍ଧକ ନାହିଁ । ଯେଉଁ ପ୍ରଯୋଜକମାନେ ନୂତନ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବାକୁ ଅନୁରୋଧ କରିବେ, ସେମାନଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦାବୀ କରିବସିବ । ଅନ୍ୟୂନ ପଚାଶ ହଜାର ଟଙ୍କା ନ ଦେଲେ କୌଣସି ଚିତ୍ରରେ ସେ ଅଭିନୟ କରିବ ନାହିଁ ।

 

ଅନୁରାଧା ଚାହିଁଲା ଅଗଣାର ଶେଷ ପ୍ରାନ୍ତକୁ । ଅଗଣାରେ ଜଳୁଥିବା ଶକ୍ତିଶାଳୀ ବିଜୁଳି ଆଲୋକରେ ସେ ଅନାଇଁ ରହିଲା ସେହି ଆଗନ୍ତୁକ ଦୁଇ ଭଦ୍ରବ୍ୟକ୍ତିଙ୍କୁ ।

 

ଚାକର ରତ୍ନାକର ଆଗେ ଆଗେ । ସେମାନେ ଆସୁଛନ୍ତି ପଛେ ପଛେ....

 

ଓଃ, ଉତ୍କଳ ମଡ଼ର୍ଣ୍ଣ ଫିଲ୍‌ମ ପ୍ରଡ଼କ୍‌ସନର ପ୍ରଯୋଜକ ଓ ପୃଷ୍ଠପୋଷକ ବାଳକୃଷ୍ଣ ମାନଧାତା ଏବଂ ପ୍ରଖ୍ୟାତ ନିର୍ଦ୍ଦେଶକ ସନତ୍‌ ରାୟସିଂହ ଆସୁଛନ୍ତି ତା’ ପାଖକୁ କାହିଁକି ?

 

ଅନୁରାଧା ନିଜକୁ ସଜାଡ଼ି ନେଇ ଅପେକ୍ଷାକୃତ ଗମ୍ଭୀର ହୋଇ ବସିପଡ଼ିଲା ।

 

ସେମାନେ କାହିଁକି ଆସୁଛନ୍ତି ? ସମ୍ଭବତଃ ‘ଆଦିବାସୀ’ ନାଟକର ନାୟିକା ଭୂମିକାରେ ଅଭିନୟ କରିବାକୁ ଅନୁରୋଧ କରିବେ । ଛନ୍ଦା ବଞ୍ଚିଥିଲାବେଳେ ତାକୁ ଏକ ପାର୍ଶ୍ୱଭୂମିକାରେ ଅଭିନୟ କରିବାପାଇଁ କୁହାଯାଇଥିଲା ।

 

ଛନ୍ଦାର ମୃତ୍ୟୁ ପରେ ପରେ ବାଳକୃଷ୍ଣ ମାନଧାତା ଓ ସନତ୍‌ ରାୟସିଂହଙ୍କର ସିଦ୍ଧାନ୍ତ ହୁଏତ ପରିବର୍ତ୍ତିତ ହୋଇଯାଇଛି ।

 

ସେମାନେ ଅନୁରାଧା ନିକଟରେ ପହଞ୍ଚିଲେ । ଅନୁରାଧା ସୌଜନ୍ୟ ଦୃଷ୍ଟିରୁ ଉଠିପଡ଼ି ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲା ।

 

ମାନଧାତା ଓ ରାୟସିଂହ ବାବୁ ତାକୁ ନମସ୍କାର ଜଣାଇଲେ । ଅନୁରାଧା ପ୍ରତିନମସ୍କାର ଜଣାଇ ସେମାନଙ୍କୁ ବସିବାକୁ ଇଙ୍ଗିତ ଦେଲା । ସେମାନେ ବସିଲେ ।

 

ଆଗ ମାନଧାତା ବାବୁ ଆରମ୍ଭ କଲେ– ଦେଖନ୍ତୁ ଅନୁରାଧା ଦେବୀ, ଛନ୍ଦା ବଞ୍ଚିଥିଲେ ସମ୍ଭବତଃ ‘ଆଦିବାସୀ’ ଚିତ୍ରର ସୁଟିଂ ସରିଯାଇଥାନ୍ତା । ଆମର ଦୁର୍ଭାଗ୍ୟ ଅନୁରାଧା ଦେବୀ, ଛନ୍ଦାଦେବୀଙ୍କର ଆକସ୍ମିକ ମୃତ୍ୟୁପରେ ସୁଟିଂ ଆରମ୍ଭ କରିବାକୁ ଅନେକ ଡେରି ହୋଇଗଲା । ତେବେ ଯାହାହେଉ, ସେ ଯେଉଁ ଭୂମିକାରେ ଅଭିନୟ କରିବେ ବୋଲି ଚୁକ୍ତିବଦ୍ଧ ହୋଇଥିଲେ ସେଇ ଭୂମିକାରେ ଆପଣ ଅଭିନୟ କରିବେ ବୋଲି ଆମର ନିଷ୍ପତ୍ତି ହୋଇଯାଇଛି । ଆପଣଙ୍କର ମତାମତ ଜାଣିଲେ ଏଇ ମାସ ଶେଷ ସପ୍ତାହରୁ ସୁଟିଂ କାମ ଆରମ୍ଭ ହେବ ।

 

ଅନୁରାଧା ଭାବିଲା, ଏଇ କିଛିକ୍ଷଣ ପୂର୍ବରୁ ସେ ଯାହା ଭାବିଥିଲା ତାହାହିଁ ଠିକ୍‌ ହେଲା । କିନ୍ତୁ ଏଇ ଅବସରରେ ଆର୍ଥିକ ଚୁକ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇବା ଏକାନ୍ତ ସଂଗତ । ଏଇ ଚିତ୍ରଠାରୁ ତା’ର ଆର୍ଥିକ ଦାବୀ ସଂକ୍ରାନ୍ତରେ ଏକପ୍ରକାର ମୂଳଦୁଆ ପଡ଼ିଯିବ ।

 

ଅନୁରାଧା କହିଲା– ଅଭିନୟ କରିବାକୁ ମୋର କୌଣସି ଆପତ୍ତି ନାହିଁ ମାନଧାତା ବାବୁ । କିନ୍ତୁ ମୁଁ ସିଦ୍ଧାନ୍ତ କରିଛି, କୌଣସି ଚିତ୍ରରେ ନାୟିକା ରୂପେ ଅଭିନୟ କଲେ ପଚାଶହଜାର ଟଙ୍କା ମୋର ପ୍ରାପ୍ୟ ହେବ । ଆପଣ ଯଦି ଏ ପ୍ରସ୍ତାବରେ ରାଜି ହୁଅନ୍ତି, ଆପଣଙ୍କ ଚିତ୍ରରେ ଅଭିନୟ କରିବାକୁ ମୋର କୌଣସି ଆପତ୍ତି ନାହିଁ ।

 

ନିର୍ଦ୍ଦେଶକ ରାୟସିଂହ ଅନୁରାଧାର ଏଇ ଆର୍ଥିକ ଦାବୀ କଥା ହଠାତ୍‌ ଶୁଣି ମନେ ମନେ ଚିଡ଼ି ଉଠିଲେ । ଅଥଚ କିଛି କହିପାରିଲେ ନାହିଁ । ସେ ନିରୁତ୍ତର–ନିରୁପାୟ ।

 

ଭାବିଲେ, ଓଡ଼ିଆ ଚଳଚ୍ଚିତ୍ର କ୍ରମୋନ୍ନତି ପଥରେ ଅଗ୍ରଗତି କରୁଥିବା ଅବସ୍ଥାରେ ଅନୁରାଧାପରି ଅହଙ୍କାରୀ ଚିତ୍ରତାରକାମାନେ ଯଦି ଅର୍ଥପାଇଁ ଅସୁବିଧା ସୃଷ୍ଟି କରି ବସନ୍ତି, ତା’ ହେଲେ ଗତ ଦୁଇବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ରର ପ୍ରସ୍ତୁତି ଓ ସାଫଲ୍ୟ ଯେପରି ଭାବରେ ସଂପନ୍ନ ହୋଇଛି, ତାହା ହୁଏତ ବାଧାପ୍ରାପ୍ତ ହେବ ।

 

ମାନଧାତା ବାବୁ କହିଲେ– ଦେଖନ୍ତୁ ଅନୁରାଧା ଦେବୀ ! ପଚାଶ ହଜାର ଟଙ୍କା ଦେବାକୁ ଆମର କୌଣସି ଆପତ୍ତି ନାହିଁ । ଛନ୍ଦାଦେବୀ ଅଭିନୟ କରିଥିଲେ ଆମେ ହୁଏତ ଏଇ ପରିମାଣର ଅର୍ଥ ତାଙ୍କୁ ଦେଇଥାଆନ୍ତୁ ।

 

କିନ୍ତୁ ଚିତ୍ରର ପ୍ରସ୍ତୁତି ଅବସ୍ଥାରେ ଆପଣ ଯଦି ଆଗତୁରା ଟଙ୍କା ନେବାକୁ ଜିଦ୍‌ ଧରି ବସିବେ, ଆମେ ନିରୁପାୟ ।

 

ଅନୁରାଧା କହିଲା– ଆଗତୁରା ଟଙ୍କା ନେବାପାଇଁ ମୁଁ ଜିଦ୍‌ ଧରୁନାହିଁ ମାନଧାତା ବାବୁ । କିନ୍ତୁ ଏ ସଂକ୍ରାନ୍ତରେ ଆପଣଙ୍କ ସହିତ ଚୁକ୍ତିପତ୍ର ଲେଖାଲେଖି ହେଲେ ମୋର କୌଣସି ଆପତ୍ତି ରହିବ ନାହିଁ । ମୋର କହିବାର କଥା, ଚିତ୍ର ମୁକ୍ତି ଲାଭ କରିବାର ଦୁଇମାସ ମଧ୍ୟରେ ମୋ ପ୍ରାପ୍ୟ ଚୁକ୍ତି କରିଦେବେ ।

 

ମାନଧାତା ବାବୁ ହସି ହସି କହିଲେ– ତା’ ନିଶ୍ଚୟ ହେବ ଅନୁରାଧା ଦେବୀ । ଦୁଇ ମାସ କାହିଁକି ମାସକ ଭିତର ଆପଣଙ୍କର ଟଙ୍କା ଦେଇଦେବାକୁ ମୁଁ ପ୍ରସ୍ତୁତ ଅଛି ।

 

ଅନୁରାଧା ଗର୍ବ ଓ ଗୌରବରେ ଫାଟିପଡ଼ିଲା । ଛନ୍ଦାର ମୃତ୍ୟୁପାଇଁ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ବାଳକୃଷ୍ଣ ମାନଧାତା ଆଜି ତା’ ପାଖରେ ହାରିଯାଇଛନ୍ତି । ନତମସ୍ତକ ହୋଇ ତା’ ପ୍ରସ୍ତାବରେ ସ୍ୱୀକୃତି ଜଣାଇଛନ୍ତି । ଛନ୍ଦା ବଞ୍ଚିଥିଲେ ନିର୍ଦ୍ଦେଶକ ରାୟସିଂହ, ପ୍ରଯୋଜକଙ୍କ ସହିତ କ’ଣ ତା’ ପାଖକୁ ଆସିଥାଆନ୍ତେ ?

 

ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ସନତ୍‌ ରାୟସିଂହ ଆଜି ତଳକୁ ମୁହଁପୋତି ଗମ୍ଭୀର ହୋଇ ବସିଛନ୍ତି । ଦିନେ ଯେ ଅନୁରାଧା ପୂଜାରୀକୁ ନାୟିକା ଭୂମିକା ଦେବା କଳ୍ପନା କରିପାରି ନଥିଲେ, ସେ ଆଜି ଆସିଛନ୍ତି ତା’ ପାଖକୁ ।

 

ଚାକର ଆଣି ଟ୍ରେରେ ଚା’ ରଖିଦେଲା.....

 

ଅନୁରାଧା, କପ୍‌ କ୍ଷୀର, ଚିନି ଓ ତରଳ ଚା’ ପାଣି ଦେଇ ଚା’ ପ୍ରସ୍ତୁତ କରୁଛନ୍ତି ।

 

ଅନୁରାଧା ଆଗନ୍ତୁକ ଦୁହିଁଙ୍କୁ ଦୁଇ କପ୍‌ ଚା’ ବଢ଼ାଇ ଦେଇ ଗୋଟିଏ କପ୍‌ରେ ନିଜେ ଓଠ ବୁଡ଼ାଇଲା ।

 

ଚା’ ପିଆ ଚାଲିଲା...

 

ଅନୁରାଧା ଚା’ ପିଉ ପିଉ କହିଲା– ଦେଖନ୍ତୁ ମାନଧାତା ବାବୁ ମୁଁ ଯଦି ନାୟିକା ଭୂମିକାରେ ଆପଣଙ୍କ ଆଦିବାସୀ ଚିତ୍ରରେ ଅଭିନୟ କରିବି, ତା’ ହେଲେ ସୁରିତ୍‌ କୁମାର ଯେପରି ସେଥିରେ ନାୟକ ନ ହୁଅନ୍ତି । ତାଙ୍କ ସହିତ ଯଦି ନାୟକ ଭୂମିକାରେ ଅଭିନୟ କରିବାକୁ ଚୁକ୍ତି କରିଥାନ୍ତି, ଦୟାକରି ମୋ ନାଁ ଆପଣ ଡ୍ରପ୍‌ କରିଦିଅନ୍ତୁ ।

 

ନିର୍ଦ୍ଦେଶକ ରାୟସିଂହ ବିସ୍ମିତ ହୋଇଗଲେ । ଅନୁରାଧାର ଏ କି ପ୍ରତିଜ୍ଞା ? ଏ କି ଅବାସ୍ତବ ପରିକଳ୍ପନା ? ସୁରିତ୍‌ କୁମାର ମୁଖ୍ୟ ନାୟକ ଭୂମିକାରେ ଅଭିନୟ ନ କଲେ ଆଦିବାସୀର ସଫଳ ରୂପାୟନ କିଭଳି ସମ୍ଭବ ହେବ ? ତାଙ୍କ ଭଳି, ନିପୁଣ, ସୁଶ୍ରୀ ଓ ରୋମାଣ୍ଟିକ୍‌ ଅଭିନେତା ନାୟକ ଭୂମିକାରେ ଅଭିନୟ ନ କଲେ ଚିତ୍ରର କାଟ୍‌ତି ହୁଏତ ଆଶାନୁରୂପ ହୋଇ ପାରିବ ନାହିଁ ।

 

ପ୍ରଯୋଜକ ମାନଧାତା ମଧ୍ୟ ଅବାକ୍‍ ହୋଇଗଲେ । ଚା’ କପ୍‌ଟାକୁ ଓଠପାଖକୁ ନେଉ ନେଉ ଆଉ ନେଇ ପାରିଲେ ନାହିଁ । ସୁରିତ୍‌ କୁମାରଙ୍କ ନାମରେ ଏକ ଆକର୍ଷଣ ଅଛି । ଓଡିଶାର ହଜାର ହଜାର ଦର୍ଶକଙ୍କର ସୁରିତ୍‌ କୁମାରଙ୍କ ଅଭିନୟ ପ୍ରତି ଆସ୍ଥା ଅଛି, ବିଶ୍ୱାସ ଅଛି । ଏପର୍ଯ୍ୟନ୍ତ ଯେଉଁ ଚିତ୍ରରେ ସେ ଅଭିନୟ କରିଛନ୍ତି, ସେ ସବୁ ଚିତ୍ର ଦେଖିବାପାଇଁ ଏ ଦେଶରେ ଦର୍ଶକ ସମାଜ କାଉଣ୍ଟର ପାଖରେ ଠିଆହୋଇ ଟିକେଟ କିଣିବାକୁ ପାଗଳ ହୋଇ ଉଠନ୍ତି । ତେଣୁ ଅନୁରାଧା ଦେବୀଙ୍କ ଏ ସର୍ତ୍ତରେ ସେ କେବେହେଲେ ରାଜି ହୋଇପାରିବେ ନାହିଁ ।

 

ନିର୍ଦ୍ଦେଶକ ରାୟସିଂହ ବାଧ୍ୟହୋଇ କହିଲେ– ଦେଖନ୍ତୁ, ଅନୁରାଧା ଦେବୀ, ସୁରିତ୍‌ କୁମାରଙ୍କ ବ୍ୟତୀତ ଓଡିଶାରେ ଆଉ କେହି ଅଭିନେତା ସେହି ଭୂମିକାରେ ଅଭିନୟ କରିପାରିବେ ନାହିଁ । ଛନ୍ଦାଙ୍କ ମୃତ୍ୟୁପରେ ବହୁ କଷ୍ଟରେ ‘ଆଦିବାସୀ’ ଚିତ୍ରରେ ଅଭିନୟ କରିବା ପାଇଁ ଆମେ ତାଙ୍କୁ ରାଜି କରାଇପାରିଛୁ ।

 

ତାଙ୍କ ସହିତ ଅଭିନୟ କଲେ ଆପଣଙ୍କ କ୍ଷତିଟା ଯେ କଣ ହେବ, ଆମେ ସ୍ଥିର କରିପାରୁନାହୁଁ । ବ୍ୟକ୍ତିଗତ ଜୀବନରେ ଆପଣ ହୁଏତ ତାଙ୍କୁ ଭଲ ନ ପାଇପାରନ୍ତି, ଶ୍ରଦ୍ଧା ନକରି ପାରନ୍ତି । ଆପଣଙ୍କ ସହିତ ତାଙ୍କର ହୁଏ ତ ମନାନ୍ତର ଥାଇପାରେ; ମାତ୍ର ଅଭିନୟ ଜୀବନରେ ସେଗୁଡ଼ିକୁ ଯୋଡ଼ିଦେଲେ କିପରି ଚଳିବ ଅନୁରାଧା ଦେବୀ ? ଅଭିନୟ ଜୀବନରେ ଗୋଟିଏ ମୁହୂର୍ତ୍ତର ମିଳନ ଆପଣଙ୍କ ବାସ୍ତବ ଜୀବନ ଉପରେ କୌଣସି ରେଖାପାତ କରିପାରିବ ନାହିଁ ।

 

ପ୍ରଯୋଜକ ମାନଧାତା, ରାୟସିଂହଙ୍କ କଥାରେ ସମର୍ଥନ ଜଣାଇ ଅନୁରାଧାର ଉତ୍ତରକୁ ତକାଇ ରହିଲେ ।

 

ଚା’ ପାନ ପର୍ବ ସରିଲା....

 

ଅନୁରାଧା ସବୁ କପ୍‌ଗୁଡ଼ିକ ଏକାଠି କରି ଟ୍ରେରେ ରଖିଦେଇ ତାହାକୁ ଚାକର ହାତକୁ ବଢ଼ାଇଦେଲେ...

 

ଚାକର ଚାଲିଗଲା ପରେ ଅନୁରାଧା ଆରମ୍ଭ କଲା– ସୁରିତ୍‌ କୁମାର ଯେଉଁ ପ୍ରଦେଶରେ ନାହାନ୍ତି, ସେ ପ୍ରଦେଶରେ କ’ଣ ନୂତନ ଚିତ୍ର ପ୍ରସ୍ତୁତ ହେଉନାହିଁ, ରାୟସିଂହ ବାବୁ ? ସେହି ଭୂମିକାରେ ନଳିନୀ ରଞ୍ଜନ କ’ଣ ଅଭିନୟ କରି ପାରିବେନାହିଁ ?

 

ଗତ ପାଞ୍ଚବର୍ଷ ହେଲା ଅନ୍ୟୂନ ପ୍ରାୟ ଚଉଦଟି ଚିତ୍ରରେ ସେ ଅଭିନୟ କରିଛନ୍ତି । ପାର୍ଶ୍ୱଭୂମିକାରେ ଅଭିନୟ କଲେ ମଧ୍ୟ ତାଙ୍କର ପ୍ରତିଭା ଅଛି । ସେହି ପ୍ରତିଭାକୁ ଏ ଦେଶର ଚିତ୍ରନିର୍ମାତାମାନେ ବିନିଯୋଗ କରିବାରେ ଅବଶ୍ୟ ହେଳା ପ୍ରଦର୍ଶନ କରୁଛନ୍ତି । ଆପଣଙ୍କ କଥାଚିତ୍ରରେ ‘ହିରୋ’ ଭୂମିକାରେ ଥରେ ତାଙ୍କୁ ସୁଯୋଗ ଦିଅନ୍ତୁ, ଦେଖିବେ, ତାଙ୍କର ଅଭିନୟ କିଭଳି ଚିତ୍ତାକର୍ଷକ ହେବ ।

 

ମୁଁ ଜବାବ ଦେଉଛି ମାନଧାତା ବାବୁ, ତାଙ୍କ ଅଭିନୟ ଯଦି ଆଶାନୁରୂପ ନ ହୁଏ, ତା’ହେଲେ ମୋ ପ୍ରାପ୍ୟ ଆପଣଙ୍କଠାରୁ ଆଶା କରିବି ନାହିଁ ।

 

ମାନଧାତା ବାବୁ ଓ ରାୟସିଂହ ବାବୁ ନୀରବରେ କିଛି ସମୟ ବସି ରହିଲେ ।

 

ମାନଧାତା ବାବୁ କହିଲେ– ସୁରିତ୍‌ଙ୍କ ସହିତ ଆମର ଅଭିନୟଜନିତ ସମସ୍ତ ଚୁକ୍ତି ସରିଯାଇଛି ଅନୁରାଧା ଦେବୀ ! ସୁତରାଂ ଆମେ ଅନ୍ୟ କୌଣସି ନାୟକଙ୍କୁ ସେହି ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦେବୁନାହିଁ । ଆପଣ ଯଦି ତାଙ୍କ ସହିତ ଅଭିନୟ କରିବାକୁ ଅନିଚ୍ଛା ପ୍ରକାଶ କରିବେ, ତା’ ହେଲେ ଆମେ ନିରୁପାୟ । ଆମେ ହୁଏତ ବାଧ୍ୟହୋଇ ଅନ୍ୟ କୌଣସି ବ୍ୟବସ୍ଥା କରିବୁ ।

 

ମାନଧାତା ବାବୁଙ୍କର ଏହି ଚେତାବନୀ ଶୁଣି ସାରିଲା ପରେ ରାୟସିଂହ ବାବୁ ନିଶ୍ଚିନ୍ତ ହେଲେ ।

 

ଅନୁରାଧାର ରାଗ ହେଲା । ମନେ ମନେ ସେ ବିରକ୍ତି ପ୍ରକାଶ କଲା । କିନ୍ତୁ ସେମାନଙ୍କୁ ରୋକ୍‌ଠୋକ୍‌ ଫେରାଇଦେବାକୁ ତା’ର ସାହସ ହେଲା ନାହିଁ । ଜୀବନରେ ପ୍ରଥମଥର ଲାଗି ନାୟିକା ଭୂମିକାରେ ଅଭିନୟ କରିବାପାଇଁ ସେ ଆହ୍ୱାନ ପାଇଛି–ନିମନ୍ତ୍ରିତ ହୋଇଛି । ଏ ସୁଯୋଗ ସେ ଯଦି ହରାଇ ବସିବ, ତା’ହେଲେ ଜୀବନରେ ଏଭଳି ଏକ ମାହେନ୍ଦ୍ର ଲଗ୍ନ ହୁଏତ ଆସିବ ନାହିଁ ।

 

ମାତ୍ର ଛନ୍ଦାର ଅତି ପ୍ରିୟତମ ଅଭିନେତା ସୁରିତ୍‌ ସହିତ ଅଭିନୟ କଲାବେଳେ ମନରେ ତା’ର ନିଶ୍ଚୟ ପାପ ଛୁଇଁବ–କଳୁଷ ସ୍ପର୍ଶ କରିବ । ସେଦିନ ନଳିନୀରଞ୍ଜନ ସହିତ ଗୁପ୍ତ ପରାମର୍ଶ କରି ଯେଉଁ ସିଦ୍ଧାନ୍ତରେ ପହଞ୍ଚିଥିଲା, ତାହା ହୁଏତ କାର୍ଯ୍ୟରେ ପରିଣତ ହୋଇପାରିବ ନାହିଁ ।

 

ଅନୁରାଧା କହିଲା– ଦେଖନ୍ତୁ, ଆପଣଙ୍କର ସୁବିଧା ପାଇଁ ମୁଁ ନଳିନୀରଞ୍ଜନଙ୍କ ନାମ ପ୍ରସ୍ତାବ କରିଥିଲି । ଆପଣ ଯଦି ତାଙ୍କୁ ଗ୍ରହଣ ନ କରନ୍ତି, ସେଥିରେ ମୋର ଆପତ୍ତି ନାହିଁ । ମୁଁ କିନ୍ତୁ ନିଶ୍ଚୟ ଅଭିନୟ କରିବି ।

 

ମାନଧାତା ବାବୁ ଓ ରାୟସିଂହ ବାବୁ ଉଠିପଡ଼ିଲେ ।

 

ମାନଧାତା ବାବୁ କହିଲେ– ତା’ ହେଲେ ଆମେ ଚାଲିଲୁ ଅନୁରାଧା ଦେବୀ—ସୁଟିଂ ଆରମ୍ଭ ହେବ କୋରାପୁଟ ଜିଲ୍ଲାରେ । କୋରାପୁଟ ଗସ୍ତରେ ଯିବାର ସାତଦିନ ପୂର୍ବରୁ ଆପଣଙ୍କୁ ଆମେ ସମ୍ବାଦ ଦେବୁ ।

 

ଅନୁରାଧା ସୌଜନ୍ୟ ଦୃଷ୍ଟିରୁ ଉଠିପଡ଼ିଲା–

 

ଦୁହେଁ ଚାଲିଗଲେ ।

 

ଛନ୍ଦାର ମୃତ୍ୟୁ ହେବାର ଚାରିମାସ ବିତିଗଲାଣି । ତଥାପି ସାଧାରଣ ପୋଲିସ୍‌ ସଂସ୍ଥା ତରଫରୁ ତାର ମୃତ୍ୟୁ ରହସ୍ୟ ଉଦ୍‌ଘାଟିତ ହୋଇପାରିଲା ନାହିଁ ।

 

ଆଷାଢ଼ର ଏକ ବର୍ଷଣାତୁର ସନ୍ଧ୍ୟା.....ଆଜି ଦିନତମାମ ଆକାଶ ବୁକୁ ବିଦୀର୍ଣ୍ଣ କରି ଝରି ଝରି ପଡ଼ୁଛି ବର୍ଷାର ଅବିରାମ ଧାରା । ସତେ ଯେପରି ଏ ବର୍ଷଣର ସମାପ୍ତି ନାହିଁ ।

 

ପୋଲିସ୍‌ ଇନିସ୍‌ପେକ୍ଟର ଥାନାରେ ବସି କହିଲେ– ବୁଝିଲ ମିଃ ବଳିଆର ସିଂହ ! ମର୍ଡ଼ର କେସ୍‌ଟାକୁ ଆଉ ବେଶୀ ଦିନ ଚାପି ରଖିହେବ ନାହିଁ । ଆମେ ଆମର ସମସ୍ତ ଉଦ୍ୟମ ଖଟାଇ ଅନୁସନ୍ଧାନ ଚଳାଇଲେ; ତଥାପି ପ୍ରକୃତ ହତ୍ୟାକାରୀର ସନ୍ଧାନ ପାଇ ପାରିଲେ ନାହିଁ । ହତ୍ୟାକାଣ୍ଡଟିର ଅନୁସନ୍ଧାନ ଚଳାଇବା ପାଇଁ ଗୁଇନ୍ଦା ବିଭାଗ ହାତରେ ଛାଡ଼ିଦେଲେ ଭଲହେବ ବୋଲି ମୁଁ ଭାବୁଛି ।

 

ମିଃ ବଳିଆର ସିଂହ କହିଲେ– ଅବଶ୍ୟ ଅନେକ ସମୟରେ ଗୁଇନ୍ଦା ବିଭାଗକୁ କେସ୍‌ଟି ଦେଇ ଦେବାପାଇଁ ମୁଁ ମନେମନେ ଭାବୁଥିଲି । କିନ୍ତୁ ଆପଣ କାଳେ କିଛି ମନେକରିବେ, ସେହି ଦୃଷ୍ଟିରୁ ମୁଁ ନୀରବ ରହିବାକୁ ବାଧ୍ୟ ହେଉଥିଲି । ପ୍ରଖ୍ୟାତ ପେଷାଦାର ଡିଟେକ୍‌ଟିଭ ମେଘନାଦ ସାହାଣୀଙ୍କୁ କେସ୍‌ଟା ଟ୍ରାନ୍‌ସ୍‌ଫର କରିଦେଇ ଡି. ଏସ୍‌. ପି. ଓ ଆଇ. ଜି. ଙ୍କୁ ଜଣାଇଦେଲେ ଚଳିବ-

 

ମିଃ ବଳିଆର ସିଂହ କହିଲେ– ତା’ହେଲେ ମୁଁ ବର୍ତ୍ତମାନେ ଫୋନ୍‌ କରୁଛି ମେଘନାଦ ସାହାଣୀଙ୍କ ପାଖକୁ ।

 

—ହଁ କରନ୍ତୁ ।

 

ମିଃ ପାଟଶାଣୀ ଫୋନ୍‌ ଧରିଲେ ।

 

—ହାଲୋ ଏକ୍‌ସଚେଞ୍ଜ.....

 

—ଗିଭ ମି ଡବଲ୍‍ଥ୍ରି ନାଇନ୍‌ ।

 

—ହାଲୋ ! କିଏ କହୁଛନ୍ତି....

 

—‘ନମସ୍କାର’ ନମସ୍କାର ମେଘନାଦ ବାବୁ । ଭଲ ଅଛନ୍ତି ?

 

—ଶୁଣନ୍ତୁ, ଛନ୍ଦାଦେବୀଙ୍କର ହତ୍ୟା ସମ୍ପର୍କରେ ଅନୁସନ୍ଧାନ ଚଳାଇବା ପାଇଁ ଆପଣଙ୍କୁ ଆଜି କ୍ଷମତା ଦେଇ ଦେଉଛୁ । ଆପଣଙ୍କ ପରି ହତ୍ୟାରହସ୍ୟ ଅନୁସନ୍ଧାନ ବିଶେଷଜ୍ଞ ଉଦ୍ୟମ କଲେ ସତ୍ୟାନୁସନ୍ଧାନ କରିପାରିବେ ।

 

—ଶୁଣନ୍ତୁ, ଆସନ୍ତାକାଲି ସକାଳେ ଆପଣ ଥାନାକୁ ଆସିଲେ ମୃତ୍ୟୁ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର, ଷ୍ଟେଟମେଣ୍ଟ ଓ ରେକର୍ଡ଼ ଆପଣଙ୍କୁ ଦେଇଦେବୁ ।

 

—ମେନି ଥ୍ୟାଙ୍କ୍‌ସ୍‌, ସାହାଣୀ ବାବୁ ! ଆପଣଙ୍କ ପରି ପ୍ରଖ୍ୟାତ ପେଷାଦାର ଗୁଇନ୍ଦା ଏ ଦିଗରେ ଇଣ୍ଟଲେକ୍‌ଟ୍‌ ଖର୍ଚ୍ଚ କଲେ ଅକ୍ଳେଶରେ ମୃତ୍ୟୁ ରହସ୍ୟ ଆଲୋକକୁ ଆସିବ । ଆମେ କିନ୍ତୁ ନାନା ଜଞ୍ଜାଳରେ, ସହରର ସାଧାରଣ ନିରାପତ୍ତା ପାଇଁ ଅନେକ ସମୟ ବ୍ୟୟ କରୁଛୁ ସାହାଣୀ ବାବୁ । ସୁତରାଂ ଆପଣଙ୍କୁ ଏଇ କେସ୍‌ଟାର ଇନ୍‌ଭେଷ୍ଟିଗେସନ୍‌ ଦାୟିତ୍ୱ ଦେଇଦେବାକୁ ଆମେ ସ୍ଥିର କରିଛୁ ।

 

—ନମସ୍କାର, ନମସ୍କାର ।

 

ମିଃ ପାଟଶାଣୀ ଫୋନ୍‌ ରଖିଦେଲେ ।

 

ବଳିଆର ସିଂହ କହିଲେ– ଆପଣ ଦେଖିବେ ସାର୍‌, ଅନ୍ତତଃ ମାସକ ମଧ୍ୟରେ ମେଘନାଦ ସାହାଣୀ ମୃତ୍ୟୁରହସ୍ୟ ଉଦ୍‌ଘାଟନ କରିବାକୁ ସମର୍ଥ ହେବେ ।

ପାଟଶାଣୀ କହିଲେ– ଜୀବନବ୍ୟାପୀ ଏକ ମୃତ୍ୟୁରହସ୍ୟ ଉଦ୍‌ଘାଟନ କରୁଛନ୍ତି ମିଃ ସାହାଣୀ । ଜୀବନର ଅନେକ ହତ୍ୟା ରହସ୍ୟର ସନ୍ଧାନ କରି ସେ କୃତକାର୍ଯ୍ୟ ହୋଇଛନ୍ତି । ତେଣୁ ତାଙ୍କ ପକ୍ଷେ ଅନୁସନ୍ଧାନ ଚଳାଇବା ନିଶ୍ଚୟ ସହଜ ହେବ ।

ବଳିଆର ସିଂହ କହିଲେ, ମୃତ୍ୟୁଜନିତ ନାନା ମାନସିକ ବ୍ୟାଧି ସମ୍ପର୍କରେ ସେ ଏକ ଥେସିସ୍‌ ଲେଖି ଭାରତୀୟ କାଉନ୍‌ସିଲ ଅଫ୍ ପୋଲିସ୍‌ ଏକାଡ଼େମୀ ତରଫରୁ ଗତ ମେ’ ମାସରେ ଡକ୍ଟରେଟ୍‌ ଉପାଧି ପାଇଛନ୍ତି ।

କେବଳ ସେତିକି ନୁହେଁ ମିଃ ବଳିଆର ସିଂହ, ସୁଇଜରଲ୍ୟାଣ୍ଡ, କ୍ୟାନାଡ଼ା ଓ ଅଷ୍ଟ୍ରେଲିଆ ପ୍ରଭୃତି ରାଷ୍ଟ୍ରରେ ଆନ୍ତର୍ଜାତିକ ଗୁଇନ୍ଦା ସଂସ୍ଥାର ଯେଉଁ କେନ୍ଦ୍ରମାନ ଏ ସମ୍ପର୍କରେ ଧାରାବାହିକ ଗବେଷଣା ଚଳାଇଛନ୍ତି, ସେହିସବୁ ସଂସ୍ଥାମାନଙ୍କ ତରଫରୁ ମିଃ ସାହାଣୀ ପାଇଛନ୍ତି ଅନେକ ପ୍ରଶଂସାମୂଳକ ସାର୍ଟିଫିକେଟ୍‌ ।

ବଳିଆର ସିଂହ କଥାର ମୋଡ଼ ବଦଳାଇ କହିଲେ– ବୁଝିଲେ ସାର୍‌, ମୋର କିନ୍ତୁ ସେଇ ଜଗୁଆଳିଟାକୁ ସନ୍ଦେହ ହେଉଛି । ହତ୍ୟା ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ନ ହେଲେ ମଧ୍ୟ ସେ ଯେ ହତ୍ୟା ବିଷୟରେ କିଛି ଜାଣିଛି, ଏହା ନିଃସନ୍ଦେହ ।

ପାଟଶାଣୀ କହିଲେ– ଦେଖାଯାଉ, ବଳେ ପ୍ରଖ୍ୟାତ ପେଷାଦାର ଗୁଇନ୍ଦା ମେଘନାଦ ସାହାଣୀ ସମସ୍ତ ରହସ୍ୟ ପଦାରେ ପକାଇବେ । ଆମର ଯେତେବେଳେ ହତ୍ୟାଘଟଣାଟିକୁ ଗୁଇନ୍ଦା ବିଭାଗକୁ ଟ୍ରାନ୍‌ସ୍‌ଫର କରିଦେବାର ସିଦ୍ଧାନ୍ତ ହୋଇଗଲା, ଆଉ ତା’ପରେ ସେ ବିଷୟରେ ମୁଣ୍ଡ ଖେଳାଇବା ଦରକାର ନାହିଁ । ଆମେ ବରଂ ସହରର ନିରାପତ୍ତା ପାଇଁ ଆଲୋଚନା କଲେ ଚଳିବ ।

ମିଃ ବଳିଆର ସିଂହ ଚୁପ୍‌ ରହିଲେ ।

ପାଟଶାଣୀ ଚାହିଁ ରହିଲେ ଥାନାର ବାହାରକୁ ।

ବର୍ଷା ଏପର୍ଯ୍ୟନ୍ତ ଥମିନାହିଁ । ଆଷାଢ଼ର ରାତି ସତେ ଯେପରି କାନ୍ଦୁଛି କଇଁ କଇଁ ହୋଇ-। ଆଷାଢ଼ ରାତିର ଏ କରୁଣ କାନ୍ଦଣା ସତେ ଯେମିତି ବନ୍ଦ ହେବନାହିଁ–ଥମିବ ନାହିଁ ।

ମିଃ ପାଟଶାଣୀ ଅନ୍ୟମନସ୍କ ଭାବରେ କହିଲେ ତମେ ଯାହା ଭାବ ମିଃ ବଳିଆର ସିଂହ, ଛନ୍ଦା ପେଦିନୀଙ୍କର ସେଇ ଢଳ ଢଳ ହାସ୍ୟଅଙ୍କିତ ମୁଖମଣ୍ଡଳଟି ଏବେ ବି ଭାସିଉଠୁଛି ଆଖିଆଗରେ । ଅଭିନୟ–ଜଗତରେ ସେ ବାସ୍ତବିକ୍‌ ସୃଷ୍ଟି କରିଥିଲା ଏକ ନୂତନ ଇତିହାସ । ତା’ ସ୍ଥାନ ପୂରଣ କଲାଭଳି ଓଡ଼ିଶାର ଆଉ କେହି ସିନେମା–ଅଭିନେତ୍ରୀ ବାହାରିବେ କି ନାହିଁ ସନ୍ଦେହ ।

ମିଃ ବଳିଆର ସିଂହ ପାଟଶାଣୀଙ୍କ କଥା ଶୁଣି ନୀରବରେ ଚାହିଁ ରହିଲେ ବାହାରର ବୃଷ୍ଟିମୁଖର ରଜନୀକୁ.....

ସୁରିତ୍‌ କୁମାରଙ୍କ ବାସଗୃହ ।

ମେଘନାଦ ସାହାଣୀ ତାଙ୍କର ଅନ୍ୟତମ ସହକର୍ମୀ ସରୋଜ ରଞ୍ଜନଙ୍କ ସହିତ ସୁରିତ୍‌ କୁମାରଙ୍କ ଦୁଆରେ କବାଟ ଖଡ଼ଖଡ଼ କରିବାରେ ଲାଗିଛନ୍ତି ।

 

ଚାକର ଆସି ତାଙ୍କର କବାଟ ଖୋଲିଲା ।

 

ମେଘନାଦ ପଚାରିଲେ–ସୁରିତ୍‌ ବାବୁ ଅଛନ୍ତି ?

 

—ହଁ ।

 

—ତାଙ୍କୁ ଟିକିଏ ଡାକିଦିଅ–

 

ଚାକର ଚାଲିଗଲା ସୁରିତ୍‌ କୁମାରଙ୍କୁ ଡାକିବାକୁ ।

 

ପ୍ରଖ୍ୟାତ ପେଷାଦାର ଗୁଇନ୍ଦା ମେଘନାଦ ସାହାଣୀ ଓ ସହକର୍ମୀ ସରୋଜ ରଞ୍ଜନ ଦୁଆରେ ଅପେକ୍ଷା କରି ରହିଲେ ।

 

ଅଭିନେତା ସୁରିତ୍‌ କୁମାର ଆସିଲେ....

 

ଓଡ଼ିଶାର ସୁଦର୍ଶନ ଚଳଚ୍ଚିତ୍ର ଅଭିନେତା ସୁରିତ୍‌ କୁମାର ଜିଜ୍ଞାସୁ ନୟନରେ ଆଗେଇ ଆସିଲେ ଦୁଆର ମୁହଁ ପାଖକୁ ।

 

ସୁରିତ୍‌ କୁମାର ପେଷାଦାର ଗୁଇନ୍ଦା ମେଘନାଦଙ୍କୁ ଏହାପୂର୍ବରୁ କେବେ ଦେଖି ନ ଥିଲେ-। ହଠାତ୍‌ ଜଣେ ଆଗନ୍ତୁକଙ୍କୁ ଦେଖି ବିନା ସଂକୋଚରେ କୌତୂହଳ ମିଶା ନମସ୍କାର ତାଙ୍କୁ ଜଣାଇଲେ ।

 

ମେଘନାଦ ପ୍ରତିନମସ୍କାର ଜଣାଇ ସାରିଲା ପରେ କହିଲେ–ଆସନ୍ତୁ ଘର ଭିତରକୁ–ଏଠି ଠିଆ ହୋଇ ରହିଲେ ଯେ—

 

ମେଘନାଦ ଘର ଭିତରକୁ ଯାଇ ଚେୟାରରେ ବସିପଡ଼ିଲେ ।

 

କହିଲେ– ଆପଣଙ୍କ ପରିଚୟ ?

 

ମେଘନାଦ ହସି ହସି କହିଲେ– ମୁଁ ହେଉଛି ପ୍ରଖ୍ୟାତ ଗୁଇନ୍ଦା ମେଘନାଦ ସାହାଣୀ । ଏ ହେଉଛନ୍ତି ମୋର ସହକର୍ମୀ ସରୋଜ ରଞ୍ଜନ ।

 

ସୁରିତ୍‌ ଆଗ୍ରହମିଶା କଣ୍ଠରେ ପଚାରିଲେ–ଓଃ, ଆଇ ସି–ଆପଣ କୁଆଡ଼େ ଅକସ୍ମାତ୍‌ ଚାଲିଆସିଲେ ।

 

ମେଘନାଦ ଟିକିଏ ଗମ୍ଭୀର ହୋଇ କହିଲେ–ଛନ୍ଦାଦେବୀଙ୍କ ମୃତ୍ୟୁ ସମ୍ପର୍କରେ ମୋତେ ଇନ୍‌ଭେଷ୍ଟିଗେସନ୍‌ ଦାୟିତ୍ୱ ଦିଆ ଯାଇଛି । ତେଣୁ ତାଙ୍କ ମୃତ୍ୟୁଜନିତ ଘଟଣା ଜାଣିବା ଉଦ୍ଦେଶ୍ୟରେ ଆପଣଙ୍କ ଠାରୁ ଯଦି କିଛି ସୁରାକ୍‍ ପାଇପାରେଁ, ତା’ ହେଲେ.....

 

ସୁରିତ୍‌ଙ୍କ ହସ ହସ ମୁଖମଣ୍ଡଳ ହଠାତ୍‌ ବେଦନାବ୍ୟଥିତ ହୋଇଉଠିଲା । ଆଜି ବି ଛନ୍ଦା ବେଳେବେଳେ ମନ ଭିତରେ ଅତି ଜୀବନ୍ତ ଭାବରେ ଭାସିଉଠୁଛି ।

 

ମେଘନାଦ ସାହାଣୀ ଆରମ୍ଭ କଲେ— ଇଫ୍‌ ୟୁ ଡୁ ନଟ୍‌ ମାଇଣ୍ଡ ସୁରିତ୍‌ ବାବୁ, ଆପଣଙ୍କୁ କେତୋଟି ପ୍ରଶ୍ନ ପଚାରିବି ।

 

ସୁରିତ୍‌ ହଠାତ୍‌ ନିଜର ମନୋଭାବ ବଦଳାଇ କହିଲେ ଦେୟାର ଇଜ୍‌ ନଥିଂ ଟୁ ମାଇଣ୍ଡ ମେଘନାଦ ବାବୁ, ପଚାରନ୍ତୁ ।

 

ମେଘନାଦ ବାବୁ କହିଲେ–ଚଣ୍ଡୀଖୋଲ ଯିବା ପୂର୍ବରୁ ଛନ୍ଦାଦେବୀ ଆପଣଙ୍କୁ ସହଯାତ୍ରୀ ହେବାକୁ ଥରେ ହେଲେ କ’ଣ ପ୍ରସ୍ତାବ ଦେଇ ନ ଥିଲେ ?

 

—ନାଁ, ତା’ର କାରଣ ହେଉଛି ଏହି ଯେ, ଯେତେବେଳେ ଛନ୍ଦା ଓ ଅନୁରାଧା ଦୁଇଟି ଆଦିବାସୀ ତରୁଣୀ ରୂପେ ‘ଆଦିବାସୀ’ ଚିତ୍ରରେ ଅଭିନୟ କରିବେବୋଲି ସ୍ଥିରୀକୃତ ହେଲା, ସେତେବେଳେ ସେଇ ଦୁହେଁଯାକ ଯାଇ ଚଣ୍ଡୀଖୋଲ ନିକଟସ୍ଥ ଆଦିବାସୀ ପଲ୍ଲୀର ଜୀବନଧାରାକୁ ଏକ ସପ୍ତାହ କାଳ ଲକ୍ଷ୍ୟ କରିବେ ବୋଲି ସ୍ଥିର ହୋଇଥିଲା । ସେହି ଦୃଷ୍ଟିରୁ ମତେ ହୁଏତ ସେ ପ୍ରସ୍ତାବ ଦେଇ ନ ଥିଲା ।

 

—ଛନ୍ଦାଙ୍କ ସହିତ ଆପଣଙ୍କର ଯେତେବେଳେ ଅତ୍ୟନ୍ତ ଘନିଷ୍ଠତା, ସେତେବେଳେ ଆପଣ କ’ଣ ତାଙ୍କ ସଙ୍ଗେ ଯିବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ ।

 

—ନାଁ

 

—ଆଚ୍ଛା, ଅନୁରାଧା ଓ ଛନ୍ଦା ଦେବୀ ଯେତେବେଳେ ଚଣ୍ଡୀଖୋଲ ଅଭିମୁଖେ ଯାତ୍ରାକଲେ, ଆପଣ କ’ଣ ସେମାନଙ୍କୁ ଷ୍ଟେସନ୍‌କୁ ସି ଅଫ୍‌ କରିବାପାଇଁ ଯାଇ ନ ଥିଲେ ?

 

—ହଁ, ଷ୍ଟେସନ୍‌କୁ ମୁଁ ଯାଇଥିଲି ।

 

—ଛନ୍ଦା ଓ ଅନୁରାଧାଙ୍କ ବ୍ୟତୀତ ଆଉ କ’ଣ ତାଙ୍କ ସାଙ୍ଗରେ କେହି ଯାଇଥିଲେ ?

 

—ନାଁ ।

 

—ଅନୁରାଧା ଓ ଛନ୍ଦାଦେବୀ, ଏକ ସପ୍ତାହକାଳ ଚଣ୍ଡୀଖୋଲ ଡାକବଙ୍ଗଳାରେ ରହିବାପାଇଁ ଯେତେବେଳେ ଯାଉଥିଲେ, ସେତେବେଳେ ସେମାନଙ୍କ ସାଙ୍ଗରେ କି କି ଉପକରଣ ଯାଇଥିଲା କହିପାରିବେ ? ସେମାନେ କେତୋଟି ବାକ୍‌ସ ଓ ବ୍ୟାଗ ନେଇଥିଲେ ?

 

—ଦେଖନ୍ତୁ ମେଘନାଦ ବାବୁ, ସେମାନେ ସାଙ୍ଗରେ କ’ଣ କ’ଣ ନେଇ ଚଣ୍ଡୀଖୋଲ ଯାତ୍ରା କରୁଥିଲେ, ସେ ସବୁ ମୋର ମନେନାହିଁ । ସେହିସବୁ ଉପକରଣ ଅଥବା ବାକ୍‌ସ ଓ ବ୍ୟାଗ୍‌ ପ୍ରଭୃତି ଦେଖିବାକୁ ମୋର କୌତୂହଳ ଅବା ଜାଗନ୍ତା କାହିଁକି ?

 

—ଅଲ୍‌ ରାଇଟ ସୁରିତ୍‌ ବାବୁ । ଆପଣ କହିପାରିବେ ଅନୁରାଧା ଓ ଛନ୍ଦାଦେବୀଙ୍କ ମଧ୍ୟରେ ସମ୍ପର୍କଟା କିପରି ଥିଲା ?

 

—ଅବଶ୍ୟ ଛନ୍ଦା ସହିତ ମୁଁ ଘନିଷ୍ଠ ଭାବରେ ମିଶିଛି ମେଘନାଦ ବାବୁ, କିନ୍ତୁ ତା’ ସହିତ ଯେତେ ସମୟ ମୋର ଆଳାପ ଆଲୋଚନା ହୁଏ, ସେଇ ଆଳାପ ଆଲୋଚନା ଭିତରେ ଅନୁରାଧା ବିଷୟ କେବେହେଲେ ଉତ୍‌ଥାପିତ ହୋଇନାହିଁ । ତା’ ଛଡ଼ା ଅନୁରାଧାଙ୍କୁ ମୁଁ ଅତି ମାମୁଲି ରୀତିରେ ଜାଣେ । ସୁତରାଂ ତାଙ୍କର ମନୋଭାବ ଛନ୍ଦା ପ୍ରତି କେମିତି ଥିଲା, ମୁଁ କିପରି ଜାଣିବି ମେଘନାଦବାବୁ ?

 

ମେଘନାଦ ଆଉ ଟିକିଏ ଗମ୍ଭୀର ହୋଇ କହିଲେ କହିପାରିବେ ସୁରିତ୍‌ ବାବୁ, ଛନ୍ଦା ଓ ଅନୁରାଧା ଚଣ୍ଡୀଖୋଲ ଯିବାପାଇଁ ଯେଉଁ ସ୍ଥିର ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା, ସେଇ ସିଦ୍ଧାନ୍ତ ଅନୁଯାୟୀ ସେମାନେ ବ୍ୟକ୍ତିଗତ ଭାବରେ ଖର୍ଚ୍ଚ ବହନ କରିଥିଲେ ନା ଚଳଚ୍ଚିତ୍ର ପ୍ରତିଷ୍ଠାନ ତରଫରୁ ଖର୍ଚ୍ଚ ବହନ କରାଯାଇଥିଲା ?

 

—ସେ ବିଷୟରେ ମୁଁ ସଠିକ୍‌ ଖବର କହିପାରିବି ନାହିଁ ମେଘନାଦବାବୁ । ଯେତେଦୂର ସମ୍ଭବ, ଚଳଚ୍ଚିତ୍ର ପ୍ରତିଷ୍ଠାନ ବହନ କରିଥିବ । ଆପଣ ଯଦି ଏ ସମ୍ପର୍କରେ ଅଧିକ ସ୍ପଷ୍ଟୀକରଣ ଚାହାନ୍ତି, ତା’ହେଲେ ଉତ୍କଳ ମଡ଼ର୍ଣ୍ଣ ଫିଲ୍‌ମ ପ୍ରଡ଼କ୍‌ସନ୍‌ର ପ୍ରୟୋଜକ ବାଳକୃଷ୍ଣ ମାନଧାତାଙ୍କ ସହିତ କଥାବାର୍ତ୍ତା କଲେ ଜାଣିପାରିବେ ।

 

ମେଘନାଦ ସାହାଣୀଙ୍କ ସହକର୍ମୀ ସରୋଜରଞ୍ଜନ ନୋଟ୍‌ବୁକ୍‌ କାଢ଼ି ଲେଖିବାରେ ମନ ଢାଳିଦେଇଥିଲେ ।

 

ମେଘନାଦ କହିଲେ– ତାଙ୍କ ପାଖକୁ ଯିବାପାଇଁ ମୁଁ ତ ଭାବିଛି ସୁରିତ୍‌ ବାବୁ । ମାତ୍ର ସେଠାକୁ ଯିବା ପୂର୍ବରୁ ଏ ବିଷୟରେ ମୋର ପ୍ରାଥମିକ ଧାରଣା ହୋଇଥିଲେ ବରଂ ଆହୁରି ଭଲ ହୋଇଥାଆନ୍ତା ।

 

ସୁରିତ୍‌ କହିଲେ–ଦ୍ୟାଟ୍‌ସ୍‌ ଟ୍ରୁ ।

 

—ଶୁଣିଲି, ଆପଣ ଅନୁରାଧାଙ୍କ ସହିତ ‘ଆଦିବାସୀ’ ଚିତ୍ରରେ ମୁଖ୍ୟ ନାୟକ ଭୂମିକାରେ କୁଆଡ଼େ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି । ଏକଥା କ’ଣ ସତ୍ୟ ?

 

—ହଁ ।

 

—ଛନ୍ଦାଦେବୀଙ୍କ ସହିତ ଅଭିନୟ କଲାବେଳେ, ଆପଣଙ୍କର ଅଭିନୟକୁ ଯେଭଳି ଜୀବନ୍ତ, ସରସ ଓ ମନୋରମ କରାଇ ପାରୁଥିଲେ, ଅନୁରାଧାଙ୍କ ସହିତ କ’ଣ ସେମିତି କରାଇ ପାରିବେ ?

 

ସୁରିତ୍‌ ହସିଲେ । ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ସେ ଯେପରି ରାହା ଖୋଜି ପାଉ ନ ଥିଲେ ।

 

—ଆଦିବାସୀ ଫିଲ୍‌ମ୍‌ର ସୁଟିଂ ପାଇଁ ଆପଣମାନେ କେବେ କୋରାପୁଟ ଯାଉଛନ୍ତି ?

 

—ଆସନ୍ତା ସପ୍ତାହରେ ।

 

ମେଘନାଦ ଚମକି ପଡ଼ିଲେ । ଆସନ୍ତା ସପ୍ତାହରେ ଏମାନେ କୋରାପୁଟ ବାହାରିଯିବେ–ଅଥଚ ତା’ ପୂର୍ବରୁ ଏସବୁ ବିଷୟରେ ବିଧିବଦ୍ଧ ଇନ୍‌ଭେଷ୍ଟିଗେସନ୍‌ ହୋଇପାରିଲା ନାହିଁ । ତେଣୁ ନିଜର କାର୍ଯ୍ୟକ୍ରମକୁ ଆସନ୍ତାକାଲିଠାରୁ ଅଧିକ ଦ୍ରୁତ ନ କଲେ ରକ୍ଷାନାହିଁ ।

 

ଆଚ୍ଛା ସୁରିତ୍‌ ବାବୁ, ଉଆନ୍‌ ମୋର କୋଶ୍ଚେନ୍‌ ଟୁ ଇଉ ତା’ପରେ ଆମେ ଚାଲିଯିବୁ ।

 

—କ’ଣ କହନ୍ତୁ ?

 

—ଆପଣ ଅଭିନେତା ନଳିନୀରଞ୍ଜନଙ୍କୁ ତ ଜାଣିଥିବେ ?

 

—ଜାଣେ ।

 

—ତାଙ୍କ ସହିତ ଅନୁରାଧାଙ୍କର ସମ୍ପର୍କ କେମିତି ?

 

—ଜାଣିନାହିଁ, କ୍ଷମା କରିବେ ।

 

—ଆପଣ ଜାଣନ୍ତି, ସେ ମଧ୍ୟ ‘ଆଦିବାସୀ’ ଚିତ୍ରରେ ଅଭିନୟ କରୁଛନ୍ତି ?

 

—ଅବଶ୍ୟ ମୁଁ ଜାଣିନି । ତେବେ କୌଣସି ଏକ ପାର୍ଶ୍ୱଭୂମିକାରେ ଅଭିନୟ କରିପାରନ୍ତି-

 

—ଆଚ୍ଛା, ହାଓ ଇଜ୍‌ ନଳିନୀରଞ୍ଜନ ?

 

—ବିଶେଷ ତାଙ୍କ ସହିତ ନ ମିଶିଥିଲେ ମଧ୍ୟ ଯେତିକି ମିଶିଛି, ସେତିକିରୁ ଜାଣେ ସେ ଖରାପ ନୁହନ୍ତି ।

 

—ଖରାପ କଥା ମୁଁ କହୁନାହିଁ ସୁରିତ୍‌ ବାବୁ । ଭଲ ଆଉ ମନ୍ଦ, ମଣିଷର ପାରିପାର୍ଶ୍ୱିକ ଆବେଷ୍ଟନୀ ଭିତରେ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିର ଗଡ଼ାଣୀ ଉଠାଣୀ ଭିତରେ ସ୍ଥିରୀକୃତ ହୋଇଥାଏ । ଆଜି ଯେଉଁ ମଣିଷ ସୁସ୍ଥ ମାନସିକ ଅବସ୍ଥାରେ ଗତିକରୁଛି, ଆସନ୍ତାକାଲି ନାନା ମାନସିକ ବ୍ୟାଧିରେ ସେ ହୁଏତ ପୀଡ଼ିତ ହୋଇପାରେ । ସମାଜର କଲ୍ୟାଣ ପରିବର୍ତ୍ତେ ଧ୍ୱଂସ ଲୀଳା ସୃଷ୍ଟି କରିବସେ । ଚୋର ସାଧୁ ପାଲଟେ । ସାଧୁ ମଧ୍ୟ ଚୋରି କରିପାରେ ।

 

—ଅଫ୍‌କୋର୍ସ–ସେ ଦୃଷ୍ଟିରୁ ଇଉ ଆର ରାଇଟ୍‌ । କିନ୍ତୁ ଜଣଙ୍କ ବିଷୟରେ ସ୍ପଷ୍ଟ ରୂପେ ଧାରଣା ନ କରି କୌଣସି ମନ୍ତବ୍ୟ ପ୍ରକାଶ କରିବା ଉଚିତ୍‌ ହେବ ନାହିଁ ମେଘନାଦବାବୁ । ସୁତରାଂ ସେ ବିଷୟରେ ଆଉ କୌଣସି ପ୍ରଶ୍ନ ନ ପଚାରି ଅନ୍ୟ ବିଷୟରେ ହୁଏତ ପଚାରି ପାରନ୍ତି ।

 

ମେଘନାଦ କହିଲେ– ଆଚ୍ଛା ହେଉ, ଆପଣ ଯେତେବେଳେ ସେ ବିଷୟରେ ଉତ୍ତର ଦେବାକୁ କୁଣ୍ଠାବୋଧ କରୁଛନ୍ତି, ସେତେବେଳେ ଆପଣଙ୍କୁ ବାଧ୍ୟ କରିବା ଉଚିତ ହେବନାହିଁ । କିନ୍ତୁ ଆପଣଙ୍କୁ ଗୋଟିଏ କଥା କହିରଖୁଛି ସୁରିତ୍‌ବାବୁ, ଯେଉଁମାନଙ୍କୁ ଆପଣ ଅସାଧାରଣ ମଣିଷ ମଣି ସମ୍ମାନ କରନ୍ତି, ମାନବିକତାରେ ଯେଉଁମାନଙ୍କର ଅନ୍ତର ମୂର୍ଚ୍ଛିତ ବୋଲି ଆପଣ ଏପର୍ଯ୍ୟନ୍ତ ଧାରଣା କରି ଆସିଛନ୍ତି, ସେହିମାନେ କିପରି ସମାଜରେ ନାନା କଳଙ୍କ, ବ୍ୟଭିଚାର ହତ୍ୟା ଓ ଧର୍ଷଣ ଆଦି କରିପାରନ୍ତି, ଆଉ ଅଳ୍ପଦିନ ପରେ ସେ ସବୁର ପରିଚୟ ପାଇପାରିବେ ।

 

ସୁରିତ୍‌ କୁମାର ବିସ୍ମୟବିମୂଢ଼ ହୋଇ ଚାହିଁ ରହିଲେ ଡିଟେକ୍‌ଟିଭ ମେଘନାଦ ସାହାଣୀଙ୍କୁ....

 

ମେଘନାଦ ସରୋଜରଞ୍ଜନ ଚାହିଁ ରହିଥିଲେ ଏଇ ଦୁଇ ଜଣଙ୍କୁ ।

 

ଏଇ ସ୍ୱଳ୍ପକାଳର ନୀରବତାକୁ ଭାଙ୍ଗି ମେଘନାଦ ପଚାରିଲେ– ଆଚ୍ଛା, କହିପାରିବେ ସୁରିତ୍‌ ବାବୁ, ଛନ୍ଦା ଦେବୀଙ୍କର ବାପା ବ୍ରଜେନ୍ଦ୍ର ବାବୁ କେମିତି ଅଛନ୍ତି ? ନିଜର ଏକମାତ୍ର କନ୍ୟାର ବିୟୋଗରେ ସେ ସମ୍ଭବତଃ ଶଯ୍ୟାଶାୟୀ ହୋଇଥିବେ ?

 

ସୁରିତ୍‌ କୁମାର କହିଲେ– ବ୍ରଜେନ୍ଦ୍ର ବାବୁଙ୍କ ଅବସ୍ଥା ଛନ୍ଦାର ମୃତ୍ୟୁ ପରେ ଅତ୍ୟନ୍ତ ଶୋଚନୀୟ ହୋଇଉଠିଛି, ସାହାଣୀ ବାବୁ । ପ୍ରତିଦିନ ପ୍ରଳାପ କରି କରି ସେ ଏକପ୍ରକାର ପାଗଳ ହୋଇ ଗଲେଣି । ପ୍ରତିଦିନ ତାଙ୍କୁ ଯାଇ ମୁଁ ଯେତେ ସାନ୍ତ୍ୱନା ଦେଉଛି, ଅଶ୍ୱାସନା ଦେଉଛି, ତଥାପି ସେ ବୁଝୁନାହାନ୍ତି । ତାଙ୍କର ଅବସ୍ଥା ଯାହା, ସେ ହୁଏତ ବେଶୀ ଦିନ ବଞ୍ଚି ପାରିବେ ନାହିଁ ।

 

ମେଘନାଦ ବାବୁ କହିଲେ– ବୁଦ୍ଧଙ୍କ ସମ୍ପର୍କରେ ମୁଁ ସବୁ ଖବର ରଖିଛି ସୁରିତ୍‌ ବାବୁ । ତାଙ୍କ ପରିବାର ସହିତ ମୁଁ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ନ ଥିଲେ ମଧ୍ୟ ଯାହା ସବୁ ଖବର ରଖିଛି, ସେଥିରେ ଛନ୍ଦା ଦେବୀଙ୍କ ମୃତ୍ୟୁରେ ସେ ବିଚଳିତ ହୋଇପଡ଼ିବା ସ୍ୱାଭାବିକ କଥା ।

 

ସୁରିତ୍‍ କୁମାର ପୁଣି ଚାହିଁ ରହିଲେ ମିଃ ସାହାଣୀଙ୍କୁ ଏକ ପ୍ରଶ୍ନବାଚୀ ଆଖିରେ.....

 

—ତା’ପରେ ଛନ୍ଦାଦେବୀଙ୍କ ସହିତ ଆପଣଙ୍କ ସମ୍ପର୍କ ସମ୍ୱନ୍ଧରେ ମୁଁ ଅବଶ୍ୟ କିଛି କିଛି ଜାଣିଛି ସୁରିତ୍‌ ବାବୁ । ତାଙ୍କର ଅଚାନକ ମୃତ୍ୟୁ ଆପଣଙ୍କ କଳାକାର ଜୀବନକୁ ନିଶ୍ଚୟ ଚହଲାଇ ଦେଇଥିବ ।

 

ସୁରିତ୍‍ କୁମାରଙ୍କ ଆହତ ମନ ପୁଣି ବେଦନା ବିକ୍ଷୁବ୍‌ଧ ହୋଇ ଉଠିଲା । ସେ ନିରୁତ୍ତର ରହିଲେ ।

 

ମେଘନାଦ ବାବୁ କହିଲେ– ଆମେ ଚାଲିଲୁ ସୁରିତ୍‌ ବାବୁ । ଆପଣଙ୍କୁ ଆଉ ଅଧିକ କିଛି ପଚାରିବାର ନାହିଁ । ଛନ୍ଦାଙ୍କ ସମ୍ପର୍କରେ ଆପଣଙ୍କୁ ଏଣୁ ତେଣୁ ପଚାରି ଯଦି ବିରକ୍ତ କରିଥାଉଁ, ତା’ ହେଲେ ଆମକୁ କ୍ଷମା ଦେବେ । ଆମେ ଚାଲିଲୁ ।

 

ମିଃ ସାହାଣୀ ଓ ସରୋଜରଞ୍ଜନ ଉଠିଲେ । ସୁରିତ୍‌ କୁମାର ସେମାନଙ୍କ ପଛେ, ଦାଣ୍ଡ ଦୁଆର ପର୍ଯ୍ୟନ୍ତ ଆସିଲେ ।

 

ଦାଣ୍ଡ ଦୁଆରକୁ ଆସିଲାପରେ ମେଘନାଦ ସାହାଣୀ ଓ ସରୋଜରଞ୍ଜନ ବିଦାୟ ନେଲେ-

 

ନମସ୍କାର ଓ ପ୍ରତିନମସ୍କାର ଆଦାନ ପ୍ରଦାନରେ ସେଦିନର ଅନୁସନ୍ଧାନ ପର୍ବ ସେତିକିରେ ସରିଲା ।

 

ଉତ୍କଳ ମଡ଼ର୍ଣ୍ଣ ଫିଲ୍‌ମ୍‌ ପ୍ରଡ଼କସନ୍‌ର ଅଫିସ୍‌ ଗୃହ । ଆସନ୍ତାକାଲି ସେମାନେ କୋରାପୁଟ ଯିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଛନ୍ତି । ମାନଧାତା ବାବୁ ଓ ରାୟସିଂହ ବାବୁ କ୍ୟାମେରାମ୍ୟାନ୍‌ ଓ ସାଉଣ୍ଡମ୍ୟାନ୍‌ଙ୍କ ସହିତ କଥାବାର୍ତ୍ତା ଚଳାଇଛନ୍ତି ।

 

ଉତ୍କଳ ମଡ଼ର୍ଣ୍ଣ ଫିଲ୍‌ମ ପ୍ରଡ଼କ୍‌ସନ୍‌ର ଅଫିସ୍‌ ଗୃହ ଆଜି କର୍ମବ୍ୟସ୍ତ । ‘ଆଦିବାସୀ’ ଚିତ୍ରରେ ଯେଉଁ ଅଭିନେତା, ଅଭିନେତ୍ରୀ, କର୍ମୀ ଓ ସହଯୋଗୀ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି, ସେମାନେ ସମସ୍ତେ ଆଜି ଏଠାରେ ସମବେତ ହୋଇଛନ୍ତି । ସମସ୍ତଙ୍କ ଉପସ୍ଥିତିରେ ଆସନ୍ତାକାଲିର ଯାତ୍ରା ପାଇଁ ଆଜି ସର୍ବସମ୍ମତ ସିଦ୍ଧାନ୍ତ ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।

 

ଆଜିର ଏଇ ସମାବେଶରେ ଅନୁରାଧା ଯୋଗ ଦେଇଛନ୍ତି । ସୁରିତ୍‌ କୁମାର ଓ ନଳିନୀରଞ୍ଜନ ମଧ୍ୟ ଉପସ୍ଥିତ ହୋଇଛନ୍ତି । ସେମାନଙ୍କ ଗହଣରେ ଓଡିଶାର ବହୁ ବିଶିଷ୍ଟ ଟାଇପ୍‌ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଏକତ୍ରିତ ହୋଇପାରିଛନ୍ତି ।

 

ଆଲୋଚନା ଚାଲିଛି.....

 

ଆଲୋଚନା ଗୃହର ଦ୍ୱାରଦେଶରେ ମେଘନାଦ ଓ ସରୋଜ ରଞ୍ଜନ ପହଞ୍ଚିଲେ । ରୁଦ୍ଧକକ୍ଷ ମଧ୍ୟରେ ଆଲୋଚନା ଚାଲିଛି ।

 

ମେଘନାଦ ଦ୍ୱାରରକ୍ଷୀ ଜଣେ ପିଅନ୍‌ଙ୍କୁ ଗୋଟିଏ ଚିଟ୍‌ରେ ନିଜ ନାମ ଓ ଚାକିରି ପଦବୀର ପରିଚୟ ଦେଇ ଉତ୍କଳ ମଡ଼ର୍ଣ୍ଣ ଫିଲ୍‌ମ୍‌ ପ୍ରଡ଼କ୍‌ସନ୍‌ର ପୃଷ୍ଠପୋଷକ ମାନଧାତା ବାବୁଙ୍କୁ ଡକାଇ ପଠାଇଲେ ।

 

ଗୃହରକ୍ଷୀ ଧୀରେ କବାଟ ଖୋଲି ରୁଦ୍ଧକକ୍ଷ ଭିତରକୁ ଚାଲିଗଲା....

 

ରୁଦ୍ଧକକ୍ଷର କବାଟ ଖୋଲି ରୁଦ୍ଧକକ୍ଷ ଭିତରକୁ ଚାଲିଗଲା......

 

ରୁଦ୍ଧକକ୍ଷର କବାଟ ପୂର୍ବପରି ପଡ଼ିଲା ।

 

ମେଘନାଦ ବାବୁ ଓ ସରୋଜରଞ୍ଜନ ଦୁଆର ମୁହଁରେ ଠିଆ ହୋଇ ଦ୍ୱାରରକ୍ଷୀ ପିଅନର ଫେରିବା ବାଟକୁ ଅପେକ୍ଷା କରି ରହିଲେ ।

 

ସରୋଜରଞ୍ଜନ କହିଲେ– ଆଜିକାର ଏକ ଉତ୍ସବମୁଖର ଓ ଗୁରୁଗମ୍ଭୀର ଦିବସରେ ଆମ ଆସିବା କଥା ଜାଣି ମାନଧାତା ବାବୁ ହୁଏତ ବିଚଳିତ ହୋଇପଡ଼ିବେ ସାର୍‌ ! ଆପଣଙ୍କ ଚିଟ୍‌ ପାଇସାରିଲାପରେ ତାଙ୍କ ମନ ହୁଏତ ଏକ ଆତଙ୍କରେ ଶିହରି ଉଠିବ ।

 

ମେଘନାଦ ବାବୁ କହିଲେ– ଆମେ କର୍ତ୍ତବ୍ୟର ଦାସ ସରୋଜରଞ୍ଜନ । ସମାଜର ଯାବତୀୟ ଅଳିଆ, ଅସନା ଓ ଆବର୍ଜ୍ଜନାକୁ ଦୂର କରି, ଏକ କଳଙ୍କହୀନ, ସୁସ୍ଥ ଓ ଶାନ୍ତ ବାୟୁମଣ୍ଡଳ ସୃଷ୍ଟି କରିବା ଆମର ଧର୍ମ । ଚାକିରି କରି ଅର୍ଥ ଉପାର୍ଜ୍ଜନ କରିବା ସଂଗେ ସଂଗେ, ଆମେ ଯଦି ସମାଜ ସେବାରେ ଆମର ଆତ୍ମୋତ୍ସର୍ଗ କରି ପାରିବା, ତା’ ହେଲେ ସେଇ ତ ଆମର ପରମ ଗୌରବ । ସେଥିପାଇଁ କାହାରି ମନରେ ଦୁଃଖ ହେଲେ, ଆଘାତ ହେଲେ, ଆମର ଦୁଃଖ କିମ୍ବା ଅନୁଶୋଚନା କରିବାର କୌଣସି କାରଣ ନାହିଁ ।

 

ସରୋଜରଞ୍ଜନ ଶୁଣୁଥିଲା ମେଘନାଦ ସାହଣୀଙ୍କ କଥା.....

 

ହଠାତ୍‌ ରୁଦ୍ଧଦ୍ୱାର ଉନ୍ମୋଚନ କରି ବାହାରିଆସିଲେ ମାନଧାତା ବାବୁ । ପଛରେ ତାଙ୍କର ଦ୍ୱାରରକ୍ଷୀ ପିଅନ୍‌ ।

 

ମେଘନାଦ ବାବୁଙ୍କୁ ନିଜର ସହକର୍ମୀ ସରୋଜରଞ୍ଜନଙ୍କ ସହିତ ଦେଖି ମାନଧାତା ବାବୁ ନମସ୍କାର ଜଣାଇଲେ ।

 

ମେଘନାଦ ବାବୁ ଓ ସରୋଜରଞ୍ଜନ ଦୁହେଁ ପ୍ରତି ନମସ୍କାର ଜଣାଇଲେ ।

 

ମାନଧାତା ବାବୁଙ୍କ ମୁଖମଣ୍ଡଳରେ ଅସ୍ଥିରତାର ଲଘୁତରଙ୍ଗ । ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ କହିଲେ–ଆପଣମାନେ ଅକସ୍ମାତ୍‌ କୁଆଡ଼େ ଆସିଗଲେ ?

 

ମାନଧାତା ବାବୁଙ୍କ ଓଠରେ କୃତ୍ରିମ ହସର ଢେଉ । ଆଶା ଓ ଆଶଙ୍କାର ଉଜାଣି ସୂଅରେ ମନ ତାଙ୍କର ଭାସି ବୁଲୁଛି ।

 

ମେଘନାଦ ସାହାଣୀ କହିଲେ– ଏକ ଜରୁରୀ କାର୍ଯ୍ୟ ନେଇ ଆପଣଙ୍କ ପାଖକୁ ଆସିବାକୁ ପଡ଼ିଲା ମାନଧାତା ବାବୁ । ଆପଣଙ୍କର ଏ ବୈଠକ କାର୍ଯ୍ୟରେ ବାଧା ସୃଷ୍ଟିକରି ଆମେ ଅତ୍ୟନ୍ତ ଦୁଃଖିତ ।

 

ମାନଧାତା ବାବୁ କହିଲେ– କ’ଣ କାମ, ଦୟାକରି କହିବେ କି ?

 

ମେଘନାଦ ବାବୁ କହିଲେ– ଚାଲନ୍ତୁ ଏକ ନିର୍ଜନ ପ୍ରକୋଷ୍ଠକୁ ମାନଧାତା ବାବୁ । ସେଠାରେ ଆମ ବସିବାର ଉଦ୍ଦେଶ୍ୟ ପୂରାପୂରି ଆପଣଙ୍କ ପାଖରେ କହିବୁଁ । ଏଠି ଏପରି ଅବସ୍ଥାରେ କହିବାକୁ ମୁଁ ଉଚିତ୍‌ ମଣୁନାହିଁ ।

 

ମାନଧାତା ବାବୁ ପ୍ରମାଦ ଗଣିଲେ । ତାଙ୍କର ମନ ସନ୍ଦେହ ଓ ଆଶଙ୍କାରେ ଦୋଳାୟିତ ହେବାକୁ ଲାଗିଲା ।

 

ମାନଧାତା ବାବୁ କହିଲେ– ତା’ ହେଲେ ଆସନ୍ତୁ ।

 

ମାନଧାତା ବାବୁ ଗୋଟିଏ ଛୋଟିଆ ଘର ଭିତରକୁ ଗଲେ । ମେଘନାଦବାବୁ ଓ ସରୋଜରଞ୍ଜନ ତାଙ୍କ ପଛେ ପଛେ ଚାଲିଲେ ।

 

ତିନିହେଁ ବସିଲେ.....

 

ମାନଧାତାଙ୍କ ମନ ବେଳୁ ବେଳ ଉଦ୍‌ବେଗରେ ଭରି ଯାଉଛି ।

 

ମେଘନାଦ ବାବୁ କହିଲେ– ଛନ୍ଦାଦେବୀ ଓ ଅନୁରାଧାଦେବୀ ଚଣ୍ଡୀଖୋଲ ଯାତ୍ରା କରିବା ପାଇଁ ଆପଣ କ’ଣ ଅର୍ଥ ସାହାଯ୍ୟ କରିଥିଲେ ?

 

—ହଁ

 

—ଆଚ୍ଛା, କହିପାରିବେ ମାନଧାତା ବାବୁ, ଛନ୍ଦାଦେବୀଙ୍କ ସହ ଅନୁରାଧାଙ୍କର କ’ଣ କୌଣସି ବୈରତା ଥିଲା ?

 

ମାନଧାତା ବାବୁ ବିସ୍ମୟରେ ଅଭିଭୂତ ହୋଇଗଲେ । ଏସବୁ ପ୍ରଶ୍ନ ପଚାରିବାର କ’ଣ ଯେ ଉଦ୍ଦେଶ୍ୟ ରହିଛି, ସେ ଭାବି କିଛି ଠିକ୍‌ କରିପାରିଲେ ନାହିଁ ।

 

ମାନଧାତା ବାବୁ କହିଲେ– ସେ ସବୁକଥା ମୁଁ କିପରି ଜାଣିବି ମେଘନାଦ ବାବୁ ! ନାରୀମାନଙ୍କ ଅବଚେତନ ମନର ଅବସ୍ଥା ବୁଝିପାରିବା ଆମ ପକ୍ଷରେ ସମ୍ଭବ ହେବ କିପରି ?

 

—ଆପଣ ଯେତେବେଳେ ସେମାନଙ୍କ ସଂସ୍ପର୍ଶରେ ନିବିଡ଼ ଭାବରେ ଆସିଛନ୍ତି ମାନଧାତା ବାବୁ, ସେତେବେଳେ ସେମାନଙ୍କ ସମ୍ପର୍କରେ ଆପଣ ହୁଏତ ପୂର୍ଣ୍ଣ ଧାରଣା କରିପାରିଥିବେ । ତେଣୁ ଆପଣଙ୍କଠାରୁ ଏଇସବୁ ତଥ୍ୟ ମିଳିପାରିବ ବୋଲି ଆମେ ଧାଇଁ ଆସିଛୁ ଆପଣଙ୍କ ପାଖକୁ ।

 

Unknown

ଏକଥା ଆପଣ ନିଶ୍ଚୟ ଜାଣିଥିବେ ମାନଧାତା ବାବୁ, ଛନ୍ଦାଦେବୀ ଯେତେବେଳେ ଆପଣଙ୍କର ଅନ୍ୟାନ୍ୟ ଚିତ୍ରରେ ‘ହିରୋଇନ୍‌’ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି, ସେତେବେଳେ ଅନୁରାଧା ସେଥିରେ ସୁଖୀ ହୁଅନ୍ତି କି ନାହିଁ ? ମୁଖ୍ୟ ନାୟିକା ଭୂମିକାରେ ଅଂଶ ଗ୍ରହଣ କରିବା ପାଇଁ ତାଙ୍କର ଇଚ୍ଛା ଜାଗେ କି ନାହିଁ ? ଏଇସବୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଂଶ ଗ୍ରହଣ କରିବା ପାଇଁ ଆପଣଙ୍କ ପାଖରେ ଦାବୀ କିମ୍ବା ଅଭିମାନ କରନ୍ତି କି ନାହିଁ ?

 

ମାନଧାତା ବାବୁ କହିଲେ– ଅବଶ୍ୟ ଅନୁରାଧା ଦେବୀ ‘ପୂର୍ବରାଗ’ ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିବାପାଇଁ ଜିଦ୍‌ ଧରିଥିଲେ । କିନ୍ତୁ ଆମର ନିର୍ଦ୍ଦେଶକ ରାୟସିଂହ ବାବୁ ତାଙ୍କୁ ସେ ସୁଯୋଗ ଦେଲେ ନାହିଁ । ପାର୍ଶ୍ୱ ଚରିତ୍ରରେ ତାଙ୍କୁ ଅଭିନୟ କରିବା ପାଇଁ ସୁବିଧା ସବୁବେଳେ ଦିଆଯାଉଥିବାରୁ, ମନ ଭିତରେ ତାଙ୍କର ଅବଶ୍ୟ ଅଭିମାନ ଥିଲା । କିନ୍ତୁ ସେ ସୁଯୋଗ ତାଙ୍କୁ ଦିଆଯାଏ ନାହିଁ ।

 

ସରୋଜ ରଞ୍ଜନ ନୋଟ୍‌ ଖାତାରେ ଟିପିବାରେ ଲାଗିଛନ୍ତି ।

 

ମେଘନାଦ ବାବୁ ଗୋଟିକ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଛନ୍ତି ।

 

ମାନଧାତା ବାବୁ ଆଶା ଓ ଆଶଙ୍କା ଭିତରେ ଥରି ଥରି ଉତ୍ତର ଦେଉଛନ୍ତି ।

 

ହଠାତ୍‌ ମାନଧାତା ବାବୁ ପ୍ରଖ୍ୟାତ ଗୁଇନ୍ଦା ମେଘନାଦଙ୍କ ଠାରୁ ଚିଟ୍‌ପାଇ ତାଙ୍କୁ ସାକ୍ଷାତ କରିବାକୁ ଯାଉଥିବାର ସମ୍ବାଦ ଆଦିବାସୀ ଚିତ୍ରରେ ସମସ୍ତ ଅଭିନେତା, ଅଭିନେତ୍ରୀ, ସହକର୍ମୀ ଓ ସହଯୋଗୀଙ୍କ ଭିତରେ ପ୍ରଚାରିତ ହୋଇଗଲା । ସେମାନଙ୍କର ଧୀର, ସୁସ୍ଥ ଆଲୋଚନାର ପରିବେଶ ହଠାତ୍‌ ବିଷର୍ଣ୍ଣ ହୋଇ ଉଠିଲା ।

 

କେହି କେହି ନିଜ ସ୍ଥାନ ଛାଡ଼ି ପ୍ରକୋଷ୍ଠରେ ଇତସ୍ତତଃ ବୁଲିଲେ ଏବଂ କେହି ନିଜ ସ୍ଥାନରେ ବସି ଗପ କରିବା ଆରମ୍ଭ କରିଦେଲେ ।

 

ଅନୁରାଧା ହଠାତ୍‌ ମେଘନାଦଙ୍କ ଆସିବା କଥା ଶୁଣି ଆତଙ୍କରେ ଶିହରୀଉଠିଲା, ଓଠ ଶୁଖିଗଲା–ଦେହ ସତେ ଯେମିତି ଝିମ୍‌ଝିମ୍‌ ହୋଇଗଲା । ନିଜ ସ୍ଥାନରେ ବସିବାକୁ ଆଉ ତାଙ୍କୁ ଭଲ ଲାଗିଲା ନାହିଁ । ସେ ବି ଇତସ୍ତତଃ ଘୂରିବାରେ ଲାଗିଲା ।

 

ନଳିନୀରଞ୍ଜନ କାହାନ୍ତି ? ଏଇଠି ସେ ବସିଥିଲେ, ସାଙ୍ଗେ ସାଙ୍ଗେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ କେଜାଣି ? ସେ ଅବା ଥିଲେ ତାଙ୍କ ସାଙ୍ଗରେ ଦୁଃଖ ସୁଖ ହୋଇ ଏଇ ସମୟଟାକୁ ଅତିବାହିତ କରିହୋଇଥାଆନ୍ତା ।

 

ଅନୁରାଧାଙ୍କୁ ଆଉ କିଛି ଭଲ ଲାଗିଲା ନାହିଁ । ସେ ନିଜ ଚେୟାରରୁ ଉଠିପଡ଼ି ଏପାଖ ସେପାଖ ଘୂରିବାରେ ଲାଗିଲେ ।

ଓଃ, ମୁଣ୍ଡଟା ଅସ୍ୱାଭାବିକ ଭାବରେ ବଥାଇଉଠୁଛି । ଦେହଟା ମଧ୍ୟ କି ଏକ ଅବ୍ୟକ୍ତ ଯନ୍ତ୍ରଣାରେ ସତେ ଯେପରି ଛଟପଟ ହେଉଛି ।

ଏମାନେ ଗଲେ କୁଆଡ଼େ ? ପ୍ରଖ୍ୟାତ ଗୁଇନ୍ଦା ମେଘନାଦ ସାହାଣୀ ଆସି ମାନଧାତା ବାବୁଙ୍କୁ କ’ଣ ପଚାରୁଛି ? କ’ଣ ଖୋଜ୍‌ ନେଉଛି ?

ଅନୁରାଧାର ମନ ସନ୍ଦେହରେ ଆଚ୍ଛନ୍ନ ହୋଇଗଲା । ସେ ଚାଲିଆସିଲା ବିରାଟ ହଲ୍‌ର ବାହାର ପାଖକୁ ।

କାହାନ୍ତି ? ଗଲେ କୁଆଡ଼େ ? ସେମାନେ କ’ଣ ବାହାରକୁ ଚାଲିଗଲେ ?

ଅନୁରାଧା ଚାଲିଆସିଲା ଘରର ପ୍ରଧାନ ଗେଟ୍‌ ସାମନାକୁ ଜିପ୍‌ ଥୁଆ ହୋଇଛି । ସମ୍ଭବତଃ ମେଘନାଦ ସାହାଣୀ ପ୍ରଯୋଜକ ମାନଧାତାଙ୍କ ସହିତ ଏଇ ଘର ଭିତରେ କେଉଁଠାରେ ବସି ଆଲୋଚନା ଚଳାଇଛନ୍ତି ।

ଅନୁରାଧା ଚାହିଁଲା ଦୂରକୁ । ନଳିନୀରଞ୍ଜନ ଆସୁଛନ୍ତି ଏକାକୀ ସିଗାରେଟ୍‌ ଟାଣି ଟାଣି । ତାଙ୍କ ମନ ସତେ ଯେପରି ଗଭୀର ଚିନ୍ତାରେ ଭାରାକ୍ରାନ୍ତ ହୋଇପଡ଼ିଛି । ସେ ଯେମିତି କୂଳ କିନାରା ପାଉ ନାହାନ୍ତି ।

ଅନୁରାଧା ନଳିନୀରଞ୍ଜନଙ୍କ ଆସିବା ବାଟକୁ ଅପେକ୍ଷା କରି ରହିଛି ।

ଅନ୍ୟ ଅଭିନେତା ଅଭିନେତ୍ରୀ ଓ ସହକର୍ମୀମାନେ ନାନା ଆଳାପ ଆଲୋଚନା ପରେ ପୁଣି ଫେରିଗଲେଣି ସେଇ ଲମ୍ବା ହଲକୁ ।

ନଳିନୀରଞ୍ଜନ ଆସି ପହଞ୍ଚିଗଲେ ।

ଅନୁରାଧା କହିଲେ– ତମେ କୁଆଡ଼େ ଯାଇଥିଲ ନଳିନୀରଞ୍ଜନ ? ମତେ କିଛି ଭଲ ଲାଗୁନାହିଁ । ମିଃ ସାହାଣୀଙ୍କ ଆସିବା ପଛରେ ସମ୍ଭବତଃ କିଛି ରହସ୍ୟ ଛପି ରହିଛି ।

ନଳିନୀରଞ୍ଜନ ଅନୁରାଧାଙ୍କ ପାଖକୁ ଲାଗି ଆସି ତାଙ୍କ କାନ ପାଖରେ ଥିରି ଥିରି କହିଲେ–ଛନ୍ଦାର ମୃତ୍ୟୁ ରହସ୍ୟ ଉଦ୍‌ଘାଟନ କରିବା ପାଇଁ ଏବେ ମିଃ ସାହାଣୀ ସମସ୍ତ ଦାୟିତ୍ୱ ନେଇଛନ୍ତି ଅନୁରାଧା । ସେଥିପାଇଁ ସେ ଆଜି ଆସିଛନ୍ତି ଏଠାକୁ ।

—ମାନଧାତା ବାବୁଙ୍କୁ ଡାକିବାର ଉଦ୍ଦେଶ୍ୟ କ’ଣ ?

—ଛନ୍ଦା ସମ୍ପର୍କରେ ଯଦି କିଛି ଖବର ମିଳିଯାଏ, ସେହି ଉଦ୍ଦେଶ୍ୟରେ ନିଶ୍ଚୟ ଆସିଛନ୍ତି-। ମୃତ୍ୟୁ ସମ୍ପର୍କରେ ନାନା ସୋସ ବାହାର କରିବା ସେମାନଙ୍କର ଚିରାଚରିତ ଅଭ୍ୟାସ-। ତମେ କାହିଁକି ଏପରି ଦୁର୍ବଳ ହୋଇ ଉଠିଛ ଅନୁରାଧା ?

–ନାଁ, ମୁଁ ତ ଦୁର୍ବଳ ହେଉନି ନଳିନୀରଞ୍ଜନ । ମାତ୍ର ତମର ଆକସ୍ମିକ ଅନୁପସ୍ଥିତି ମୋତେ ନିତାନ୍ତ ଦୁର୍ବଳ କରିଦେଇଥିଲା । କିନ୍ତୁ ଏବେ ତମର ଉପସ୍ଥିତିରେ ମୁଁ ବେଶ୍‌ ମାନସିକ ସୁସ୍ଥତା ଅନୁଭବ କରୁଛି । କିନ୍ତୁ ତମେ କାହିଁକି ତଳକୁ ମୁହଁପୋତି ମୌନ ଗମ୍ଭୀର ହୋଇ ଚାଲି ଆସୁଥିଲ ?

 

ଏବେ ମଧ୍ୟ ନଳିନୀରଞ୍ଜନଙ୍କ ଛାତି ଭିତରେ କିଏ ଯେମିତି ହାତୁଡ଼ିରେ ପିଟିବାରେ ଲାଗିଛି । ସେ ଯେତେ ଚେଷ୍ଟା କରୁଛନ୍ତି ଦୃଢ଼ ହେବାକୁ, ଶକ୍ତ ହେବାକୁ, ସେତେ ସେ ଦୁର୍ବଳ ହୋଇ ଉଠୁଛନ୍ତି । ଓଠରେ କୃତ୍ରିମ ହସ ଉକୁଟାଇ ନଳିନୀରଞ୍ଜନ କହିଲେ ସେଥିପାଇଁ ଆମର ବିଚଳିତ ହେବାର କୌଣସି କାରଣ ନାହିଁ ଅନୁରାଧା । ମୁଁ ଆସୁଥିଲି ‘ଆଦିବାସୀ’ ଚିତ୍ରର କୃତକାର୍ଯ୍ୟତା ସମ୍ପର୍କରେ ଭାବି ଭାବି । ତେଣୁ ସମ୍ଭବତଃ ଏଇ ଧାରଣା ତମେ କରୁଛ । ମୁଁ ଠିକ୍‌ ଅଛି । ମୋ ପାଇଁ ତମର ବ୍ୟସ୍ତ ଓ ଚିନ୍ତିତ ହେବାର କୌଣସି କାରଣ ନାହିଁ ।

 

ଅନୁରାଧାର ସାହସ ସଂଚାର ହେଲା । ମୁହୂର୍ତ୍ତକ ପୂର୍ବରୁ ସେ ଯେଉଁ ଅସ୍ୱାଭାବିକତା ଅନୁଭବ କରୁଥିଲା, ନଳିନୀରଞ୍ଜନଙ୍କ ଉପସ୍ଥିତିରେ ସେସବୁ ହଠାତ୍‌ ଦୂରେଇଗଲା ।

 

ଅନୁରାଧା ସାହସ ସଞ୍ଚୟ କରି କହିଲା– ମୁଁ ବ୍ୟସ୍ତ, ବିବ୍ରତ ହେଉନାହିଁ ନଳିନୀରଞ୍ଜନ । ତମର ଅନୁପସ୍ଥିତି ପାଇଁ ମୁଁ ବିଚଳିତ ହୋଇ ଉଠୁଥିଲି । ଏବେ ଚାଲ, ଆମେ ଯିବା ହଲ୍‌ ଭିତରକୁ ।

 

—ଚାଲ ।

 

ଦୁହେଁ ପୁଣି ହାତ ଧରାଧରି ହୋଇ ହଲ୍‌ ଭିତରକୁ ଗଲେ । ହଲ୍‌ ଭିତର ବାତାବରଣ ଏପର୍ଯ୍ୟନ୍ତ ଶାନ୍ତ ପଡ଼ିନାହିଁ । କେହି କେହି ଇତସ୍ତତଃ ବୁଲୁଛନ୍ତି–ଗପ କହିବାରେ ଲାଗିଛନ୍ତି ।

 

ମାତ୍ର ସୁରିତ୍‌ କୁମାର ଯେଉଁ ସ୍ଥାନରେ ଆଲୋଚନା ଆରମ୍ଭ ହେବାପରଠାରୁ ବସିଥିଲେ, ସେହି ସ୍ଥାନରେ ଏବେ ସୁଦ୍ଧା ବସିଛନ୍ତି । କାହାରି ସହିତ କଥାବାର୍ତ୍ତା ନାହିଁ, ଆଳାପ ଆଲୋଚନା ନାହିଁ । ସେ ଭାବିଚାଲିଛନ୍ତି ଛନ୍ଦା କଥା.....

 

ଅନୁରାଧା ଧୀରେ ଧୀରେ ନଳିନୀରଞ୍ଜନଙ୍କ କାନ ପାଖରେ କହିଲେ– ଦେଖିଲଣି ନଳିନୀରଞ୍ଜନ, ସମସ୍ତେ ଏଣେ ତେଣେ ବୁଲି ବୁଲି ଗପ କରୁଛନ୍ତି–ଦୁଃଖ ସୁଖ ହେଉଛନ୍ତି; କିନ୍ତୁ ସୁରିତ୍‌ କୁମାର ବସିଛନ୍ତି ଏକାକୀ । କାହା ସହିତ ତାଙ୍କର ଯେପରି ସମ୍ପର୍କ ନାହିଁ ।

 

ନଳିନୀରଞ୍ଜନ ଅନୁରୂପ ସ୍ୱରରେ କହିଲେ– ଛନ୍ଦାର ବିରହରେ ସୁରିତ କୁମାରଙ୍କ ସୁନାର ଭବିଷ୍ୟତ ପୋଡ଼ି ଛାରଖାର ହୋଇଯାଇଛି ଅନୁରାଧା । ସୁତରାଂ ସେ ଚିନ୍ତିତ ନ ହେବେ କିପରି ?

 

ଦୁହେଁ ଚୁପ୍‌ଚୁପ୍‌ କଥାବାର୍ତ୍ତା ହୋଇ ହଲ୍‌ର ଦ୍ୱାରଦେଶକୁ ଚାହିଁଲାବେଳେ ହଠାତ୍‌ ଗମ୍ଭୀର ହୋଇ ପଶିଆସିଲେ ମାନଧାତା ବାବୁ । ତାଙ୍କ ସାଙ୍ଗରେ ଥିଲେ ନିର୍ଦ୍ଦେଶକ ରାୟସିଂହ ।

 

ତାଙ୍କୁ ହଲ୍‌ ଭିତରକୁ ପ୍ରବେଶ କରୁଥିବାର ଦେଖି ସମସ୍ତ ଅଭିନେତା, ଅଭିନେତ୍ରୀ, ସହକର୍ମୀ ଓ ସହଯୋଗୀ ପଶିଆସିଲେ ଘର ଭିତରକୁ ।

 

ବୈଠକ ଯଥାରୀତି ଆରମ୍ଭ ହେଲା ।

 

ଉତ୍କଳ ମଡ଼ର୍ଣ୍ଣ ଫିଲମ୍‌ ପ୍ରଡ଼କ୍‌ସନର ଏହି ବୈଠକରେ ଆସନ୍ତାକାଲି ସୁଟିଂ ଉଦ୍ଦେଶ୍ୟରେ କୋରାପୁଟ ଯିବାର ସିଦ୍ଧାନ୍ତ ହୋଇଗଲା ।

 

ସମସ୍ତେ ଫେରିଲେ ନିଜ ନିଜ ଘରକୁ ।

 

ସନ୍ଧ୍ୟା ହୋଇଆସୁଛି....

 

ବ୍ରଜେନ୍ଦ୍ର ପେଦିନୀ ଘରର ଆଲୋକ ଜାଳିଛନ୍ତି । ଏକାକୀ ନିଜ ଘରେ ବସି ‘ଭବନ ଜର୍ଣ୍ଣାଲ’ ପଢ଼ିବାରେ ମନ ଲଗାଇଛନ୍ତି ।

 

ଆଜିକୁ ଚାରିଦିନ ହେଲା ସୁରିତ୍‌ କୁମାର ତାଙ୍କ ପାଖକୁ ଆସୁନାହିଁ । ‘ଆଦିବାସୀ’ ଚିତ୍ରର ସୁଟିଂ ଉଦ୍ଦେଶ୍ୟରେ ସେ ଚାଲିଯାଇଛି କୋରାପୁଟ ।

 

ବ୍ରଜେନ୍ଦ୍ର ଦିନକୁ ଦିନ ବଡ଼ ଅସହ୍ୟ ବୋଧ କରୁଛନ୍ତି । ଏଡ଼େ ବଡ଼ ବିରାଟ ବାସଭବନରେ, ଏକାକୀ ସେ ରହିବେ ? କେହି ସାଙ୍ଗ ନାହିଁ–ସଖା ନାହିଁ–ବନ୍ଧୁ ନାହିଁ–ଦୋସର ନାହିଁ କେହି ଆସି ତାଙ୍କ ସାଙ୍ଗରେ ଗଳ୍ପ କଲେ, ଆଳାପ ଆଲୋଚନା ଜମାଇଲେ, ଏଇ ନିଃସଙ୍ଗତା ଅନେକ ପରିମାଣରେ ହୁଏତ କଟିଯାଆନ୍ତା ।

 

ବ୍ରଜେନ୍ଦ୍ର ବାବୁ ବାଧ୍ୟ ହୋଇ ସନ୍ଧ୍ୟାଟା କଟାଇବାପାଇଁ ପୁଣି ‘ଭବନ ଜର୍ଣ୍ଣାଲ’ରେ ମନ ଲଗାଇଲେ ।

 

ତାଙ୍କ ବାସଭବନର ବାହାର ପଟରୁ କବାଟ ଉପରେ କିଏ କରାଘାତ କରୁଛି....

 

ବାରମ୍ବାର କରାଘାତର ଧ୍ୱନି....

 

ବ୍ରଜେନ୍ଦ୍ର ବାବୁ ବିରକ୍ତ ହୋଇ ବସିବା ସ୍ଥାନରୁ ଉଠିଆସି କବାଟ ଖୋଲିଦେଲେ ।

 

ମେଘନାଦ ସାହାଣୀ ହଠାତ୍‌ ତାଙ୍କୁ ହାତଯୋଡ଼ି ନମସ୍କାର ଜଣାଇଲେ ।

 

ବ୍ରଜେନ୍ଦ୍ର ବାବୁ କ୍ଷୀଣ ବିଦ୍ୟୁତ୍‌ ଆଲୋକରେ ଚାହିଁ ରହିଲେ ମେଘନାଦଙ୍କୁ....

 

ମେଘନାଦ ନମସ୍କାର କରି କହିଲେ– ଆପଣ ବୋଧହୁଏ ମତେ ଚିହ୍ନିପାରୁ ନ ଥିବେ ମଉସା ! ମୁଁ ମେଘନାଦ । ଆପଣଙ୍କ ସଞ୍ଜୟର ପଢ଼ାସାଥି–

 

ବ୍ରଜେନ୍ଦ୍ର ବାବୁଙ୍କ ମନ ହଠାତ୍‌ ପଚିଶି ତିରିଶ ବର୍ଷ ପଛକୁ ଫେରିଗଲା । ସଞ୍ଜୟର ପଢ଼ାସାଙ୍ଗ ମେଘନାଦ । କଲେଜରେ ସଞ୍ଜୟ ପଢ଼ୁଥିଲା ବେଳେ ତାଙ୍କ ଘରକୁ ମେଘନାଦ ପ୍ରାୟ ପ୍ରତିଦିନ ଆସେ । ତାଙ୍କ ସ୍ତ୍ରୀ ଦୁହିଙ୍କୁ ଖାଇବାକୁ ଦିଅନ୍ତି, ସ୍ନେହ ଶ୍ରଦ୍ଧା କରନ୍ତି ।

 

ତା’ ହେଲେ ଏଇ କ’ଣ ସେ ମେଘନାଦ ? କୁଆଡ଼େ ଆସିଛି ? କାହିଁକି ଆସିଛି ? ସଞ୍ଜୟର ମୃତ୍ୟୁ ପରେ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଗଲା । ସେ ରିଟାୟାଡ଼୍‌ କଲାପରେ ଘରେ ରହିଲା ଏକମାତ୍ର ଛନ୍ଦା । ଛନ୍ଦାର ମୃତ୍ୟୁ ହେବାର ପାଞ୍ଚ ଛ’ ମାସ ହୋଇଗଲାଣି ।

 

ଘର ଯେତେବେଳେ ଶୂନ୍ୟ ନୀରବତା ଓ ହାହାକାରରେ ଭାଜି ପଡ଼ୁଛି, ସେତେବେଳେ ମେଘନାଦ କାହିଁକି ଆସିଲା ? କିଏ ତାକୁ ସ୍ନେହ କରିବ ? ଆଦର କରିବ ? ଅଭ୍ୟର୍ଥନା ବାଢ଼ିବ ? ଏକ ଥୁଣ୍ଟା ବରଗଛ ପରି ସେ ଏକାକୀ ଏଇ ଘରେ ରହିଛନ୍ତି । କେତେବେଳେ ଯେ ପବନ ବହିବ, ଅଣଚାଶ ପିଟିବ, ତା’ର କଳନା ନାହିଁ । ସେଇ ଘୂର୍ଣ୍ଣି ଓ ଅଣଚାଶରେ ସେ ହୁଏତ କେଉଁଦିନ ସମସ୍ତଙ୍କ ଅଜ୍ଞାତରେ ଟଳିପଡ଼ିବେ ।

 

ମେଘନାଦଙ୍କୁ ସେଇ ପାଣିଚିଆ ଆଲୋକରେ ଭଲ କରି ଦେଖି ନ ପାରି ସେ କହିଲେ–ମୁଁ ତତେ ଭଲ କି ଦେଖିପାରୁନି ବାବା, ଏଇ ଅଳ୍ପ ଆଲୋକରେ, ଆ, ଘର ଭିତରକୁ ଆ । ବିଜୁଳି ଆଲୋକରେ ପରିଷ୍କାର ଭାବରେ ଦେଖିପାରିଲେ ତତେ ନିଶ୍ଚୟ ଚିହ୍ନିପାରିବି ବାବା ! ମୋ ଆଖିକି ଆଉ ଭଲ ଦିଶୁନାହିଁ ।

 

ବ୍ରଜେନ୍ଦ୍ର ଆଗେ ଆଗେ ଘର ଭିତରକୁ ଚାଲିଲେ । ତାଙ୍କ ପଛେ ପଛେ ଚାଲିଲେ ମେଘନାଦ ଓ ସରୋଜରଞ୍ଜନ ।

 

ବ୍ରଜେନ୍ଦ୍ର ବସିଲେ । ମେଘନାଦ ଓ ସରୋଜରଞ୍ଜନ ତାଙ୍କ ଚେୟାର ପାଖକୁ ଲାଗି ଅନ୍ୟ ଦୁଇଟି ଚେୟାରରେ ବସି ପଡ଼ିଲେ ।

 

ବ୍ରଜେନ୍ଦ୍ର ଶକ୍ତିଶାଳୀ ବିଜୁଳି ଆଲୋକରେ ମେଘନାଦଙ୍କୁ ଦେଖି ଓ ଚିହ୍ନି ପାରି କହିଲେ– ଏବେ ତତେ ଭଲ ଭାବରେ ଚିହ୍ନିପାରିଲି ବାବା, ସଞ୍ଜୟ ବଂଚିଥିଲା ବେଳେ ତା’ ପାଖକୁ କେତେ ସାଙ୍ଗ ସାଥି ତା’ର ଆସୁଥିଲେ । ଅଳସ ଦ୍ୱିପ୍ରହରଟା କଳମୁଖରିତ କରି ଏ ଘରର ଖଞ୍ଜା ଫଟାଇ ଦେଉଥିଲେ । କିନ୍ତୁ ତା’ର ଆତ୍ମହତ୍ୟାପରେ ଏ ଘରକୁ କେହି ଆସିଲେ ନାହିଁ । ତା’ର ସାଙ୍ଗ ସାଥିମାନଙ୍କର ପଦଧୂଳି ଏ ଘରର ମାଟିରେ ଆଉ ପଡ଼ିଲା ନାହିଁ ।

 

ବହୁଦିନ ପରେ, ଏଘରକୁ ଆସିବାକୁ ତୋର କ’ଣ ମନେପଡ଼ିଲା ବାବା ?

 

ବ୍ରଜେନ୍ଦ୍ର ବାବୁଙ୍କ ଲୋଳିତ ଗଣ୍ଡଦେଶରେ ଅଶ୍ରୁ ଦୁଇ ବିନ୍ଦୁ ଗଡ଼ିପଡ଼ିଲା ।

 

ମେଘନାଦ ବାବୁ କହିଲେ– ସଞ୍ଜୟ ଟ୍ରେନ୍‌ତଳେ ଆତ୍ମ–ହତ୍ୟା କରିବା ପରେ ପରେ ମୋ ମନ ଭାଙ୍ଗିପଡ଼ିଲା ମଉସା । ତା’ ପାଇଁ ପ୍ରାୟ ଏକବର୍ଷକାଳ ଗଭୀର ଦୁଃଖରେ ମୁଁ କାଳ କାଟିଛି । ତା’ପରେ ଶୁଣିଲି ମାଉସୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ଆପଣଙ୍କର ଏ ଦାରୁଣ ଦୁର୍ଦ୍ଦିନରେ ଆପଣଙ୍କୁ ଆଶ୍ୱସନା ଦେବାଭଳି ଧୈର୍ଯ୍ୟ ନ ଥିବାରୁ ଆପଣଙ୍କୁ ସାକ୍ଷାତ କରିବାକୁ ଆସିପାରୁ ନ ଥିଲି ।

 

ବ୍ରଜେନ୍ଦ୍ର ବାବୁଙ୍କ କଣ୍ଠ ବାଷ୍ପାକୁଳ ହୋଇଉଠିଲା । ସେ ଆବେଗଭରା କଣ୍ଠରେ କହିଲେ– ମୋରି ଆଗରୁ ଗୋଟି ଗୋଟି ହୋଇ ସବୁ ଚାଲିଗଲେ ବାବା; ଏଇ ନିର୍ଲ୍ଲଜ୍ଜ ଜୀବନ ନେଇ ମୁଁ ବଞ୍ଚି ରହିଛି । ତମେମାନେ ଆଉ କାହିଁକି ଆସିବ ବାବା ? ତମର ବନ୍ଧୁ ସଞ୍ଚୟ ନାହିଁ–ତମର ମାତୃପ୍ରତିମ ମାଉସୀ ମଧ୍ୟ ମୋ ଠାରୁ ଚିରଦିନ ପାଇଁ ବିଦାୟ ନେଇ ଚାଲିଯାଇଛି ।

 

ସମସ୍ତଙ୍କ ମୃତ୍ୟୁ ଦେଖି ସାରିଲାପରେ ଏକମାତ୍ର ଅଲିଅଳୀ କନ୍ୟାର ମୃତ୍ୟୁ ମଧ୍ୟ ଦେଖିଲି । ମୋ ଜୀବନଟା ଜଳିଯାଇଛି ବାବା ! କ’ଣ ଆଉ ତମେ ଦେଖିବାକୁ ଆସିଛ ?

 

ମେଘନାଦ ସହାନୁଭୂତି ଜଣାଇ କହିଲେ– ମୁଁ ସବୁ ଶୁଣିଛି ମଉସା ! ଆପଣଙ୍କ ଜୀବନରେ ଏଡ଼େ ବିରାଟ ଧକ୍‌କା ଆସିବ ବୋଲି ମୁଁ କେବେହେଲେ କଳ୍ପନା କରି ନଥିଲି । ଭାଗ୍ୟରେ ଯାହା ଲେଖା ଯାଇଛି, ତାହା ଆପଣଙ୍କୁ ଭୋଗିବାକୁ ପଡ଼ିବ ମଉସା !

 

ବ୍ରଜେନ୍ଦ୍ର ବାବୁ ନୀରବ ରହିଲେ ।

 

ମେଘନାଦ ବାବୁ କହିଲେ– ଆପଣଙ୍କ ପାଖକୁ ଯେଉଁ ଉଦ୍ଦେଶ୍ୟରେ ମୁଁ ଆସିଛି ମଉସା, ତାହା ହୁଏତ ଆପଣ ଶୁଣି ନ ଥିବେ । ମୋ ଆସିବା ପଛରେ ନିଶ୍ଚୟ ଏକ ଉଦ୍ଦେଶ୍ୟ ଅଛି ।

 

ବ୍ରଜେନ୍ଦ୍ର ବାବୁ ମେଘନାଦଙ୍କୁ ଏକ ଅର୍ଥପୂର୍ଣ୍ଣ ନୟନରେ ଚାହିଁ ରହିଲେ ।

 

ମେଘନାଦ ଆରମ୍ଭ କଲେ– ପେଷାଦାର ଗୁଇନ୍ଦା ରୂପେ ଆଜିକୁ ଦଶବର୍ଷ ହେଲା ମୁଁ ଚାକିରି କରି ଆସୁଛି ମଉସା । ଚାକିରି ଜୀବନର ଘଟଣାପ୍ରବାହରେ ଛନ୍ଦାର ମୃତ୍ୟୁ ରହସ୍ୟ ତଦନ୍ତ କରିବାକୁ ମତେ ଦାୟିତ୍ୱ ଦିଆଯାଇଛି ।

 

ଛନ୍ଦାର ମୃତ୍ୟୁ ସମ୍ପର୍କରେ ସମସ୍ତ ଘଟଣା ଆଉ ଖୁବ୍‌ ଅଳ୍ପଦିନ ପରେ ଆଲୋକକୁ ଆସିଯିବ । ତା’ ମୃତ୍ୟୁର ସମସ୍ତ ଅନ୍ଧକାର ଦୂର ହୋଇ ହୋଇ ଆସୁଛି-। ମୁଁ ଆଜି ଆସିଛି ଆପଣ କିପରି ଭାବରେ ସମୟ ଅତିବାହିତ କରୁଛନ୍ତି, ତାହାହିଁ ଦେଖିବାକୁ-

 

ବ୍ରଜେନ୍ଦ୍ର ବାବୁ କହିଲେ– ଆଉ କାହିଁକି ବାବା ? ଛନ୍ଦା ମୋର ଆଉ କ’ଣ ଫେରିବ ? ଥାନା ଇନ୍‌ଚାର୍ଯ ଅଫିସର ଓ ସିଟି ଇନିସ୍‍ପେକ୍ଟର ପାଟଶାଣୀ ଛନ୍ଦାର ମୃତ୍ୟୁ ସମ୍ପର୍କରେ ତ ତଦନ୍ତ ଚଳାଇଥିଲେ । କାହିଁ, ଫଳ କ’ଣ ହେଲା ? ତମ ପୋଲିସ୍‌ମାନଙ୍କର ସେ ଏକ ଚାଲବାଜୀ ମେଘନାଦ ! ଗୁଡ଼ିଏ ତମ୍ବି ତୋଫାନ କରି ପ୍ରଥମେ ପ୍ରଥମେ ପୋଲିସ୍‌ ବିଭାଗ ଚିତ୍କାର କରିପାରେ । ମାତ୍ର ତା’ ପରେ ହଠାତ୍‌ ନଦୀଗର୍ଭରୁ ବନ୍ୟା ଛାଡ଼ିଲାପରି ପୋଲିସ ବିଭାଗର ସମସ୍ତ ଗର୍ଜ୍ଜନ କୁଆଡ଼େ ଉଭେଇଯାଏ ।

 

ମେଘନାଦ କହିଲେ– ସାଧାରଣ ପୋଲିସ୍‌ ବିଭାଗ ଆମକୁ ଅନୁସନ୍ଧାନ କରିବାପାଇଁ ଦାୟିତ୍ୱ ଦେଇ ସାରିଛନ୍ତି । ତେଣୁ ପୋଲିସ ବିଭାଗ ଉପରେ ଆପଣଙ୍କର ଯେଉଁ ଧାରଣା, ସେ ଧାରଣା ଆଉ ଅଳ୍ପଦିନପରେ ବଦଳିଯିବ ।

 

ବ୍ରଜେନ୍ଦ୍ର ବାବୁ କହିଲେ– ତୋ ସମ୍ପର୍କରେ ଅନେକ ଆଗରୁ ଖବର ରଖିଛି ବାବା । ଓଡ଼ିଶାରେ ତୁ ହୋଇଛୁ ଅନୁସନ୍ଧାନ ବିଶେଷଜ୍ଞ । ତୋର ଯଶ, ଖ୍ୟାତି ଓ ପ୍ରଶଂସା ସାରା ଓଡ଼ିଶାରେ ବ୍ୟାପିଯାଇଛି ।

 

ଆଚ୍ଛା କହିପାରିବୁ ବାବା, ଛନ୍ଦାର ମୃତ୍ୟୁ ସମ୍ପର୍କରେ କେତେବାଟ ତୁ ପ୍ରୋସିଡ଼୍‍ କଲୁଣି ?

 

—ଆଉ ଅଳ୍ପଦିନ ଅପେକ୍ଷା କର ମଉସା–ସବୁ ରହସ୍ୟ ପଦାରେ ପଡ଼ିଯିବ ।

 

—କିଏ ଏଥି ସହିତ ସଂପୃକ୍ତ ବାବା, ତା’ ନାଁ ଟିକିଏ ଦୟାକରି କହିବୁ କି ?

 

—କ୍ଷମା କରିବେ ମଉସା, ସେ ବିଷୟରେ ଆପଣଙ୍କୁ ନିର୍ଦ୍ଦିଷ୍ଟ ଭାବରେ ମୁଁ କିଛି କହିପାରୁ ନାହିଁ । ସମୟ ଆସିଲେ ସବୁ ଖବର ଆପଣଙ୍କ ପାଖରେ ଆପେ ଆପେ ପହଞ୍ଚିବ । ସେ ବିଷୟରେ ଆଉ କିଛି ଅଧିକ ପ୍ରଶ୍ନ ପଚାରନ୍ତୁ ନାହିଁ ।

 

ବ୍ରଜେନ୍ଦ୍ର ବାବୁ ମେଘନାଦଙ୍କ ଠାରୁ ଏଭଳି କଥା ଶୁଣି ମୌନ ରହିଲେ ।

 

ମେଘନାଦ ବାବୁ କହିଲେ– ଆପଣ କେମିତି ଚଳୁଛନ୍ତି ମଉସା ?

 

—ହୋଟେଲର ବୟ ଆସି ମୋତେ ଟିଫିନ୍‌ କେରିଅର୍‌ରେ ଖାଇବାକୁ ଦେଇଯାଏ । କେବଳ ବଞ୍ଚିବା ପାଇଁ ସେତକ ମୁଁ ଖାଏଁ । ସୁରିତ୍‌ କୁମାର ଥିଲାବେଳେ ପ୍ରତିଦିନ ଆସୁଥିଲା ମୋ ଘରକୁ । ମୋ ଜୀବନର ଗଦ୍ୟରେ ପାଣ୍ଡୁଲିପିମୟ ସେ ସୃଷ୍ଟି କରେ ପଦ୍ୟର ପ୍ରାଣମୟ, ମୋହମୟ ମୂର୍ଚ୍ଛନା । ଆଜିକୁ ପନ୍ଦରଦିନ ହେଲା ଏଇ ଅସହାୟ, ନିଃସ୍ୱ ଓ ଦରିଦ୍ର ବୁଢ଼ାଟାକୁ ଏକାକୀ ଛାଡ଼ିଦେଇ ସେ ଚାଲିଯାଇଛି କୋରାପୁଟ ବାବା । ଏଇ ପନ୍ଦର ଦିନ ହେଲା ପୁଣି ଜୀବନଟା ହୋଇଉଠିଛି ଗଦ୍ୟମୟ, ଶୁଷ୍କ, ନୀରସ, ପ୍ରାଣହୀନ ।

 

—ଗୋଟିଏ ଅନୁରୋଧ ମୋର ରକ୍ଷା କରିବେ ମଉସା ?

 

—କଣ କହ ବାବା ?

 

—ଆପଣଙ୍କୁ ଏଡ଼େ ବିରାଟ ଘରେ ରହିବାକୁ ନିହାତି ଅସୁବିଧା ବୋଧ ହେଉଥିବ । ଆପଣ ଯଦି କିଛି ମନେ ନ କରନ୍ତି, ତା’ହେଲେ ମୋ ସହିତ ଆମ ଘରକୁ ଚାଲନ୍ତୁ ।

 

ବ୍ରଜେନ୍ଦ୍ର ବାବୁ ଚମକି ଉଠିଲେ । ଆଖିପତା ତାଙ୍କର ବିସ୍ମୟରେ ଟେକି ହୋଇଗଲା ।

 

ସେ କହିଲେ– ଏ କି ଅଦ୍ଭୁତ ପ୍ରସ୍ତାବ ବାବା ? ଏ ଘର ଛାଡ଼ି ମୁଁ କୁଆଡ଼ିକି ଯିବି ? ଜୀବନର ଶେଷ ନିଶ୍ୱାସ ଏଇ ଘରେ ମିଳାଇଯିବ । ଘରର ସମସ୍ତଙ୍କୁ ଗୋଟି ଗୋଟି କରି ବିଦାୟ ଦେଇ ଏ ଘରେ ତଥାପି ମୁଁ ରହି ପାରିଛି, ବାବା । ତୋ ଘରକୁ ମୁଁ କାହିଁକି ଯିବି ? ତୋର ସଶ୍ରଦ୍ଧ ଅନୁରୋଧ ରକ୍ଷାକରି ନ ପାରି ବାସ୍ତବିକ୍‌ ଦୁଃଖିତ । ଆଶାକରେ ତୁ କିଛି ଭାବିବୁ ନାହିଁ ।

 

ମେଘନାଦ ବ୍ରଜେନ୍ଦ୍ରଙ୍କର ରୋକ୍‌ଠୋକ୍‌ ଉତ୍ତରରେ ନୀରବ ରହିଲେ । ବ୍ରଜେନ୍ଦ୍ରଙ୍କର ଏଭଳି ଉତ୍ତର ଶୁଣି ସାରିଲା ପରେ ସେ ଆଉ କିପରି ବା ଅନୁରୋଧ କରିବେ ?

 

ମେଘନାଦ କହିଲେ– ତା’ହେଲେ ଆମେ ଯାଉଛୁ ମଉସା ! ଆପଣଙ୍କ ଇଚ୍ଛା ବିରୁଦ୍ଧରେ ଆଉ ଅନୁରୋଧ କରିବା ମୋ ପକ୍ଷେ ଉଚିତ୍‌ ହେବ ନାହିଁ । କିନ୍ତୁ ଛନ୍ଦାର ମୃତ୍ୟୁ ସମ୍ପର୍କରେ ସମସ୍ତ ରହସ୍ୟ ଯେତେବେଳେ ପଦାରେ ପଡ଼ିବ, ଠିକ୍‌ ତା’ ପରଦିନ ମୁଁ ଆପଣଙ୍କ ପାଖକୁ ଆସିବି । ଆମେ ଯାଉଛୁ ।

 

ମେଘନାଦ ଓ ସରୋରଞ୍ଜନ ଉଠି ପଡ଼ିଲେ ।

 

ସେମାନେ ନମସ୍କାର ହୋଇ, ବିଦାୟ ନେଲେ......

 

ବ୍ରଜେନ୍ଦ୍ର ଘର ଭିତରୁ କବାଟ ଲଗାଇଲେ ।

 

ଉତ୍କଳ ମଡ଼ର୍ଣ୍ଣ ଫିଲମ୍‌ ପ୍ରଡ଼୍‌କ୍‌ସନ୍‌ର କ୍ୟାମ୍ପ ପଡ଼ିଛି ଜୟପୁର ସହରରେ ।

 

ସୁଟିଂ ଆରମ୍ଭ ହେବାର ପ୍ରାୟ ସତର ଦିନ ବତିଗଲାଣି । ନିତି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସୁଟିଂ କାମ ଆଗେଇ ଚାଲିଛି ।

 

ମେଘନାଦ ଓ ସରୋଜରଞ୍ଜନ ଗତ କାଲି ଜୟପୁରରେ ପହଞ୍ଚିଛନ୍ତି । ଛନ୍ଦାର ମୃତ୍ୟୁ ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ସେମାନେ ଓଡ଼ିଶାର ଅନ୍ୟ ବାରଟି ଜିଲାରେ ଗ୍ରସ୍ତ ସମାପ୍ତ କରି ଏବେ ଆସିଛନ୍ତି କୋରାପୁଟ ଜିଲାକୁ । ଏଇଠାରେ ସମ୍ଭବତଃ ଛନ୍ଦାର ମୃତ୍ୟୁ ନାଟିକାର ଯବନିକା ପତନ ହେବ ।

 

ଜୟପୁରର ଏକ ଧର୍ମଶଳାରେ ରହୁଛନ୍ତି ଅନୁରାଧା ଓ ନଳିନୀରଞ୍ଜନ । ଆଦିବାସୀ ଅଧ୍ୟୁଷିତ ଜୟପୁରର ଉପକଣ୍ଠ ଅଞ୍ଚଳରେ ଫିଲମ୍‌ ପ୍ରଡ଼କ୍‌ସନ୍‌ ଜିପ୍‌ରେ ଘୂରି ଘୂରି ବେଶ୍‌ ନୂଆ ଅନୁଭୂତି ଅର୍ଜନ କରୁଛନ୍ତି ।

 

ସେଦିନ ସନ୍ଧ୍ୟାବେଳ । ଜୟପୁର ସହରକୁ ଶୀତ ସନ୍ଧ୍ୟାର ଅନ୍ଧକାର ଧୀରେ ଧୀରେ ଆଛନ୍ନ କରୁଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ଜଳିଉଠୁଥିଲା ବିଦ୍ୟୁତ୍‌ଆଲୋକ ମାଳା ।

 

ମେଘନାଦ ଓ ସରୋଜରଞ୍ଜନ ଶୀତ ସନ୍ଧ୍ୟାରେ ନିଜ ଦେହକୁ ଗରମ ପୋଷାକରେ ଆବୃତ କରି ସେଇ ଧର୍ମଶାଳା ଆଡ଼କୁ ଚାଲିଲେ ।

 

ନଳିନୀରଞ୍ଜନ ସେତେବେଳେ ଧର୍ମଶାଳାରେ ନ ଥିଲେ ।

 

ଏକାକିନୀ ଅନୁରାଧା ଟ୍ରାନ୍‌ଜିଷ୍ଟର ରେଡ଼ିଓ ଖୋଲି ଗୀତ ଶୁଣିବାରେ ଲାଗିଛି ।

 

ମେଘନାଦ ଓ ସରୋଜରଞ୍ଜନ ତଳ ମହଲା ଅତିକ୍ରମ କରି ଉପର ମହଲାକୁ ଉଠିଲେ ।

 

ଧର୍ମଶାଳାର ମ୍ୟାନେଜର ସେମାନଙ୍କୁ ଯେଉଁ କୋଠରୀର ସୂଚନା ଦେଇଥିଲେ, ଦୁହେଁଯାକ ସେଇ କୋଠରୀ ଆଡ଼କୁ ଆଗେଇ ଚାଲିଲେ ।

 

ଅନୁରାଧା ଟ୍ରାନ୍‌ଜିଷ୍ଟର ରେଡ଼ିଓର ସୁମଧୁର ସଙ୍ଗୀତ ପ୍ରାଣଭରି ଉପଭୋଗ କରୁଛି । ଏଇ ଗୀତ ଶୁଣୁ ଶୁଣୁ ଦୁନିଆଁର ସକଳ ଦ୍ୱନ୍ଦ, ଚିନ୍ତା ଓ ଦୁଃଖ ସତେ ଯେପରି ସେ ଭୁଲିଯାଇଛି । ଦୁନିଆଁଟା ତା’ ଆଗରେ ଯେପରି ସୁନ୍ଦର, ସୁଖମୟ ଓ ମଧୁର ମୂର୍ଚ୍ଛନାରେ ମୂର୍ଚ୍ଛିତ ।

 

ମେଘନାଦ ଓ ସରୋଜରଞ୍ଜନ ସେଇ କୋଠରୀ ନିକଟରେ ପହଞ୍ଚି କହିଲେ– ଏଇଟି କ’ଣ ଅନୁରାଧା ଦେବୀଙ୍କ କୋଠରୀ ?

 

ଅନୁରାଧା ଟ୍ରାନ୍‌ଜିଷ୍ଟର ରେଡ଼ିଓର ଭଲ୍ୟୁମ୍‌ କମାଇ ଦେଇ କହିଲେ– ମୁଁ ହେଉଛି ଅନୁରାଧା ଦେବୀ–ଆପଣ କାହାକୁ ଖୋଜୁଛନ୍ତି ?

 

ମେଘନାଦ ଓ ସରୋଜ ରଞ୍ଜନ ଉଭୟେ ନମସ୍କାର ଜଣାଇ କହିଲେ– ଆମେ ଆସିଥିଲୁ ଆପଣଙ୍କ ପାଖକୁ ଏକ ଦରକାରୀ କାର୍ଯ୍ୟରେ । ନଳିନୀରଞ୍ଜନ ବାବୁ କାହାନ୍ତି ?

 

ଅନୁରାଧା ଚେୟାରରୁ ଉଠିପଡ଼ି କହିଲେ– ଆସନ୍ତୁ ଆସନ୍ତୁ, ଆପଣ କେଉଁଠୁ ଆସିଛନ୍ତି-? ନଳିନୀରଞ୍ଜନ ବାବୁ ବର୍ତ୍ତମାନ ତ ଗଲେ ବାହାରକୁ । ସେ ଫେରୁ ଫେରୁ ସମ୍ଭବତଃ ଘଣ୍ଟାଏ ଦୁଇ ଘଣ୍ଟା ଡେରି ହୋଇପାରେ । ଆପଣମାନଙ୍କର କାମ କ’ଣ କହନ୍ତୁ ?

 

ମେଘନାଦ ଓ ସରୋଜରଞ୍ଜନ ଦୁଇଟି ଚେୟାରରେ ବସି ପଡ଼ିଲେ । ଅନୁରାଧା ମଧ୍ୟ ନିଜ ଚେୟାରରେ ବସିଲା । ଅନୁରାଧା ଭାବିଲା ସମ୍ଭବତଃ ଏମାନେ ହୋଇଥିବେ କେଉଁ ଏକ ନୂତନ ଚଳଚ୍ଚିତ୍ରର ପ୍ରଯୋଜକ । ସେମାନେ ତା’ ସହିତ ଅଭିନୟ ସଂକ୍ରାନ୍ତରେ ବୋଧହୁଏ ଚୁକ୍ତିବଦ୍ଧ ହେବାକୁ ଆସିଛନ୍ତି ।

 

ମେଘନାଦ ବାବୁ କହିଲେ– ନଳିନୀରଞ୍ଜନ ବାବୁଙ୍କ ସମେତ ଆପଣଙ୍କ ସହିତ ଆମର କାମ ଅଛି ଅନୁରାଧା ଦେବୀ । ଦୁହିଁଙ୍କ ବ୍ୟତିରେକ ଆମର କାମ ଅସମ୍ପୂର୍ଣ୍ଣ ରହିଯିବ ।

 

ଅନୁରାଧା ଦେବୀ ଉଜ୍ଜ୍ୱଳ ସମ୍ଭାବନାର ସ୍ରୋତରେ ଭାସି ଭାସି କହିଲେ– ଆପଣଙ୍କର ପରିଚୟ ଦେଇ କାମଟା କ’ଣ କହନ୍ତୁ ଆଜ୍ଞା ! ତାଙ୍କ ଅନୁପସ୍ଥିତିରେ ମୁଁ ହୁଏତ କାମଟା ଚଳାଇ ଦେଇପାରିବି ।

 

ମେଘନାଦ ବାବୁ ଚତୁରତାର ସହିତ ହସି ହସି ପଚାରିଲେ– ତାଙ୍କ ପାଇଁ ଆପଣ ଯଦି ଜବାବ ଦେଇପାରିବେ, ତା’ହେଲେ ଆମର ଆସିବା ଉଦ୍ଦେଶ୍ୟ ସାର୍ଥକ ହେବ ଅନୁରାଧା ଦେବୀ । ସେ ପ୍ରତିଶ୍ରୁତି ପାଇଲେ ଆମେ ଆମର ବକ୍ତବ୍ୟ ଆରମ୍ଭ କରିବୁ ।

 

ଅନୁରାଧାଙ୍କ ପ୍ରଲୋଭନ ବେଳୁଁ ବେଳ ବଢ଼ିବାରେ ଲାଗିଛି । ତାଙ୍କର ବଦ୍ଧମୂଳ ଧାରଣା ହେଲା, ଏମାନେ ନିଶ୍ଚୟ ଚଳିଚିତ୍ରର ପ୍ରଯୋଜକ ହୋଇଥିବେ । ତା’ ନ ହୋଇଥିଲେ ଏକା ସାଙ୍ଗରେ ତାଙ୍କୁ ଏବଂ ନଳିନୀରଞ୍ଜନ ବାବୁଙ୍କୁ କାହିଁକି ଖୋଜନ୍ତେ !

 

ଅନୁରାଧା ପୁଣି ହସି ହସି କହିଲେ– ତାଙ୍କ ତରଫରୁ ମୁଁ ଯେଉଁ ଜବାବ୍‌ ଦେବି, ସେ ତାହା ରକ୍ଷା କରିବେ ବୋଲି ଧରି ନିଅନ୍ତୁ । ଏବେ ଆପଣଙ୍କ ପରିଚୟ ଦିଅନ୍ତୁ ।

 

ମେଘନାଦ ବାବୁ ଧୀରେ ଧୀରେ ଗମ୍ଭୀର ହୋଇଉଠିଲେ । ଉଲେନ୍‌ପୋଷାକ ସାଙ୍ଗକୁ ତାଙ୍କର ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁଖମଣ୍ଡଳ, ସତେ ଯେପରି ଏକ ପେଷାଦାର ଡିଟେକ୍‌ଟିଭର ପରିଚୟ ଦେଉଥିଲା । ତାଙ୍କର ସେଇ ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁଖମଣ୍ଡଳ ଦେଖି ସରୋଜରଞ୍ଜନ କୃତ୍ରିମ ଉପାୟରେ ଗମ୍ଭୀର ହେବାକୁ ଚେଷ୍ଟା କରୁଥିଲେ ।

 

ମେଘନାଦ ବାବୁ ଆରମ୍ଭ କଲେ– ଆମର ପରିଚୟ ଶୁଣିଲେ ଆପଣ ବିରକ୍ତି ପ୍ରକାଶ କରିବେନି ଅନୁରାଧା ଦେବୀ । ମୁଁ ହେଉଛି ପେଷାଦାର ଗୁଇନ୍ଦା ମେଘନାଦ ସାହାଣୀ–ଏ ହେଉଛନ୍ତି ମୋର ସହକର୍ମୀ ସରୋଜରଞ୍ଜନ ।

 

ଅନୁରାଧା ଦେବୀଙ୍କର ମୁହୂର୍ତ୍ତକ ପୂର୍ବର ଆନନ୍ଦ, ଉଲ୍ଲାସ ଓ ଭବିଷ୍ୟତର ଅକଳନା ରଙ୍ଗିନ୍‌ ସ୍ୱପ୍ନ ହଠାତ୍‌ ଉଭେଇଗଲା । ହାସ୍ୟ ପ୍ରସ୍ଫୁଟିତ ବିଲୋଳ ଓଷ୍ଠତୀରରେ ଖେଳି ବୁଲିଲା ଶୁଷ୍କ ହାହାକାରମୟ କାରୁଣ୍ୟ । ମୁଖମଣ୍ଡଳରେ ଭୟ ଓ ଆତଙ୍କର କଳାମେଘ ଅକସ୍ମାତ୍‌ ସଞ୍ଚରି ଉଠିଲା-

 

ଓଡ଼ିଶାର ପ୍ରଖ୍ୟାତ ପେଷାଦାର ଗୁଇନ୍ଦା ମେଘନାଦ ସାହାଣୀଙ୍କ ନାମ ସେ ଅନେକ ଥର ଶୁଣିଛି । ତାଙ୍କର ଯଶ ଖ୍ୟାତି ଓ ତଦନ୍ତ କରିବାର ଅଦ୍ଭୂତପୂର୍ବ ପାରଦର୍ଶିତା ସମ୍ପର୍କରେ ସେ ଖବର ରଖିଛି । ମାତ୍ର ଆଜି ଅକସ୍ମାତ୍‌ କୌଣସି କାରଣ ନ ଥାଇ ସେ କାହିଁକି ଏଠାରେ ? ପୁଣି ନଳିନୀରଞ୍ଜନକୁ ଖୋଜୁଛନ୍ତି କାହିଁକି ?

 

ଅନୁରାଧା ଆତଙ୍କରେ ଶିହରିଉଠିଲେ । ମାତ୍ର ଖୋଦ ମେଘନାଦଙ୍କ ସମ୍ମୁଖରେ ଏପରି ଦବିଗଲେ କ’ଣ ଚଳିବ ? ଏପରି ଭୟ ଓ ଆତଙ୍କରେ ଶିହରିଉଠିଲେ ମେଘନାଦଙ୍କ କବଳରୁ କ’ଣ ସେ ରକ୍ଷା ପାଇବ ?

 

ଅନୁରାଧାଙ୍କ ଅନ୍ତର ଭିତରଟା ବରଡ଼ାପତ୍ର ପରି ଥରୁଥିଲେ ମଧ୍ୟ ବାହାରକୁ ଦୃଢ଼ ହୋଇ ବସିବାକୁ ଚେଷ୍ଟାକଲେ ।

 

ମେଘନାଦ ବାବୁ ପଚାରିଲେ– ସେଦିନ ଆପଣ ଓ ଛନ୍ଦାଦେବୀ ଚଣ୍ଡୀଖୋଲ ଅଭିମୁଖେ ଯାତ୍ରା କରିବାର ଉଦ୍ଦେଶ୍ୟ କ’ଣ ଏବଂ ସେଠାରେ ଆପଣ ଦୁଇଟି ଦିନ ରହି ପୁଣି ଏକାକୀ କଟକ ଫେରିଆସିଥିଲେ କାହିଁକି ?

 

ହଠାତ୍‌ ଛନ୍ଦାର ମୃତ୍ୟୁ ସମ୍ପର୍କରେ ମେଘନାଦ ସାହାଣୀ ତାଙ୍କୁ ସିଧାସଳଖ ଏଭଳି ପ୍ରଶ୍ନ ପଚାରିବେ ବୋଲି ସେ କେବେହେଲେ କଳ୍ପନା କରି ନ ଥିଲେ ।

 

ଠିକ୍‌ ସେତିକିବେଳେ ସରୋଜରଞ୍ଜନ ନୋଟ୍‌ ବହିରେ କ’ଣ ଟିପିବାରେ ଲାଗିଲେ ।

 

ଅନୁରାଧା ଓଠରେ ଜିଭ ଚାଳି ଆରମ୍ଭ କଲେ– ମୋର ସେତେବେଳେ ଏକ ପାର୍ଶ୍ୱ ନାରୀ ଭୂମିକାରେ ‘ଆଦିବାସୀ’ ଚିତ୍ରରେ ଅଭିନୟ କରିବାର ସାବ୍ୟସ୍ତ ହୋଇଥିଲା । ସୁତରାଂ ଦୁଇଟି ଦିନ ରହି ଆଦିବାସୀ ଚରିତ୍ର ସମ୍ପର୍କରେ ମୁଁ ଯେତିକି ଅନୁଧ୍ୟାନ କରିଥିଲି, ମୋ ଚରିତ୍ର ପାଇଁ ତାହା ଯଥେଷ୍ଟ ହୋଇଯାଇଥିଲା । ସୁତରାଂ ଦୁଇଟି ଦିନ ରହି ମୁଁ କଟକକୁ ଫେରିଆସିଥିଲି । ଅଯଥାରେ ଛନ୍ଦାଙ୍କ ସହିତ ବେଶୀଦିନ ରହିବାକୁ ମୁଁ ପସନ୍ଦ କରି ନ ଥିଲି ।

 

—ଆପଣ ଓ ଛନ୍ଦାଦେବୀ ଯେତେବେଳେ ସାଙ୍ଗ ହୋଇ ଗୋଟିଏ ନୂତନ ସ୍ଥାନକୁ ଯାଇଥିଲେ, ସେତେବେଳେ ତାଙ୍କୁ ଏକାକୀ ଛାଡ଼ି ଆପଣଙ୍କର ଫେରିଆସିବା କ’ଣ ଉଚିତ୍‍ ଥିଲା ? ଆପଣ ଦୁହେଁଯାକ ଏକାସାଙ୍ଗରେ ଫେରି ଆସିଥିଲେ, ଆପଣଙ୍କର ଯାତ୍ରା ଅଧିକ ଉପଭୋଗ୍ୟ ହୋଇଥାଆନ୍ତା ।

 

—ମୁଁ ଫେରିଲା ବେଳକୁ ଛନ୍ଦାର ମତାମତ ଅବଶ୍ୟ ମୁଁ ନେଇଥିଲି, ମେଘନାଦ ବାବୁ । ମୁଁ ଯେତେବେଳେ କଟକକୁ ଫେରି ଆସିବାକୁ ଆଗ୍ରହ ପ୍ରକାଶ କଲି, ସେତେବେଳେ ସେ ମତେ ବାଧା ଦେଇ ନ ଥିଲା । ବରଂ କହିଥିଲା, ତୋର ଯଦି ଇଚ୍ଛା ହେଉଛି ଅନୁରାଧା, ତୁ ଫେରିଯା କଟକ । ତେଣୁ ମୁଁ ଏକାକୀ ଫେରି ଆସିଥିଲି ମେଘନାଦ ବାବୁ ।

 

—ଆଚ୍ଛା ଅନୁରାଧା ଦେବୀ, ପ୍ଲିଜ୍‌ ଡୁ ନଟ୍‌ ମାଇଣ୍ଡ ଏନି ଥିଂ । ଆପଣଙ୍କ ସହିତ ଛନ୍ଦାଦେବୀଙ୍କର ନାନା କାରଣରୁ ସମ୍ଭବତଃ ମନାନ୍ତର ଥିଲା । ଏକଥାକୁ ଆପଣ କ’ଣ ଅସ୍ୱୀକାର କରିପାରିବେ ?

 

—ଆମର କେବେ ମନାନ୍ତର ନ ଥିଲା ମେଘନାଦ ବାବୁ; ବରଂ ଆମେ ଦୁଇ ବନ୍ଧୁଙ୍କ ପରି ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଭିତରେ ସମୟ ଅତିବାହିତ କରୁଥିଲୁଁ ।

 

—କିଛି ଭାବିବେ ନାହିଁ ଅନୁରାଧା ଦେବୀ, ଆପଣ ଓ ଛନ୍ଦାଦେବୀ ଯେତେବେଳେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଭିତରେ ଚଳୁଥିଲେ, ସେତେବେଳେ ତାଙ୍କୁ ନିର୍ଜ୍ଜନ ସୁଦୂର ଚଣ୍ଡୀଖୋଲ ପରି ଏକ ଅରଣ୍ୟସଙ୍କୁଳ ଡାକବଙ୍ଗ୍‌ଲୋରେ ଛାଡ଼ି କ’ଣ ଆସିପାରିଥାନ୍ତେ ? ଆପଣଙ୍କ ବନ୍ଧୁ ପାଇଁ ଆପଣଙ୍କ ହୃଦୟ ହୁଏତ ସମବେଦନାରେ ଅନୁରଞ୍ଜିତ ହୋଇଉଠିଥାନ୍ତା ।

 

—ଆପଣ ଭୁଲ୍‌ ବୁଝୁଛନ୍ତି ମେଘନାଦ ବାବୁ । ଛନ୍ଦା ସହିତ ମୋର ଯେଉଁ ଘନିଷ୍ଠତା ଓ ଆନ୍ତରିକତା ଥିଲା, ତା ବ୍ୟତୀତ ଆଉ କେହି ବୁଝିପାରିବେ ନାହିଁ । ତା’ ମୃତ୍ୟୁ ପରେ ଆପଣ ଯଦି ଏଭଳି ଅଭିଯୋଗ କରନ୍ତି, ତା’ ହେଲେ ମୁଁ ନାଚାର, ନିରୁପାୟ ।

 

—ଶୁଣନ୍ତୁ ଅନୁରାଧା ବେବୀ, ମୋର ପ୍ରଥମ ପ୍ରଶ୍ନର ପ୍ରଥମ କଥାଟିର ଆପଣ ଏପର୍ଯ୍ୟନ୍ତ ଉତ୍ତର ଦେଇ ନାହାନ୍ତି । ମୁଁ କହିଛି ଆପଣଙ୍କ ସହିତ ମନସ୍ତାତ୍ତ୍ୱିକ କାରଣରୁ ତାଙ୍କର ମତଭେଦ ଥିଲା । ଏ ପ୍ରଶ୍ନର ଆପଣ ତ କାହିଁ ଉତ୍ତର ଦେଲେ ନାହିଁ ?

 

—ଆପଣ ଭୁଲ୍‌ କହୁଛନ୍ତି ମେଘନାଦ ବାବୁ । ମିଛରେ ମୋ ଉପରେ ଦୋଷାରୋପ କରିବାର ଏ ଅଭିସନ୍ଧିକୁ ଆପଣ ତୁରନ୍ତ ପ୍ରତ୍ୟାହାର କରନ୍ତୁ ।

 

ଅନୁରାଧା ରାଗରେ ଉତ୍ତେଜିତ ହୋଇଉଠିଲେ ।

 

ମେଘନାଦ ବାବୁ କହିଲେ– ସେସବୁର କାରଣ ଯଦି ମୁଁ ଗୋଟି ଗୋଟି କରି ଆପଣଙ୍କ ପାଖରେ କହିବି, ତା’ହେଲେ ମୋ କଥାରେ ଆପଣ ସମ୍ମତି ଜଣାଇବେ ତ ?

 

—କହନ୍ତୁ, ଆପଣ କ’ଣ ଜାଣିଛନ୍ତି । ମୋ ବିରୁଦ୍ଧରେ ରୀତିମତ ଏକ ଷଡ଼ଯନ୍ତ୍ର ସୃଷ୍ଟି କରିବାର ମତଲବ୍‌ ଆପଣଙ୍କର ଅଛି ବୋଲି ପରିଷ୍କାର ଜଣାପଡ଼ୁଛି ।

 

ମେଘନାଦ ସାହାଣୀ ହସିଉଠିଲେ । କହିଲେ– କାହା ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଗତ କରିବା ଆମ୍ଭମାନଙ୍କ ଚରିତ୍ରର ବାହାରେ ଅନୁରାଧା ଦେବୀ । ଆପଣଙ୍କ ବିରୁଦ୍ଧରେ ଯେଉଁ ସବୁ ସମ୍ୱାଦ ଏପର୍ଯ୍ୟନ୍ତ ସରକାରୀ ତଥା ବେସରକାରୀ ସୂତ୍ରରୁ ସଂଗ୍ରହ କରାଯାଇଛି, ସେହିସବୁ ସମ୍ୱାଦ ଉପରେ ଭିତ୍ତି କରି ଆପଣଙ୍କୁ ମୁଁ ପ୍ରଶ୍ନ ପଚାରୁଛି ।

ଅନୁରାଧାଙ୍କ ମରମ ତଳ ଗଭୀର ଅନୁତାପରେ ହାୟ ହାୟ କରିଉଠିଲା ।

ମେଘନାଦ ବାବୁ ଆରମ୍ଭ କଲେ– ଛନ୍ଦା ପେଦିନୀ ପ୍ରାୟ ପ୍ରତ୍ୟେକ ଚିତ୍ରରେ ‘ହିରୋଇନ୍‌’ ଭୂମିକାରେ ଅଂଶ ଗ୍ରହଣ କରନ୍ତି ବୋଲି ଆପଣଙ୍କର ଭାରି ହିଂସା ହେଉଥିଲା, ଏ କଥା କ’ଣ ମିଛ-?

—ମିଛ ।

—ତାଙ୍କ ଅଭିନୟ ଆରମ୍ଭର ତିନି ଚାରି ବର୍ଷ ପୂର୍ବରୁ ଆପଣ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ?

—ହଁ ।

—ଗତବର୍ଷ ସେ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ରାଷ୍ଟ୍ରପତି ପଦକ ପାଇଥିଲାବେଳେ, ଆପଣ ହିଂସା ଓ ଅସୂୟାରେ ପଳେ ପଳେ ଜଳିଯାଇଥିଲେ ?

—ସମ୍ପୂର୍ଣ୍ଣ ମିଛ ।

—ଆପଣ ଚାହୁଁଥିଲେ ‘ଆଦିବାସୀ’ ଚିତ୍ରରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିବାପାଇଁ । ମାତ୍ର ପ୍ରଯୋଜକ ମାନଧାତା ଓ ରାୟସିଂହ ଆପଣଙ୍କୁ ସେ ସୁଯୋଗ ଦେଲେନାହିଁ ବୋଲି ଆପଣ କ୍ଷୁଣ୍ଣ ହୋଇଥିଲେ । ତା’ପରେ ‘ଆଦିବାସୀ’ ଚିତ୍ରରେ ଆପଣ ଆଦୌ ଅଭିନୟ କରିବେ ନାହିଁ ବୋଲି ଜିଦ୍‌ ଧରି ବସିଥିଲେ । ମାତ୍ର ନଳିନୀରଞ୍ଜନଙ୍କ ହସ୍ତକ୍ଷେପ ଫଳରେ ‘ଆଦିବାସୀ’ର ସେଇ ଗୌଣ ନାରୀ ଭୂମିକାର ଅଭିନୟ କରିବାକୁ ଶେଷରେ ସମ୍ମତି ଜଣାଇଥିଲେ-। ଏକଥା କ’ଣ ମିଛ ?

 

ମେଘନାଦ ବାବୁ ଏସବୁ ପ୍ରଶ୍ନ ପଚାରୁଥିଲାବେଳେ ଅନୁରାଧା ବିଚଳିତ ହୋଇ ଉଠୁଥିଲେ । ଏସବୁ ପ୍ରଶ୍ନର ଉତ୍ତର ଦେବାକୁ କିମ୍ୱା ଏଇସବୁ ଘଟଣାକୁ ଫାଙ୍କି ଉଡ଼ାଇ ଦେବାକୁ ତାଙ୍କର ସାହସ କାହିଁ ? ନୈତିକତା ବୋଧ କାହିଁ ?

 

—ସେସବୁ କାରଣ ଏକାନ୍ତ ବ୍ୟକ୍ତିଗତ ମେଘନାଦ ବାବୁ ! ଚଳଚ୍ଚିତ୍ରରେ ଅଭିନୟ କରିବା ପୂରାପୂରି ଏକ ବ୍ୟବସାୟିକ ଦୃଷ୍ଟିଭଙ୍ଗୀ । ବ୍ୟବସାୟ ଦୃଷ୍ଟିରୁ ମୁଁ କ୍ଷତିଗ୍ରସ୍ତ ହେବି ବୋଲି ପ୍ରଥମେ ପ୍ରଥମେ ଅଭିନୟ କରିବାକୁ ରାଜି ହେଉ ନଥିଲି । ତା’ପରେ ମୁଁ ଯେତେବେଳେ କ୍ଷତିଗ୍ରସ୍ତ ହେବିନାହିଁ ବୋଲି ଆଶା ଦେଖିଲି, ସେତେବେଳେ ଅଭିନୟ କରିବାକୁ ସ୍ୱୀକୃତି ଦେଲି । ସେଥିରେ ନଳିନୀରଞ୍ଜନଙ୍କର କିମ୍ୱା ଅନ୍ୟ କାହାରି ହସ୍ତକ୍ଷେପ କିମ୍ୱା ପ୍ରରୋଚନା ନ ଥିଲା ।

 

—ଆପଣ କ’ଣ ଚାହିଁ ନ ଥିଲେ ‘ଆଦିବାସୀ’ ଚିତ୍ରରେ ‘ହିରୋଇନ୍‌’ ହେବାପାଇଁ ?

 

—ମୁଁ ଆହୁରି ଥରେ ଆପଣଙ୍କୁ ଜଣାଉଛି ମେଘନାଦ ବାବୁ, ସେସବୁ ପ୍ରଶ୍ନ ଏକାନ୍ତ ବ୍ୟକ୍ତିଗତ । ସେସବୁ ବିଷୟରେ ଆପଣଙ୍କର ପ୍ରଶ୍ନ ପଚାରିବା କିମ୍ୱା ମୁଣ୍ଡ ଖେଳାଇବା ଉଚିତ୍‌ ହେଉନାହିଁ ।

 

—ଆଚ୍ଛା, ସେସବୁ ପ୍ରଶ୍ନ ଛାଡ଼ନ୍ତୁ ଅନୁରାଧା ଦେବୀ । ଛନ୍ଦାଙ୍କ ମୃତ୍ୟୁ ପୂର୍ବରୁ ଯାହା ଚାହୁଁଥିଲେ, ତାଙ୍କର ମୃତ୍ୟୁ ପରେ ପରେ ଆପଣଙ୍କ ଭାଗ୍ୟରେ ତାହାହିଁ ଯୁଟିଗଲା । ଆପଣ ଅବଶେଷରେ ହେଲେ ‘ଆଦିବାସୀ’ ଚିତ୍ରର ମୁଖ୍ୟ ନାୟିକା ।

 

—ଛନ୍ଦାର ମୃତ୍ୟୁ ପରେ ଉତ୍କଳ ମଡ଼ର୍ଣ୍ଣ ଫିଲମ୍‌ ପ୍ରଡ଼କସନ୍‌ର ନିର୍ମାତା, ସେହି ଭୂମିକାରେ ଅଭିନୟ କରିବା ପାଇଁ ଆଉ କାହାରିକୁ ଉପଯୁକ୍ତ ମନେ ନକରିବାରୁ ସେମାନେ ମୋ ପାଖକୁ ଆସିଲେ । ସେଥିରେ ଅଭିନୟ କରୁଛି ବୋଲି ମୁଁ ଯେ ଗୌରବାନ୍ୱିତ ତାହା ମଧ୍ୟ ନୁହେଁ ।

 

—ଆପଣ କିନ୍ତୁ ସର୍ବପ୍ରଥମେ ପ୍ରଯୋଜକ ମନଧାତା ଓ ରାୟସିଂହ ବାବୁଙ୍କୁ ସୁରିତ୍‌ କୁମାରଙ୍କ ସହିତ ଅଭିନୟ କରିବେ ନାହିଁ ବୋଲି ମନା କରିଥିଲେ । ଏକଥା କ’ଣ ଅସତ୍ୟ ?

 

ଅନୁରାଧା ବେଳୁଁ ବେଳ ପ୍ରଶ୍ନବାଣରେ ଜର୍ଜରିତ ହୋଇ ଉଠୁଛି । ମାନସିକ ବ୍ୟାଥା ଓ ବେଦନାରେ ମୁହୁର୍ମୁହୁ । ସେ ହୋଇଉଠୁଛି ଅସ୍ଥିର । ମେଘନାଦ ଯାହା ପ୍ରଶ୍ନ କରୁଛନ୍ତି, ସେ ସବୁ ସତ୍ୟ । ସେଥିରେ ମିଥ୍ୟା ନାହିଁ, କଳ୍ପନା ନାହିଁ, ଅତିରଞ୍ଜନ ନାହିଁ । ମାତ୍ର ସେହିସବୁ କଠୋର ସତ୍ୟମୂଳକ ପ୍ରଶ୍ନର ସେ କିପରି ସମ୍ମୁଖୀନ ହେବ ? କି ଉତ୍ତର ହେବ ?

 

କେଉଁ ସୂତ୍ରରୁ ଏତେ ଖବର ସେ ଯୋଗାଡ଼ କରିପାରିଲେ ? ଛନ୍ଦାର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ଚିତ୍ର ପାଇବାପାଇଁ ସେମାନେ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ସେମାନେ ଅନେକ ବାଟ ଆଗେଇ ଆସିଲେଣି । ସେମାନଙ୍କ ଚଲାବାଟକୁ ସମ୍ଭବତଃ ଆଉ ବନ୍ଦ କରି ହେବ ନାହିଁ ।

 

ସରୋଜରଞ୍ଜନ ନୋଟ୍‌ ଖାତାରେ ଅଣନିଃଶ୍ୱାସୀ ହୋଇ କ’ଣ ଲେଖି ଚାଲିଛନ୍ତି ।

 

କିଛି ସମୟ ନୀରବ ରହି ଆହତ କଣ୍ଠରେ ଅନୁରାଧା କହିଲେ– ବାରମ୍ୱାର ଆପଣ ବ୍ୟକ୍ତିଗତ କଥା ପଚାରି ମୋତେ ବିବ୍ରତ କରୁଛନ୍ତି ମେଘନାଦ ବାବୁ । କାହା ସହିତ ଅଭିନୟ କରିବାକୁ ମତେ ଭଲ ଲାଗେ ଅବା ନ ଲାଗେ, ସେସବୁ କଥା ଆଲୋଚନା କରିବାର କ’ଣ ଯେ ଆବଶ୍ୟକତା ଅଛି, ମୁଁ ଜାଣିପାରୁନାହିଁ ।

 

—ଛନ୍ଦା ଦେବୀଙ୍କ ସହିତ ପ୍ରତ୍ୟେକ ଫିଲ୍‌ମ୍‌ରେ ସୁରିତ୍‌ କୁମାର ‘ହିରୋ’ ଭୂମିକାରେ ଅଭିନୟ କରି ଯେଉଁ ଯଶ ଓ ସୁଖ୍ୟାତି ଅର୍ଜ୍ଜନ କରିଥିଲେ, ସେଥିପାଇଁ ସମ୍ଭବତଃ ଆପଣଙ୍କ ଅବଚେତନ ମନତଳେ ହିଂସା ଓ ପ୍ରତିଶୋଧର ବାଡ଼ବାଗ୍ନି ଜଳୁଥିଲା । ଛନ୍ଦାର ମୃତ୍ୟୁ ପରେ ପରେ ଆପଣଙ୍କର ପ୍ରିୟ ଅଭିନେତା ନଳିନୀରଞ୍ଜନଙ୍କ ସହିତ, ଆପଣ ଅଭିନୟ କରିବେବୋଲି ଜିଦ୍‌ ଧରି ବସିଥିଲେ । ନୁହେଁ କି ?

 

—ଏସବୁ ଅର୍ଥହୀନ ପ୍ରଶ୍ନର ମୁଁ ଉତ୍ତର ଦେଇପାରିବି ନାହିଁ ମେଘନାଦ ବାବୁ ! ଆପଣ ଏଠାରୁ ଶୀଘ୍ର ଚାଲିଯାଆନ୍ତୁ । ବିନା କାରଣରେ ଗୋଟିଏ ନିରୀହା ତରୁଣୀକୁ ଏଭଳି ବ୍ୟସ୍ତ ଓ ବିବ୍ରତ କରିବ, ଶିଷ୍ଟାଚାରବିରୋଧୀ ।

 

ମେଘନାଦ ବାବୁ ପୁଣି ଗମ୍ଭୀର ହେଲେ । ଆଖିରେ ତାଙ୍କର ଖେଳି ବୁଲିଲା ଅନୁସନ୍ଧିତ୍ସାର ଲଘୁ ତରଙ୍ଗ । କଣ୍ଠରେ ଗାମ୍ଭୀର୍ଯ୍ୟର ପୁଟ ଦେଇ ସେ ଆରମ୍ଭ କଲେ– ଆପଣ ଉତ୍ତେଜିତ ହେବାର କୌଣସି କାରଣ ନାହିଁ ଅନୁରାଧା ଦେବୀ ! ଅସୀମ ଧୈର୍ଯ୍ୟ ଓ ସ୍ଥୈର୍ଯ୍ୟ ଧରି ପ୍ରତ୍ୟେକ କାମ କରିବାକୁ ବୁଦ୍ଧିମାନ୍‌ ମଣିଷର କର୍ତ୍ତବ୍ୟ, ଏଇ ମାତ୍ର ସାମାନ୍ୟ କେତୋଟି କଥାରେ ଆପଣ ଯଦି ଏଭଳି ବିରକ୍ତ ଓ କ୍ଷୁବ୍‌ଧ ହେବେ, ତା’ହେଲେ ଦୁନିଆଁରେ ଆପଣ ବଞ୍ଚି ରହିବେ କିପରି-? ଜୀବନ ସଂଗ୍ରାମରେ ଆପଣ ଜୟଲାଭ କରିବେ କିପରି ?

 

ଆପଣ ତ ଜଣେ କଳାକାର–ତା’ପରେ ନାରୀ ! କାଳାକାରର ହୃଦୟକଳା–ସ୍ନିଗ୍‌ଧ ହେବା ଉଚିତ୍‌ । ସେ ଉଦାର, ସହନଶୀଳ, ବିନୀତ ଓ ବଶମ୍ୱଦ ହେବା ବିଧେୟ । କଳାକାରର ହୃଦୟ ଯଦି ଅସୂୟା, ଆବର୍ଜନା ଓ ନାନା କଳଙ୍କରେ କଳୁଷିତ ହୋଇ ଉଠେ, ତା’ ହେଲେ ସାଧାରଣ ମଣିଷ ସମାଜର ହୃଦୟ କିଭଳି ଆକାର ଧାରଣ କରିବ, ଆପଣ ଥରେ କଳ୍ପନା କରି ନିଅନ୍ତୁ ।

 

—ଆପଣଙ୍କର କୌଣସି ପ୍ରଶ୍ନର ମୁଁ ଉତ୍ତର ଦେଇପାରିବି ନି ମେଘନାଦ ବାବୁ ! ଛନ୍ଦାର ମୃତ୍ୟୁ ସହିତ ମୋର କୌଣସି ସମ୍ପର୍କ ନଥିଲେ ମଧ୍ୟ ଆପଣ ଜାଣି ଜାଣି ସେଇଆଡ଼କୁ ମତେ ଟାଣି ନେଉଛନ୍ତି । ନିରୀହା, ସରଳା ତରୁଣୀମାନଙ୍କୁ ବିନା କାରଣରେ ହଇରାଣ ହରକତ୍‌ କରିବା ଆପଣଙ୍କ ଗୁଇନ୍ଦାମାନଙ୍କର ଏକ ଚିରାଚରିତ ଅଭ୍ୟାସ ।

 

—ଆପଣଙ୍କ କଥାବାର୍ତ୍ତାରେ ଭାରସାମ୍ୟ ରହୁନି ଅନୁରାଧା ଦେବୀ । ଆପଣ ମିଛ କହୁଛନ୍ତି ।

 

ଅନୁରାଧା ଦେବୀ ପୁଣି ଉତ୍ତେଜିତ ହୋଇଉଠିଲେ । ମନ ଭିତରେ ଏବେ ବି କିଏ ଯେପରି ରହି ରହି ଦଂଶନ କରୁଛି, ଆଘାତ ଦେଉଛି । ମନର ବଳ, ସାହସ ଓ ଦୃଢ଼ତାକୁ ଭାଙ୍ଗିରୁଜି ଟିକ୍‍ ଟିକ୍‍ କରିଦେଉଛି । କଥାବର୍ତ୍ତା କଲାବେଳେ ସ୍ପଷ୍ଟ ଭାବରେ କହିହେଉ ନାହିଁ ।

 

ଅନୁରାଧା ଦେବୀ କହିଲେ– ଆପଣମାନଙ୍କ ସହିତ ମୁଁ ଆଉ କିଛି କଥାବର୍ତ୍ତା କରିବାକୁ ଚାହେଁନି ମେଘନାଦ ବାବୁ ! ଆପଣ ଏଇ ମୁହୂର୍ତ୍ତରେ ଏଠାରୁ ଯାଇପାରନ୍ତି । ମୋ ମୁଣ୍ଡ ବଥାଇବାକୁ ଆରମ୍ଭ କଲାଣି । ମୁଁ ଶୋଇଲି ।

 

ଅନୁରାଧା ଦୀର୍ଘନିଶ୍ୱାସ ପକାଇ ଘରର ଖଟ ଉପରେ ଶୋଇ ପଡ଼ିଲେ ।

 

ସରୋଜରଞ୍ଜନ ଲେଖା ବନ୍ଦକରି ଚାହିଁଲା ମେଘନାଦଙ୍କୁ ।

 

ମେଘନାଦ କିଛି ସମୟ ନୀରବ ରହି କହିଲେ– ତା’ ହେଲେ ଆମେ ଚାଲିଲୁ ଅନୁରାଧା ଦେବୀ । କାଲି ସକାଳୁ ଆମେ ହୁଏତ ପୁଣି ଥରେ ଏଠାକୁ ଆସିପାରୁ । ଆଜି ଯଦି ନଳିନୀରଞ୍ଜନ ବାବୁଙ୍କ ସଙ୍ଗେ ଦେଖାସାକ୍ଷାତ ହୋଇଯାଇଥାନ୍ତା ତା’ହେଲେ କାଲି ସକାଳୁ ପୁଣି ଥରେ ଆସି ଆପଣଙ୍କ ନିରୁପଦ୍ରବ ଯାତ୍ରାପଥରେ ଉପଦ୍ରବ ଆରମ୍ଭ କରନ୍ତୁ ନାହିଁ ।

 

ମେଘନାଦ ତାଙ୍କର କଥା ଶେଷ କରିଛନ୍ତି କି ନାହିଁ ଘର ଭିତରକୁ ପଶିଆସିଲେ ନଳିନୀରଞ୍ଜନ । ନିଜ କୋଠରୀରେ ଦୁଇଟି ଆଗନ୍ତୁକ ଅଥଚ ଅପରିଚିତ ଭଦ୍ରବ୍ୟକ୍ତିଙ୍କୁ ଦେଖି ସେ ବିସ୍ମୟ ପ୍ରକାଶ କଲେ ।

 

ମେଘନାଦ ବାବୁ କହିଲେ– ଆପଣ ତା’ହେଲେ ଅଭିନେତା ନଳିନୀରଞ୍ଜନ ?

 

ବିସ୍ମୟ–ସାଗରରେ ଭାସି ଭାସି ସେ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲେ ।

 

ଅନୁରାଧା ତଥାପି ଶୋଇ ରହିଛି । ମୁଣ୍ଡ ତା’ର ଏବେ ବି ଝିମ୍‌ଝିମ୍‌ ହୋଇ ଯାଉଛି ।

 

ନଳିନୀରଞ୍ଜନ ପଚାରିଲେ– ଆପଣମାନଙ୍କର ପରିଚୟ ?

 

ମେଘନାଦ ହଠାତ୍‌ ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ନିଜର ସହକର୍ମୀ ସରୋଜରଞ୍ଜନଙ୍କୁ ପରିଚୟ କରାଇଦେଲେ ।

 

ନଳିନୀରଞ୍ଜନଙ୍କ ହୃଦୟ ଆତଙ୍କରେ ଥରି ଉଠୁଥିଲେ ମଧ୍ୟ ବାହାରକୁ ଛଳନା କରିବା ଉଦ୍ଦେଶ୍ୟରେ କହିଲେ– ଆପଣମାନେ କୁଆଡ଼େ ?

 

ମେଘନାଦ ବାବୁ ହସି ହସି କହିଲେ– କର୍ତ୍ତବ୍ୟର ଆହ୍ୱାନରେ ଆପଣଙ୍କ ପାଖକୁ, ମାନେ ଏଇ ସୁଦୂର କୋରାପୁଟ ଆଡ଼େ ଆମେ ଆସିବାକୁ ବାଧ୍ୟ ହେଲୁ ।

 

ନଳିନୀରଞ୍ଜନ କହିଲେ– ବ୍ୟାପାର କ’ଣ ?

 

ମେଘନାଦ ବାବୁ ଆରମ୍ଭ କଲେ– ଅନୁରାଧା ଦେବୀଙ୍କ ସହିତ ଆପଣଙ୍କର ସମ୍ପର୍କ କେତେ ଦିନର ?

 

—ସାତବର୍ଷ ତଳର

 

—ଅନୁରାଧା ଦେବୀ ଆପଣଙ୍କୁ ଖୁବ୍‍ ଭଲ ପାଆନ୍ତି, ନୁହେଁ ?

 

—ଏ ପ୍ରଶ୍ନ କାହିଁକି ମେଘନାଦ ବାବୁ ?

 

—ତା’ ନ ହୋଇଥିଲେ ‘ଆଦିବାସୀ’ ଚିତ୍ରରେ ସୁରିତ୍‌ କୁମାରଙ୍କ ବଦଳରେ ଆପଣଙ୍କ ସହିତ ଅଭିନୟ କରିବାକୁ ସେ କ’ଣ ଜିଦ୍‌ ଧରିଥାଆନ୍ତେ ?

 

ଖଟ ଉପରେ ଅନୁରାଧା ଶୋଇ ରହି ଗର୍ଜ୍ଜନ କରିଉଠିଲା । କହିଲା– ଏସବୁ ମିଥ୍ୟା ଏବଂ କପୋଳକଳ୍ପିତ କଥା । ରୀତିମତ ଆମ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଭିଆଇବାପାଇଁ ଏମାନେ ଆସିଛନ୍ତି ।

 

ନଳିନୀରଞ୍ଜନ ନିରୁତ୍ତର

 

ମେଘନାଦ ଓ ସରୋଜରଞ୍ଜନ ମଧ୍ୟ ନିରୁତ୍ତର...

 

କିଛି ସମୟ ପରେ ମେଘନାଦ କହିଲେ– ଛନ୍ଦାଦେବୀଙ୍କୁ ଆପଣ ଭଲରୂପେ ଚିହ୍ନିଥିଲେ ତ ?

 

—ହଁ

 

—ସେ କେମିତିକା ଲୋକ ? ଅନୁରାଧା ଦେବୀଙ୍କ ହୃଦୟଠାରୁ ତାଙ୍କ ହୃଦୟ ଗଭୀର, ପ୍ରଶାନ୍ତ କି ନା ?

 

—ଦେଖନ୍ତୁ ମେଘନାଦ ବାବୁ, ଏସବୁ ପ୍ରଶ୍ନର ଉତ୍ତର ମୁଁ କିପରି ଦେଇପାରିବି ? ତା’ଛଡ଼ା ଛନ୍ଦାଙ୍କ ସଂସ୍ପର୍ଶରେ ମୁଁ ବିଶେଷ ଭାବରେ ଆସିନାହିଁ ।

 

—ଅନୁରାଧାଙ୍କ ସଂସ୍ପର୍ଶରେ ତ ଆପଣ ଆସିଛନ୍ତି ଅତ୍ୟନ୍ତ ନିବିଡ଼ଭାବରେ, ନଳିନୀ ବାବୁ । କହିପାରିବେ ସେ କେମିତିକା ଲୋକ ?

 

—ଏସବୁ ପ୍ରଶ୍ନର ମୁଁ ଉତ୍ତର ଦେଇ ପାରିବି ନାହିଁ ମେଘନାଦ ବାବୁ ! ଆପଣଙ୍କର ଆଉ ଯାହା ପଚାରିବାର କଥା, ପଚାରି ପାରନ୍ତି । ମାତ୍ର ଏଇସବୁ ଅନାବଶ୍ୟକ ପ୍ରଶ୍ନର ଆଉ ପୁନରାବୃତ୍ତି କରନ୍ତୁ ନାହିଁ ।

 

—ଆଚ୍ଛା କହିପାରିବେ ନଳିନୀ ବାବୁ, ଅନୁରାଧା ଦେବୀ ଛନ୍ଦାଙ୍କୁ ସେଦିନ ଏକାକୀ ଚଣ୍ଡୀଖୋଲ ଡାକବଙ୍ଗ୍‌ଲୋରେ ଛାଡ଼ିଦେଇ ଆସିବା, ବିଚାରଦୃଷ୍ଟିରୁ ଉଚିତ ହୋଇଛି କି ନାହିଁ ? ସମ୍ଭବତଃ ତାଙ୍କୁ ଏଡ଼େ ବଡ଼ ବିରାଟ ଅଥଚ ନିର୍ଜ୍ଜନ ଡାକବଙ୍ଗ୍‌ଲୋରେ ରହିଥିବାର ଦେଖି କେହି ଦୁର୍ବୃତ୍ତ ହତ୍ୟା କରିବାକୁ ଆଗେଇ ଆସିଛି ।

 

ମାତ୍ର ମୋର କ’ଣ ମନେ ହେଉଛି ଜାଣନ୍ତି ନଳିନୀ ବାବୁ ? ଛନ୍ଦାଦେବୀଙ୍କ ଭଳି ଜଣେ ଅଭିନେତ୍ରୀଙ୍କୁ ହତ୍ୟାକରି କି ସ୍ୱାର୍ଥ ଅବା ମିଳିବ ? ଏ ହତ୍ୟା ପଛରେ ସମ୍ଭବତଃ ଏକ ଈର୍ଷାକାତର ମନର କରୁଣ ଆତ୍ମଲିପି ଜଡ଼ିତ ରହିଛି । ତା’ ନ ହୋଇଥିଲେ, ତାଙ୍କର ଏ ଆକସ୍ମିକ ହତ୍ୟା କେବେହେଲେ ସମ୍ଭବ ହୋଇ ନ ଥାନ୍ତା । ତେବେ କହିପାରିବେ ନଳିନୀ ବାବୁ, ଏ ହତ୍ୟା କାହାଦ୍ୱାରା ସମ୍ଭବ ହୋଇଥିବ ?

 

ନଳିନୀ ବାବୁ କୃତ୍ରିମ ହସ ଫୁଟାଇ କହିଲେ– ମୁଁ କିପରି କହିବି ମେଘନାଦ ବାବୁ ? ଛନ୍ଦାଦେବୀଙ୍କ ଭଳି ଓଡ଼ିଶା ଦେଶର ଜଣେ ଉଚ୍ଚକୋଟିର ଅଭିନେତ୍ରୀଙ୍କ ମୃତ୍ୟୁରେ ଦେଶବାସୀଙ୍କ ସହିତ ମୁଁ ମଧ୍ୟ ଦୁଃଖିତ ଓ ସମବେଦନା ଜଣାଇଛି । ତାଙ୍କ ଭଳି ଜଣେ ନିରୀହା, ସରଳା ଅଭିନେତ୍ରୀଙ୍କୁ ହତ୍ୟା କରି କିଏ କେଉଁ ସ୍ୱାର୍ଥ ହାସଲ କରିବ ମୁଁ କିଛି ବୁଝିପାରୁ ନାହିଁ ।

 

ହଠାତ୍‌ ମେଘନାଦ କହି ଉଠିଲେ– ଆପଣ ଏକା ନୁହନ୍ତି, ଆପଣଙ୍କ ସହିତ ଅନୁରାଧା ଦେବୀ ମଧ୍ୟ ନିଶ୍ଚୟ ଦୁଃଖିତ ହୋଇଥିବେ । ନାଁ କ’ଣ କହୁଛନ୍ତି ନଳିନୀ ବାବୁ ?

 

—ହଁ ସେ ମଧ୍ୟ କମ୍‌ ଦୁଃଖିତ ହୋଇନାହାନ୍ତି । ଏଇ ମୃତ୍ୟୁ ସମ୍ୱାଦ ଶୁଣି ସେଦିନ ରାତିରେ ଆମେ ପ୍ରାୟ ଦୁଇଟା ପର୍ଯ୍ୟନ୍ତ ତାଙ୍କ ଘରେ ବସି ଛନ୍ଦାଦେବୀଙ୍କ ସମ୍ପର୍କରେ ଆଲୋଚନା ଚଳାଇଥିଲୁ ।

 

ମେଘନାଦ ବାବୁ ହଠାତ୍‌ କଥାଟା ବୁଲାଇ ନେଇ କହି ଉଠିଲେ–ଆଚ୍ଛା ନଳିନୀ ବାବୁ, ଆପଣ ଚଣ୍ଡୀଖୋଲ ଯାଇଛନ୍ତି କେବେ ? ନଳିନୀବାବୁ କହିଲେ–ହଁ ।

 

ସେଇ ଡାକବଙ୍ଗ୍‌ଲୋରେ କେବେ ରହିଛନ୍ତି ?

 

—ନାଁ ।

 

—ଆପଣ ତା’ ହେଲେ ଡାକବଙ୍ଗ୍‌ଲୋର ସେହି ଜଗୁଆଳୀକୁ ଚିହ୍ନିଲେ କିପରି ?

 

ନଳିନୀରଞ୍ଜନ ବିରକ୍ତ ହୋଇଉଠିଲେ । ସତ୍ୟ ଘଟଣା ଆଡ଼କୁ କଥାଟା ଆସ୍ତେ ଆସ୍ତେ ସତେ ଯେପରି ଆଗେଇଆସୁଛି । ନଳିନୀରଞ୍ଜନ ଆଘାତ ପ୍ରାପ୍ତ ହୋଇ କହିଲେ–ଆପଣ କ’ଣ ଯେ କହୁଛନ୍ତି, ମୁଁ କିଛି ବୁଝିପାରୁ ନାହିଁ ।

 

—ଜଗୁଆଳୀକୁ ତା’ହେଲେ ଆପଣ ଚିହ୍ନି ନାହାନ୍ତି ! ନୁହେଁ ?

 

—କେଉଁ ଜଗୁଆଳୀ ଡାକବଙ୍ଗ୍‌ଲୋରେ ରହିବାର ଯାହାକୁ ଦିନେ ଅବକାଶ ମିଳିନାହିଁ, ସେ କିପରି ଚିହ୍ନିବ ସେଇ ଜଗୁଆଳୀକୁ ମେଘନାଦ ବାବୁ ?

 

ଅନୁରାଧା ଶୋଇ ଶୋଇ ସବୁ ଶୁଣୁଛି । ପେଷାଦାର ଗୁଇନ୍ଦାର ଏ କି ହଟଚମଟ ବିଦ୍ୟା-? ଏ କି ସଂଦେହଜନକ ପାଗଳାମି ? ନଳିନୀରଞ୍ଜନ ଓ ତାକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସେମାନେ ପ୍ରାଣପଣେ ଚେଷ୍ଟା ଚଳେଇଛନ୍ତି ।

 

ମେଘନାଦ ବାବୁ କହିଲେ– ଜଗୁଆଳୀ ତା’ ଷ୍ଟେଟ୍‌ମେଣ୍ଟ୍‌ରେ କ’ଣ କହିଛି ଜାଣନ୍ତି, ନଳିନୀ ବାବୁ ? ସେ କହିଛି ସେ ଆପଣଙ୍କୁ ଚିହ୍ନିଛି । ଆପଣ ଲୁଚାଇବାପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଲୁଚି ରହିପାରିବ ନାହିଁ ।

 

—ଆପଣ ସବୁ ମିଥ୍ୟା କହୁଛନ୍ତି ମେଘନାଦ ବାବୁ । ଆପଣ ଏଠାରୁ ଚାଲିଯାଆନ୍ତୁ । ଆପଣଙ୍କର ଏ ଅଭିଯୋଗ କେବଳ ମିଥ୍ୟା ନୁହେଁ, ଅଭିସନ୍ଧିମୂଳକ ଆମ୍ଭମାନଙ୍କର ଦୁର୍ନାମ ରଟନା କରିବା ପାଇଁ ଏବଂ ଛନ୍ଦାର ହତ୍ୟା ସହିତ ଆମକୁ ସଂଶ୍ଳିଷ୍ଟ କରିବାପାଇଁ ଆପଣଙ୍କର ଏ ଚାଲ୍‌ବାଜୀ-। ଏ ଚାଲ୍‌ବାଜୀକୁ ମୁଁ ଦୃଢ଼ ଭାବରେ ବିରୋଧ କରୁଛି । ଆପଣ ଆଉ ମାତ୍ର ମୁହୂର୍ତ୍ତେ ବିଳମ୍ୱ ନ କରି ଏଠାରୁ ଶୀଘ୍ର ବିଦାୟ ନିଅନ୍ତୁ ।

 

ନଳିନୀରଞ୍ଜନ ହଠାତ୍‌ ଉତ୍ତେଜିତ ହୋଇଉଠିଲେ ।

 

ମେଘନାଦ ବାବୁ ଉଠିପଡ଼ିଲେ । ବାରମ୍ୱାର ଧର୍ମଶାଳାର ଏଇ କୋଠରୀରେ ଅପମାନ ପାଇ ସେ ରହିବେ କିପରି ?

 

କହିଲେ– ଆଚ୍ଛା, ମୁଁ ଚାଲିଲି ନଳିନୀରଞ୍ଜନ ବାବୁ ! ଭବିଷ୍ୟତରେ କେବେ ଯଦି ଏକତ୍ରିତ ହୋଇ ପାରିବାର ଅବକାଶ ମିଳିବ, ସେତେବେଳେ ପୁଣି ଦେଖାସାକ୍ଷାତ ହୋଇପାରିବ ।

 

ମେଘନାଦ ବାବୁ ଓ ସରୋଜରଞ୍ଜନ ଉଠିପଡ଼ିଲେ । ତା’ ପରେ ସେମାନେ ଧର୍ମଶାଳାର ଉପରମହଲାରୁ ଚାଲିଆସି ଜୟପୁର ସହରର ଶୀତରାତ୍ରିର ଅନ୍ଧକାର ମଧ୍ୟରେ ଅଦୃଶ୍ୟ ହୋଇଗଲେ ।

 

ପୋଲିସ୍‌ ସୁପରିଟେଣ୍ଡେଣ୍ଟ୍‌ଙ୍କ ଅଫିସ...

 

ସୁପରିନ୍‌ଟେଣ୍ଡେଣ୍ଟ୍‌ ଶ୍ୟାମଘନ ଶ୍ରୀଚନ୍ଦନ ଅଫିସରେ ବସି ଫାଇଲ୍‌ କେତୋଟି ଦେଖୁଛନ୍ତି । ମେଘନାଦ ସାହାଣୀ ପହଞ୍ଚିଲେ । କହିଲେ, ନମସ୍କାର ସାର୍‌ !

 

ଶ୍ୟାମଘନ ଶ୍ରୀଚନ୍ଦନ ଫାଇଲ୍‌ ଉପରୁ ଆଖି ଫେରାଇ ଚାହିଁଲେ ମେଘନାଦଙ୍କୁ । ପ୍ରତିନମସ୍କାର ଜଣାଇ କହିଲେ– ଆରେ ମେଘନାଦ ବାବୁ ଯେ...କ’ଣ ଖବର ?

 

ମେଘନାଦ ବାବୁ ସ୍ୱଭାବସୁଲଭ ଭଙ୍ଗୀରେ କହିଲେ– ଖବର ସେମିତି ବିଶେଷ କିଛି ନାହିଁ ସାର୍‌ ! ତେବେ ଯେଉଁ ଦାୟିତ୍ୱ ଗତ ଦୁଇମାସ ହେଲା ମୋ ଉପରେ ନ୍ୟସ୍ତ କରାଯାଇଛି, ସେ ଦାୟିତ୍ୱରୁ ମୁକ୍ତ ନ ହେଲା ପର୍ଯ୍ୟନ୍ତ ମୁଁ ଅନ୍ୟ କୌଣସି କାର୍ଯ୍ୟ ଗ୍ରହଣ କରୁନାହିଁ ।

 

ପୋଲିସ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ କହିଲେ– ଛନ୍ଦାର ମୃତ୍ୟୁ ରହସ୍ୟ ଅନୁସନ୍ଧାନ କରିବାରେ ଆପଣ କେତେଦୂର ଅଗ୍ରସର ହେଲେ ସାହାଣୀ ବାବୁ ?

 

ମେଘନାଦ ବାବୁ କହିଲେ– ଆଜି ସେଇ ସମ୍ପର୍କରେ ମୁଁ ଆପଣଙ୍କ ପାଖକୁ ଆସିଛି ସାର୍‌-! ଆପଣ ଯଦି ଏ ଦିଗରେ ମୋତେ ଯତ୍‌ସାମାନ୍ୟ ସାହାଯ୍ୟ କରିବେ, ତା’ ହେଲେ ଖୁବ୍‌ ଅଳ୍ପଦିନ ଭିତର ଅନୁସନ୍ଧାନ କାର୍ଯ୍ୟ ଶେଷ କରିଦେବି । ଅନୁସନ୍ଧାନର ସମସ୍ତ କାର୍ଯ୍ୟ ମୁଁ ସାରିଦେଇଛି-। ମାତ୍ର ତା’ର ଶେଷ ପର୍ଯ୍ୟାୟକୁ ଅଧିକ କୌତୂହଳ ଓ ଗୁରୁତ୍ୱପୂର୍ଣ୍ଣ କରିବା ପାଇଁ ମୁଁ ଚେଷ୍ଟା କରୁଛି ।

 

ପୋଲିସ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ କହିଲେ–I was expecting so ମିଃ ସାହାଣୀ । କେଉଁ ସାହାଯ୍ୟ ପାଇଁ ମୋ ପାଖକୁ ଆସିଛନ୍ତି ଜଣାଇଲେ ମୁଁ ସାହାଯ୍ୟ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।

 

ମେଘନାଦ ବାବୁ କହିଲେ– ଆପଣ ଆଜି ଆଇ.ଜି.କୁ ରିକ୍ୟୁଇଜିସନ କରନ୍ତୁ ସାର । ଅନ୍ତତଃ ଦୁଇଦିନ ପାଇଁ ଓଡ଼ିଶା ସରକାରଙ୍କ ତାଲିମ୍‌ପ୍ରାପ୍ତ ଦୁଇଟି କୁକୁରକୁ ମୋତେ ଦେଇପାରିଲେ ହତ୍ୟା ସମ୍ପର୍କରେ ସମସ୍ତ ଘଟଣା ତଦନ୍ତ କରି ଆପଣଙ୍କୁ ଓ ଏ ଦେଶର ଜନସାଧାରଣଙ୍କୁ ସମସ୍ତେ କଥା ଜଣାଇପାରିବି ।

 

—କିଛି ଚିନ୍ତା ନାହିଁ, ସାହାଣୀ ବାବୁ । କୁକୁର ଦୁଇଟି ଯାକ ଗତ ଚାରିଦିନ ହେଲା ଫେରି ଆସିଛନ୍ତି ଭଦ୍ରକରୁ । ସେମାନଙ୍କର ଆଉ କୌଣସି ଏନ୍‌ଗେଜ୍‌ମେଣ୍ଟ ନାହିଁ । ଆଚ୍ଛା, ମୁଁ ଡାକୁଛି ହେଡ଼ କ୍ଳର୍କଙ୍କୁ । ତାଙ୍କୁ କହି ସଙ୍ଗେ ସଙ୍ଗେ ମୁଁ ଡ୍ରାଫ୍‌ଟ୍‌ ଲେଖାଇ ଦେଉଛି ।

 

ଶ୍ରୀଚନ୍ଦନ ବାବୁ କଲିଂ ବେଲ୍‌ ଚିପିବାରେ ଲାଗିଲେ ।

 

ପିଅନ୍‌ ଆସିଲା...

 

ତା’ର କିଛି ସମୟ ପରେ ଆସିଲେ ହେଡ଼କ୍ଳର୍କ ।

 

ଶ୍ରୀଚନ୍ଦନ ବାବୁ କହିଲେ– ଆଇ.ଜି.ଙ୍କୁ ଆଜି ଲେଖିଦିଅନ୍ତୁ, ଆସନ୍ତା ଏକ ସପ୍ତାହ ମଧ୍ୟରେ ତାଲିମ ପ୍ରାପ୍ତ ଦୁଇଟି କୁକୁରକୁ ପେଷାଦାର ଡିଟେକ୍‌ଟିଭ୍‌ ମେଘନାଦ ସାହାଣୀଙ୍କୁ ଦେଇପାରିଲେ, ସେ ହତ୍ୟାରହସ୍ୟର ସନ୍ଧାନ ନେଇପାରିବେ ।

 

ହେଡ଼କ୍ଳର୍କ ଡ୍ରାଫ୍‌ଟ୍‌ ଲେଖିବାପାଇଁ ଚାଲିଗଲେ ।

 

ସୁପରିନ୍‌ଟେଣ୍ଡେଣ୍ଟ୍‌ କହିଲେ– ଅନ୍ତତଃ ଚାରିପାଞ୍ଚ ଦିନ ଭିତରେ ଆପଣ କୁକୁର ପାଇଯିବେ ସାହାଣୀ ବାବୁ । ଆଉ ଚିନ୍ତା କ’ଣ ? ଏବେ ଆପଣଙ୍କର ବିଦ୍ୟା ବୁଦ୍ଧିର ସଦ୍‌ବ୍ୟବହାର କରନ୍ତୁ ।

 

ମେଘନାଦ ବାବୁ ଆନନ୍ଦରେ କୃତକୃତ୍ୟ ହୋଇ କହିଲେ– ତା’ହେଲେ ମୁଁ ଆସୁଛି ସାର୍‌-! କୁକୁର ମିଳିବା ପରେ ହତ୍ୟା ସମ୍ପର୍କରେ ସମସ୍ତ ଘଟଣା ଓ ରହସ୍ୟ ଆପଣଙ୍କୁ ଯୋଗାଇଦେବି-

 

ସୁପରିନ୍‌ଟେଣ୍ଡେଣ୍ଟ୍‌ ବିଦାୟ ସମ୍ଭାଷଣ ଜଣାଇ କହିଲେ– ଆଇ ଉଇସ୍‌ ୟୁ ଗୁଡ଼ ଲକ୍‌ ମିଃ ସାହାଣୀ । May god help you and you come out successful.

 

ମେଘନାଦ ବାବୁ ଚାଲିଆସିଥିଲେ ।

 

ଆସୁଥିଲାବେଳେ ଭାବି ଭାବି ଆସୁଥିଲେ ଛନ୍ଦାର ମୃତ୍ୟୁକଥା.....

 

ଆଉ ମାତ୍ର ଛ’ଦିନ ପରେ ମୃତ୍ୟୁର ସମସ୍ତ ଘଟଣା ଜଣାପଡ଼ିବ । ପ୍ରକୃତ ହତ୍ୟାକାରୀର ରୂପ ସେଇ ଦିନ ଉଦ୍‌ଘାଟିତ ହେବ । ସାରା ଓଡ଼ିଶାର ଲୋକେ ଏଇ ନୂତନ ହତ୍ୟାକାଣ୍ଡ ସମ୍ପର୍କରେ ଖବର ଜାଣିବାପାଇଁ ବ୍ୟସ୍ତ ଓ ବ୍ୟଗ୍ର ହୋଇଉଠିବେ । ଓଡ଼ିଆ ସମ୍ୱାଦପତ୍ରର ପୃଷ୍ଠା ଚାଞ୍ଚଲ୍ୟକର ଶିରୋନାମାରେ ଭରିଯିବ । କଟକ ସହରର ଖବର କାଗଜ ହକର୍‌ମାନେ ସନ୍ଧ୍ୟା ସଂସ୍କରଣ ସମ୍ଭବତଃ ଗ୍ରାହକମାନଙ୍କୁ ଯୋଗାଇ ପାରିବେ ନାହିଁ ।

 

ମେଘନାଦ ଫେରୁଥିଲେ ଘରକୁ ଏଇ ସବୁ କଥା ଭାବି ଭାବି ।

 

‘ଆଦିବାସୀ’ ଚିତ୍ରର ସମସ୍ତ କାମ ସାରି ଫେରିଆସିଛନ୍ତି ଅନୁରାଧା ଓ ନଳିନୀରଞ୍ଜନ ।

 

ଚିତ୍ରଟି ସେନ୍‌ସର ବୋର୍ଡ଼କୁ ଯାଇଛି । ସେନ୍‌ସର ବୋର୍ଡ଼ରୁ ଫେରିଲେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ଚିତ୍ରଟି ପ୍ରଦର୍ଶିତ ହେବ ।

 

ଅନୁରାଧା ଭାବୁଛି......

 

କେଉଁଦିନ ଚିତ୍ରଟି ପ୍ରଦର୍ଶିତ ହେବ ? କେଉଁଦିନ ତା’ର ଅଭିନୟ କଳାକୁ ଓଡ଼ିଶାର ହଜାର ହଜାର ଦର୍ଶକ ଦେଖିବାର ସୁଯୋଗ ପାଇବେ ? ନିଜ ଅଭିନେତ୍ରୀ ଜୀବନର ସମସ୍ତ କଳା–ବୈଭବକୁ ଏଇ ମୁଖ୍ୟ ନାୟିକା ଭୂମିକାରେ ସେ ରୂପାନ୍ତରିତ କରିଛି । ଛନ୍ଦା ଭଳି ଓଡ଼ିଶାର ଦର୍ଶକ ସମାଜରେ ପ୍ରଶଂସା ପାଇବ ବୋଲି ତା’ର ସମସ୍ତ ଶକ୍ତି ସେ ବିନିଯୋଗ କରିଛି । ଏତେ ଶ୍ରମ ଢାଳି, ଆନ୍ତରିକତା ସହିତ ଅଭିନୟ କରି, ଛନ୍ଦାଠାରୁ ସେ ଯଦି ଭଲ ଅଭିନୟ କରିବାର ସାର୍ଥକତା ତାର ରହିବ କେଉଁଠି ?

 

ଅନୁରାଧା ନିଜ ବାସଭାବନ ସଂଲଗ୍ନ ଉଦ୍ୟାନରେ ବସି ଏଇମିତି ଭାବିଚାଲିଛି ।

 

ମାତ୍ର ମନ ଭିତରେ ‘ଆଦିବାସୀ’ ଚିତ୍ର ସମ୍ପର୍କରେ ଚିନ୍ତା କରି ଯେଉଁ ଆନନ୍ଦ ଓ ପୁଲକ ମିଳୁଥିଲା, ସେ ଆନନ୍ଦ ଓ ପୁଲକ ବେଳେବେଳେ ମନ ଭିତରର କେଉଁ ଏକ ଦୋଷ ଓ ଦୁର୍ବଳତା ପାଇଁ ଦୁଃଖ ଓ ଆତଙ୍କରେ ଭରିଯାଉଥିଲା ।

 

ଅନୁରାଧାର ହଠାତ୍‌ ମନେପଡ଼ିଗଲା ଜୟପୁର ସହରର ସେଦିନର ସନ୍ଧ୍ୟା କଥା....

 

ଅଚାନକ ଭାବରେ ନିଜ ପ୍ରକୋଷ୍ଠ ଭିତରକୁ ପଶି ଆସି ପେଶାଦାର ଗୁଇନ୍ଦା ମେଘନାଦ ସାହାଣୀ ଯେଉଁସବୁ ଅବାଞ୍ଛନୀୟ ପ୍ରଶ୍ନ ପଚାରି ବସିଥିଲେ, ସେହି ପ୍ରଶ୍ନଗୁଡ଼ିକ ଆଜି ବି ବେଳେ ବେଳେ ମୁଣ୍ଡ ଭିତରେ ପ୍ରବେଶ କରି ମନଟାକୁ ଉତ୍ତେଜିତ କରିଦେଉଛି । ମେଘନାଦ ସାହାଣୀ ନ ହୋଇ ସେ ଯଦି ଆଉ କେହି ହୋଇଥାନ୍ତେ, ତା’ହେଲେ ତାଙ୍କ ବିରୁଦ୍ଧରେ ମାନାହାନୀ ମୋକଦ୍ଦମା ରୁଜୁ କରିବାକୁ ସେ ଟିକିଏ ହେଲେ ପଛେଇ ଯାଇ ନ ଥାନ୍ତା ।

 

ମନ ଗହନର ଗୋପନ କଥା ବାହାରେ ପ୍ରକାଶ ପାଇଲା କିପରି ? ଛନ୍ଦା ପ୍ରତି ତା’ର କ’ଣ ହିଂସା ଥିଲା ? ଈର୍ଷା ଥିଲା ? ଦ୍ୱେଷ ଥିଲା ? ହଁ, ହଁ, ନିଶ୍ଚୟ ଥିଲା ।

 

ତା’ର ସାତପଛରେ ଅଭିନୟ ଜଗତକୁ ଆସି ଛନ୍ଦା ବିପୁଳ ଖ୍ୟାତି ଅର୍ଜ୍ଜନ କଲା– ହଜାର ହଜାର ଦର୍ଶକ ତା’ର ଅଭିନୟ, ସୌନ୍ଦର୍ଯ୍ୟ ଓ କଳାକୌଶଳ ଦେଖି ପ୍ରଶସ୍ତି ବାଢ଼ିବାରେ ଶତଜିହ୍ୱା ହୋଇଉଠିଲା । କେଇଟା ଦିନ ଭିତରେ ସମସ୍ତ ଓଡ଼ିଶାରେ ସେ ହେଲା ପ୍ରଖ୍ୟାତ ଅଭିନେତ୍ରୀ ।

 

ତା’ପରେ ଗତବର୍ଷ ରାଷ୍ଟ୍ରପତିଙ୍କ ଠାରୁ ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ରୂପେ ପୁରସ୍କାର ପାଇଲା । ରାଷ୍ଟ୍ରୀୟ ସମ୍ମାନଠାରୁ ବଳି ଆଉ ଅଧିକ ସମ୍ମାନ ଜୀବନର କ’ଣ ମିଳିପାରେ ?

 

ଅନୁରାଧା ନିଜ ଉଦ୍ୟାନରେ ବସି ଭାବୁଛି । ଶୀତ ଛାଡ଼ି ଛାଡ଼ି ଆସିଲାଣି । ଆଦ୍ୟ ଫାଲ୍‌ଗୁନର ଚପଳ ହିହ୍ଲୋଳ ଧୀରେ ଧୀରେ ବହୁଛି ।

 

ନଳିନୀରଞ୍ଜନ ଆସିଲେ । ଅନୁରାଧା ବସିଥିବା ସିମେଣ୍ଟ ଚଉକି ପାଖରେ ସେ ଯାଇ ବସିପଡ଼ିଲେ ।

 

ନଳିନୀରଞ୍ଜନ ହଠାତ୍‍ ପ୍ରଶ୍ନ କଲେ– ପହିଲି ଫଗୁଣର ଏଇ ଅଳସ ସନ୍ଧ୍ୟାରେ ନିଜ ଉଦ୍ୟାନରେ ବସି କ’ଣ ସବୁ ଚିନ୍ତା କରୁଛ ଅନୁରାଧା ? ‘ଆଦିବାସୀ’ ଚିତ୍ରର ଗୌରବ ତମକୁ ଉଚ୍ଚ ଆସନରେ ନିଶ୍ଚୟ ପ୍ରତିଷ୍ଠିତ କରିବ ।

 

—ମୁଁ କ’ଣ ସତରେ ଛନ୍ଦାର ସ୍ଥାନ ଅଧିକାର କରିବି ନଳିନୀରଞ୍ଜନ ? ଛନ୍ଦାଭଳି ମତେ କ’ଣ ଓଡ଼ିଶା ଦେଶର ହଜାର ହଜାର ଦର୍ଶକ ପ୍ରଶଂସା କରିବେ ? ସମ୍ମାନ ଦେବେ ?

 

—ତମେ ଦେଖିବ ଅନୁରାଧା, ଚିତ୍ରଟି ମୁକ୍ତିଲାଭ କରିସାରିଲା ପରେ ପରେ ଓଡ଼ିଶା ଦେଶର ପତ୍ରପତ୍ରିକା ତମକୁ କିପରି ଉଚ୍ଛ୍ୱସିତ ପ୍ରଶଂସା କରିବେ । ମୋର ବିଶ୍ୱାସ ତମର ଅଭିନୟ ଛନ୍ଦାଠାରୁ ସହସ୍ର ଗୁଣରେ ଚିତ୍ତାକର୍ଷକ ହେବ ।

 

—ମୁଁ ଯଦି ଛନ୍ଦା ଭଳି କିମ୍ୱା ତା’ଠାରୁ ଟିକିଏ ଉନ୍ନତ ଧରଣର ଅଭିନୟ କରିପାରି ନ ଥିବି, ତା’ହେଲେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିବାକୁ କେହି ମତେ ଆଉ ନିମନ୍ତ୍ରଣ ଜଣାଇବେ ନାହିଁ ନଳିନୀରଞ୍ଜନ । ଯେଉଁ ପାର୍ଶ୍ୱ ଭୂମିକାରେ ମୁଁ ଏପର୍ଯ୍ୟନ୍ତ ଅଭିନୟ କରି ଆସିଛି, ସାରା ଜୀବନ ହୁଏତ ସେଇଥିରେ ବିତିଯିବ ।

 

—ତମେ ଦେଖିବ ଅନୁରାଧା, ମୁଁ ପ୍ରତିଶ୍ରୁତି ଦେଉଛି, ତମର ଅଭିନୟ ଏ ଦେଶରେ ନିଶ୍ଚୟ ଆଲୋଡ଼ନ ସୃଷ୍ଟି କରିବ । ସେଥିପାଇଁ ତମେ କାହିଁକି ଯେ ଏତେ ବ୍ୟସ୍ତ ଓ ବିବ୍ରତ ହେଉଛ, ମୁଁ ଜାଣିପାରୁନାହିଁ ।

 

ଏତିକି କହିସାରିଲା ପରେ ଅନୁରାଧା ଘୁଞ୍ଚି ଆସିଲା ନଳିନୀରଞ୍ଜନଙ୍କ ପାଖକୁ । ନଳିନୀରଞ୍ଜନ ଅନୁରାଧାର ଆବେଗ ଉତ୍‌ଥିତ ଏଇ ରୋମାଞ୍ଚକୁ ଜାଣିପାରି ନିଜର ବାହୁବେଷ୍ଟନୀରେ ତା’ର କଟିଦେଶକୁ ଜାବୁଡ଼ି ଧରିଲେ ।

 

କିଛି ସମୟ ନୀରବରେ କଟିଲା....

 

ପ୍ରଥମେ ଅନୁରାଧା ଆରମ୍ଭ କଲା– ଆଜିକାଲି ମତେ ଭାରି ଭୟ ଲାଗୁଛି ନଳିନୀରଞ୍ଜନ-। ତମେ ମୋତେ ତମର କୋଳକୁ ଟାଣିନିଅ । ତମ କୋଳରେ ଶୋଇ ରହି, ଦୁନିଆର ସମସ୍ତ ଭୟ, ଭ୍ରାନ୍ତି ଓ ତ୍ରୁଟି ମୁଁ ଭୁଲିଯିବି । ତମେ ମୋତେ ଆହୁରି ନିକଟତମ କର ନଳିନୀରଞ୍ଜନ ।

 

ନଳିନୀରଞ୍ଜନ ଆଶ୍ୱାସନାର ବାଣୀ ଶୁଣାଇ କହିଲେ– ତମର ଭୟ କରିବାର କୌଣସି କାରଣ ନାହିଁ ଅନୁରାଧା ମୁଁ ତମ ପଛେ ପଛେ ଛାଇଭଳି ଲାଗି ରହିଛି । ତମେ ଭୟ ପାଇଗଲେ, ଡରିଗଲେ, ଶଙ୍କିଗଲେ, ତମକୁ ମୁଁ ଅଭୟବାଣୀ ଶୁଣାଇବି ।

 

ନଳିନୀରଞ୍ଜନ ଏତିକି କହି ପୁଣି ଟାଣି ଆଣିଲେ ନିଜ କୋଳକୁ ଅନୁରାଧାକୁ ।

 

ଫଗୁଣ ସନ୍ଧ୍ୟାର ପବନ ଉଦ୍ୟାନର ପ୍ରତି ଗଛ ପତ୍ର ଓ ଲତାରେ ପିଟି ହୋଇ ସୃଷ୍ଟି କରିଥିଲା ଅପୂର୍ବ ଏକ ମର୍ମର ।

 

ଅନୁରାଧା ଶୋଇଛି ନଳିନୀରଞ୍ଜନଙ୍କ କୋଳରେ ।

 

ନଳିନୀରଞ୍ଜନ କହିଲେ– ଆଉ କ’ଣ ତମକୁ ଭୟ ଲାଗୁଛି ଅନୁରାଧା ? ତମ ଦୁର୍ବଳ ମନର ପ୍ରତିଧ୍ୱନି ତମକୁ ସମ୍ଭବତଃ ଭୟ ଦେଖାଉଛି ? ଭୀତି ସୃଷ୍ଟି କରୁଛି । ନ ହେଲେ ତମଭଳି ସୁନ୍ଦରୀ ସନେମା ଅଭିନେତ୍ରୀଙ୍କର ଭୟ ପାଇବାର କୌଣସି କାରଣ ନାହିଁ ।

 

ଅନୁରାଧା ନଳିନୀରଞ୍ଜନଙ୍କ କୋଳରେ ଶୋଇ ରହି କହିଲା– ଆଗାମୀ ଚିତ୍ରରେ ତମକୁ ନାୟକ ଭୂମିକାରେ ମୋ ସହିତ ଅଭିନୟ କରିବାକୁ ନିଶ୍ଚୟ ଚେଷ୍ଟା କରିବି ନଳିନୀରଞ୍ଜନ । ବାସ୍ତବ ଜୀବନରେ ତମେ ଯେପରି ମୋର ହୋଇ ଉଠିଛ ସଖା, ସାଙ୍ଗ ଓ ସାଥି; ଅଭିନୟ ଜଗତରେ ଆମେ ମଧ୍ୟ ଠିକ୍‌ ହେବା ସେଇମିତି । କେଉଁ ଏକ ଶୁଭ ଲଗ୍ନରେ ‘ଏପାରି ସେପାରି’ ଚିତ୍ରରେ ଆମର ଭେଟ ହେଲା କେଜାଣି, ସେହି ଦିନଠାରୁ ଆମେ ଦୁହେଁ ଦୁହିଙ୍କ ଆଡ଼କୁ ଆକୃଷ୍ଟ ହୋଇଉଠିଲେ ।

 

ନଳିନୀରଞ୍ଜନ ଅନୁରାଧାର ମେଘ ବଳୟିତ ବହଳ କେଶଗୁଚ୍ଛରେ ହାତ ବୁଲାଉଥିଲେ...

 

ଫାଲ୍‌ଗୁନର ସନ୍ଧ୍ୟା ଆସ୍ତେ ଆସ୍ତେ ରାତ୍ରିରେ ପରିଣତ ହେଉଛି...

 

ପବନର ଗତି ବେଳୁଁ ବେଳ ପ୍ରଖର ହେଉଛି ।

 

ଉଦ୍ୟାନର ସଜଫୁଟା ପୁଷ୍ପଗୁଡ଼ିକର ସୁରଭି ସନ୍ଧ୍ୟାର ପବନରେ ଭାସ ଭାସି ଚାଲିଛି ।

 

ଆଜି ହେଉଛି ବହୁ ପ୍ରତିକ୍ଷିତ ‘ଆଦିବାସୀ’ ଚିତ୍ରର ମୁକ୍ତି ଦିବସ । ଅନୁରାଧାର ଗୋଡ଼ତଳେ ଲାଗୁନାହିଁ । ଗତକାଲି ସେ ନିଜେ ଟ୍ରେଡ଼୍‌ ସୋକୁ ନିମନ୍ତ୍ରିତ ହୋଇ ଯାଇଥିଲା । ନିଜେ ନିଜର ଅଭିନୟ ଦେଖି ଗତକାଲି ସେ ମୁଗ୍‌ଧ ହୋଇଛି–ବିସ୍ମିତ ହୋଇଛି । ନିଜର ଆଶଙ୍କା ଓ ଦ୍ୱିଧାଗ୍ରସ୍ତ ମନକୁ ପରାଜିତ କରି ସେ କରିଛି ସାଫଲ୍ୟପୂର୍ଣ୍ଣ ଅଭିନୟ ।

 

ଆଜି କିନ୍ତୁ ପ୍ରେକ୍ଷାଳୟରେ ହଜାର ହଜାର ଦର୍ଶକ, ଆଜିଠାରୁ ପ୍ରତିଦିନ ତିନୋଟି ସୋ’ରେ ତା’ର ଅଭିନୟ ଦେଖିପାରିବେ । ନଳିନୀରଞ୍ଜନଙ୍କର ଆଶ୍ୱାସନା ଓ ପ୍ରତିଶ୍ରୁତି ବାସ୍ତବିକ୍‌ ସତ୍ୟ ହୋଇଛି । ଛନ୍ଦାର ଅଭିନୟ ଠାରୁ ତା’ ଅଭିନୟ କୌଣସି ଗୁଣରେ ଯେ ନ୍ୟୂନ ନୁହେଁ, ଏକଥା ସେ ନିଜେ ହୃଦୟଙ୍ଗମ କରିପାରିଛି ।

 

ସୁରିତ୍‌ କୁମାର ତା’ ସହିତ ପ୍ରତି ଚିତ୍ରରେ ନାୟକ ରୂପେ ଅଭିନୟ କରିବାକୁ ଯଦି ଆଗେଇ ଆସନ୍ତି, ତା’ହେଲେ ଛନ୍ଦାର ସ୍ଥାନ ନିର୍ବିବାଦରେ ସେ ପୂରଣ କରିପାରିବ । କିନ୍ତୁ ସେ କ’ଣ ଆସିବେ ? ଏବେ ସୁଦ୍ଧା ତାଙ୍କର ଯେମିତି ତା’ ଉପରେ ସନ୍ଦେହ ରହିଛି ।

 

ନଳିନୀରଞ୍ଜନ ‘ହିରୋ’ ଭୂମିକାରେ କ’ଣ ଅଭିନୟ କରିପାରିବେ ? ସୁରିତ୍‌ କୁମାରଙ୍କ ପରି ତାଙ୍କ ଦେହରେ ଲାଳିତ୍ୟ ନାହିଁ–ଲାବଣ୍ୟ ନାହିଁ । ସୁରିତ୍‌ କୁମାରଙ୍କ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ପରି ନଳିନୀରଞ୍ଜନଙ୍କର ନାହିଁ । ତେଣୁ ସୁରିତ୍‌ କୁମାର ସ୍ଥାନ କିଏ ପୂରଣ କରିବ ?

 

ଅନୁରାଧା ଭାବୁଛି....

 

ଦାଣ୍ଡଘରର ଚେୟାର ଉପରେ ବସି ଓଡ଼ିଆରେ ପ୍ରକାଶିତ ମାସିକ ‘ସିନେମା ଜଗତ’ ପତ୍ରିକା ଖେଳାଇ ଖେଳାଇ ଏଇସବୁ ସେ ଭାବିଚାଲିଛି ।

 

ସେଇ ବାଟ ଦେଇ ସୁରିତ୍‌ କୁମାର ଯାଉଥିଲେ । ହଠାତ୍‌ ରାସ୍ତାପାର୍ଶ୍ୱରେ ଅନୁରାଧାଙ୍କ ଘର ପଡ଼ିବାରୁ ହଠାତ୍‌ ତାଙ୍କ ରିକ୍‌ସା ଅଟକିଗଲା । ସେ ଓହ୍ଲାଇ ପଡ଼ିଲେ ।

 

ଝରକାବାଟେ ସୁରିତ୍‌ କୁମାର ଆସୁଥିବାର ଦେଖି ଅନୁରାଧା ଲୁଗାପଟା ସଜାଡ଼ି ନେଇ ସତର୍କତାର ସହିତ ବସିପଡ଼ିଲା ।

 

ଅନୁରାଧା ଦାଣ୍ଡଘର କବାଟ ଖୋଲି ସୁରିତ୍‌ କୁମାରଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇବାକୁ ଆଗେଇଆସିଲା ।

 

ଅନୁରାଧା ନମସ୍କାର ଜଣାଇ କହିଲା–ଆରେ ଆସନ୍ତୁ–ଅପୂର୍ବ ଯେ...

 

ସୁରିତ୍‌ କୁମାର ଭଦ୍ରୋଚିତ କଣ୍ଠରେ କହିଲେ– ଏଇ ଯାଉଥିଲି ଜଣେ ସାଙ୍ଗଙ୍କ ଘରକୁ, ହଠାତ୍‌ ଆପଣଙ୍କ କଥା ମନରେ ପଡ଼ିଗଲା । ତେଣୁ ଓହ୍ଲାଇପଡ଼ିଲି ।

 

ଅନୁରାଧା କହିଲା– ତା’ହେଲେ ଭଲ କଲେ, ଆସନ୍ତୁ । ଟିକିଏ ବସିବେନି ଆମ ଘରେ-?

 

ଅନୁରାଧା ଓ ସୁରିତ୍‌ କୁମାର ଚେୟାରରେ ବସିପଡ଼ିଲେ ।

 

ଅନୁରାଧା କହିଲା– ଆଜି ଆସନ୍ତୁ ଛ’ଟା ବେଳକୁ, ଏକା ସାଙ୍ଗରେ ‘ଆଦିବାସୀ’ ଦେଖିବାକୁ ଯିବା । ନଳିନୀରଞ୍ଜନ ମଧ୍ୟ ଯିବେ ।

 

ସୁରିତ୍‌ କୁମାର କହିଲେ– ଗତ କାଲି ମୁଁ ତ ଟ୍ରେଡ଼ ସୋ ଦେଖିଛି ଅନୁରାଧା ଦେବୀ ! ଆଜି କାହିଁକି ଅଯଥାରେ ଯିବି ? ତା’ଛଡ଼ା ଆଜି ମୋର ଏକ ଦରକାରୀ କାର୍ଯ୍ୟ ରହିଛି । କ୍ଷମା କରିବେ, ମୁଁ ଆସିପାରିବିନି ।

 

ଅନୁରାଧାଙ୍କ ପ୍ରସ୍ତାବ ପ୍ରସ୍ତାବରେ ହିଁ ରହିଗଲା ।

 

କିଛି ସମୟ ନୀରବରେ ରହି ସୁରିତ୍‌ କୁମାର କହିଲେ– ଆପଣଙ୍କ ଅଭିନୟ ବାସ୍ତବିକ୍‌ ଚମତ୍କାର ହୋଇଛି । ମୁଁ ତ ଆଶା କରି ନ ଥିଲି ଆପଣ ଏପରି ଭାବରେ ଅଭିନୟ କରିବେ ବୋଲି-। ଆପଣ ଏକାଦିକ୍ରମେ ଯଦି ଏଇଭଳି ଛ’ ସାତଟି ଚିତ୍ରରେ ଅଭିନୟ କରିବେ, ତା’ହେଲେ ଛନ୍ଦାଦେବୀଙ୍କ ସ୍ତରକୁ ଆସିଯିବେ ବୋଲି ଆମେ ଆଶା କରୁଛୁ ।

 

ଅନୁରାଧାର ମନରେ ଆଘାତ ଲାଗିଲା ।

 

ନଳିନୀରଞ୍ଜନ ଓ ଅନ୍ୟମାନ କହୁଥିଲେ ତା’ ଅଭିନୟ ସାର୍ଥକ ହୋଇଛି ବୋଲି । ସେ ନିଜେ ମଧ୍ୟ ନିଜର ଅଭିନୟ ଦେଖି ଆତ୍ମସନ୍ତୋଷ ଲାଭ କରିଛି; ମାତ୍ର ସୁରିତ୍‌ କୁମାରଙ୍କର ଏ କି ମତାମତ ? ମନ୍ତବ୍ୟ ? ଛନ୍ଦାର ମୃତ୍ୟୁ ପରେ ମଧ୍ୟ ସୁରିତ୍‌ କୁମାର ତା’ର ପ୍ରଶଂସା ଗାଉଛନ୍ତି । ଚାଟୁକ୍ତି ବାଢ଼ୁଛନ୍ତି ।

 

ଅନୁରାଧାର ମୁହଁ ପାଂଶୁଳ ପଡ଼ିଆସିଲା ।

 

ସୁରିତ୍‌ କୁମାର କହିଲେ– ଆଚ୍ଛା, ମୁଁ ଚାଲିଲି ଅନୁରାଧା ଦେବୀ, ପୁଣି ପରେ କେବେ ଦେଖାସାକ୍ଷାତ ହେବ, ନମସ୍କାର ।

 

ପ୍ରତିନମସ୍କାର ଜଣାଇ ଅନୁରାଧା ତାଙ୍କୁ ବିଦାୟବାର୍ତ୍ତା ଜଣାଇଲା ।

 

ସୁରିତ୍‌ କୁମାର ପୁଣି ରିକ୍‌ସା ଉପରେ ବସି ସହରର ରାସ୍ତାରେ ଅଦୃଶ୍ୟ ହୋଇଗଲେ ।

 

ଅନୁରାଧା ଭାବିଲା ଛନ୍ଦାର ପ୍ରଶଂସା ସେ ଆଉ ସହିପାରିବନି । ଛନ୍ଦାର ପ୍ରଶଂସା ସେ ଆଉ ଶୁଣି ପାରିବନି । କାନ ତା’ର ସ୍ତବ୍‌ଧ ହୋଇଯାଉ । ଶ୍ରବଣ ଶକ୍ତି ତା’ର ହ୍ରାସ ପାଉ ।

 

ସେ ଫେରିଗଲା ଘର ଭିତରକୁ ।

 

ସୁରିତ୍‌ କୁମାରଙ୍କ ଠାରୁ ତା’ର ଅଭିନୟ ଜନିତ ମନ୍ତବ୍ୟ ଶୁଣିସାରିଲା ପରେ, ଗତକାଲିର ସ୍ୱପ୍ନ, ଆଶା ଓ କଳ୍ପନା ଯେମିତି ଧୂଳିରେ ମିଶିଗଲା । ଏକ ଅଜ୍ଞାତ ଅଶ୍ୱସ୍ତିରେ ଅନ୍ତର ତା’ର ମୂର୍ଚ୍ଛିତ ହୋଇଉଠିଲା ।

 

ସରୋଜରଞ୍ଜନ ଓ ମେଘନାଦ ଆଜି ତାଲିମପ୍ରାପ୍ତ କୁକୁର ଧରି ଛନ୍ଦା ହତ୍ୟାକାରୀର ଅନୁସନ୍ଧାନ ନେବାକୁ ବାହାରିଛନ୍ତି । ଦୁହିଙ୍କ ମନରେ ଆଜି ଅପୂର୍ବ ଆନନ୍ଦ–ଅଭିନବ ଆତ୍ମଚେତନା ।

 

ଜିପ୍‌ ଥୁଆହୋଇଛି ଆଗରେ । କୁକୁର ଦୁଇଟି ଜିପ୍‌ରେ ବସିଛନ୍ତି ।

 

ସରୋଜରଞ୍ଜନ କହିଲା– ଆଉ ଡେରି କାହିଁକି ସାର, ଆସନ୍ତୁ । ସନ୍ଧ୍ୟା ଆସନ୍ନ ହୋଇଆସିଲାଣି । ସନ୍ଧ୍ୟାର ଏଇ ମଧୁର ଲଗ୍ନରେ ଛନ୍ଦା ହତ୍ୟାକାରୀର ସନ୍ଧାନ ନେବାକୁ ଆମକୁ ସୁବିଧା ହେବ । ଡେରି କରନ୍ତୁ ନାହିଁ ।

 

ମେଘନାଦ କହିଲେ– ହଁ, ହଁ, ଆଉ ଡେରି କରିବାର କୌଣସି କାରଣ ନାହିଁ । ଚାଲ, ଚାଲ....

 

ମେଘନାଦ ଆସି ଜିପ୍‌ରେ ବସିଲେ । ସରୋଜରଞ୍ଜନ ମଧ୍ୟ ଜିପ୍‌ରେ ବସିଲା । ଡ୍ରାଇଭର ଗାଡ଼ି ଛୁଟାଇଦେଲା ଆଗକୁ ଆଗକୁ ।

 

ଜିପ୍‌ ଚାଲିଛି ଦ୍ରୁତ ଗତିରେ....

 

ଚଳମାନ ଜିପ୍‌ରେ ବସି ସରୋଜରଞ୍ଜନ କହିଲା– ଆଗ କେଉଁଠିକି ଯିବା ସାର୍‌ ?

 

—ଚାଲ, ଗାଡ଼ି ଯେଉଁଠି ଅଟକିବାର କଥା, ମୁଁ ସେଇଠାରେ ଅଟକାଇବାକୁ ନିର୍ଦ୍ଦେଶ ଦେବି । ତମର ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ମାତ୍ର ଶୁଣ ସରୋଜରଞ୍ଜନ, କୁକୁର ହତ୍ୟାକାରୀର ସନ୍ଧାନ ନେଇ ସାରିଲା ପରେ ତମେ ସିଧା ଜିପ୍‌ ଧରି ଥାନାକୁ ଦଉଡ଼ିବ । ପୋଲିସମାନଙ୍କୁ ସାଙ୍ଗରେ ଧରି ସ୍ପଟରେ ପହଞ୍ଚିଲା ମାତ୍ରେ ଆମେ ପ୍ରକୃତ ହତ୍ୟାକାରୀକୁ ହ୍ୟାଣ୍ଡକପ୍‌ ଦେଇ ଆଣିପାରିବା ।

 

ଗାଡ଼ି ଚାଲିଛି.....

 

ଥାନା ପାଖରେ ଜିପ୍‌ ଅଟକିଲା ।

 

ସରୋଜରଞ୍ଜନ କହିଲା– ସାର୍‌, ଗାଡ଼ି କାହିଁକି ପୁଣି ଏଠାରେ ରଖାଇଲେ ?

 

ମେଘନାଦ କହିଲେ– ଦେଖ, ଆଜି କିଭଳି ଗୁପ୍ତ ରହସ୍ୟ ପଦାରେ ପଡ଼ିବ । ତମେ ବସ ଜିପ୍‌ରେ । ମୁଁ ଆସୁଛି ଏଇ ସାଙ୍ଗେ ସାଙ୍ଗେ ଥାନାରୁ ।

 

ମେଘନାଦ ଥାନାକୁ ଯାଇ, ଚଣ୍ଡୀଖୋଲ ଡାକବଙ୍ଗ୍‍ଲୋର ସେଇ ଓ୍ୱାଚରକୁ ହାଜତରୁ ବାହାର କରି ସାଙ୍ଗରେ ଆଣିଲେ । ତାକୁ ଜିପ୍‌ରେ ବସାଇସାରି ଡ୍ରାଇଭରକୁ ଗାଡ଼ି ଚଳାଇବା ପାଇଁ କହିଲେ । ଗାଡ଼ି ଗଡ଼ିଚାଲିଲା ପୁଣି ଆଗକୁ.......

 

ସରୋଜରଞ୍ଜନ କହିଲା–ଏ ଲୋକଟି କିଏ ସାର୍‌ ! ୟାକୁ ସାଙ୍ଗରେ ଆଣିବାର କି ପ୍ରୟୋଜନ ଥିଲା ?

 

ମେଘନାଦ ଗମ୍ଭୀର ହୋଇ କହିଲେ– ତମେ ଧୈର୍ଯ୍ୟଧରି ଅପେକ୍ଷା କର ସରୋଜରଞ୍ଜନ । ଦେଖ, ଆଜିକାର ଘଟଣା କିପରି ରୂପ ଧାରଣ କରୁଛି । ବାସ୍ତବ ଘଟଣା କ୍ଷେତ୍ରରେ ତମେ ସବୁ କିଛି ଜାଣିବାକୁ ସମର୍ଥ ହେବ ।

 

ଜିପ୍‌ ଚାଲିଛି......

 

ସରୋଜରଞ୍ଜନ କିଛି ବୁଝିପାରୁନାହିଁ । ପ୍ରଖ୍ୟାତ ପେଷାଦାର ଗୁଇନ୍ଦା ମେଘନାଦଙ୍କ ସଂସ୍ପର୍ଶରେ ନିବିଡ଼ ଭାବରେ ଆସି ମଧ୍ୟ ଏବେ ତାଙ୍କୁ ଭଲରୂପ ବୁଝି ପାରୁନାହିଁ ।

 

ଚଣ୍ଡୀଖୋଲ ଡାକବଙ୍ଗ୍‌ଲୋର ସେଇ ଜଗୁଆଳୀଟି ଗାଡ଼ି ପଛପଟ ସିଟ୍‌ରେ ବସିଛି । ଦୁଇଟି ହୃଷ୍ଟପୁଷ୍ଟ, ଚତୁର ଓ ସମାଜର ଗୋପନୀୟ ବ୍ୟବସ୍ଥାକୁ ପଦାରେ ପକାଇ ଦେବାପାଇଁ ସତତ ତତ୍ପର ସେଇ ତାଲିମ୍‌ପ୍ରାପ୍ତ କୁକୁର ହର୍ଷୋତ୍‌ଫୁଲ୍ଲ ନୟନରେ ଚାହିଁ ରହିଛନ୍ତି ଡାକବଙ୍ଗ୍‌ଲୋର ସେଇ ଜଗୁଆଳିଟିକୁ । କାହିଁକି ? କେଜାଣି ?

 

ସରୋଜରଞ୍ଜନ କିଛି ବୁଝିପାରୁନାହିଁ । ନିର୍ବୋଧଙ୍କ ପରି ଚାହିଁ ରହିଛି ସେଇ ଦୁଇଟି କୁକୁରଙ୍କ ଆଡ଼େ ।

 

ସେମାନେ କଥା କହିପାରୁନାହାନ୍ତି । ନଚେତ୍‌ କଥା କହିବା ବ୍ୟତୀତ ଏଇ ଦୁଇଟି ଅବହେଳିତ ପଶୁଙ୍କର ସବୁ କିଛି ଅନୁଭୂତି ଅଛି, ସ୍ପର୍ଶେନ୍ଦ୍ରିୟ ରହିଛି । ଘ୍ରାଣେନ୍ଦ୍ରିୟ ଅଛି ତା’ ସାହାଯ୍ୟରେ ପୃଥିବୀର ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷଠାରୁ ସେମାନେ ହୋଇପାରିଛନ୍ତି ଚତୁର, ଧୂର୍ତ୍ତ ।

 

ଗାଡ଼ି ଚାଲୁ ଚାଲୁ, ଗୋଟିଏ ଦୋମହଲା କୋଠା ପାଖରେ ଅଟକିଲା ।

ମେଘନାଦ ହଠାତ୍‌ ଓହ୍ଲାଇ ପଡ଼ିଲେ ଜିପ୍‌ରୁ । ଦୋମହଲା କୋଠାର ଦ୍ୱାରଦେଶରେ ପହଞ୍ଚି, ବାରମ୍ୱାର ସେଇ କବାଟରେ ଆଘାତ କରିବାରେ ଲାଗିଲେ ।

ସରୋଜରଞ୍ଜନକୁ ଏସବୁ ସତେ ଯେପରି ପ୍ରହେଳିକା ପରି ଲାଗୁଛି । ଏ ଘର କାହାର-? କାହାକୁ ଖୋଜୁଛନ୍ତି ମେଘନାଦ ବାବୁ ?

ଯେଉଁ ଘରର କବାଟରେ ମେଘନାଦ ବାବୁ ଆଘାତ କରୁଥିଲେ, ସେଇ ଘରୁ ବାହାରି ଆସିଲେ ଜଣେ ବୃଦ୍ଧା । ସନ୍ଧ୍ୟାର ମଳିନ ଆଲୋକରେ ସରୋଜରଞ୍ଜନ ତାଙ୍କୁ ଭଲରୂପେ ଚିହ୍ନିପାରିଲା ନାହିଁ ।

ମେଘନାଦ ବାବୁ କହିଲେ– ବାବୁ ଅଛନ୍ତି ?

—ନାଁ ।

—କୁଆଡ଼େ ଯାଇଛନ୍ତି ?

—ତା’ର ଜଣେ ଯୁବତୀ–ବଂଧୁର ଜନ୍ମୋତ୍ସବ ଉପଲକ୍ଷେ ନିମନ୍ତ୍ରିତ ହୋଇ ସେ ସେଠାକୁ ଯାଇଛି । ଫେରୁ ଫେରୁ ରାତି ବାରରୁ ବେଶୀ ହୋଇଯିବ ।

ମେଘନାଦ ବାବୁ ସବୁ ଜାଣିପାରିଲେ । କହିଲେ–ଆଚ୍ଛା ହେଉ, ମୁଁ ଚାଲିଲି ।

ବୃଦ୍ଧା ଜଣକ ପଚାରିଲେ–ତମ ନାଁ କ’ଣ ବାବା କହିଯାଅ ସେ ଆସିଲେ ତାକୁ ତମ ଆସିବା କଥା କହିଦେବି ।

ମେଘନାଦ ବାବୁ କହିଲେ– କିଛି ଦରକାର ନାହିଁ ମାଉସୀ । ମୁଁ ତ ବର୍ତ୍ତମାନ ଯାଉଛି ତାଙ୍କ ପାଖକୁ । ତମେ କବାଟ ଦେଇଦିଅ ।

ମେଘନାଦ ପୁଣି ଜିପ୍‌ରେ ଆସି ବସିଲେ ।

ବୃଦ୍ଧା କବାଟ ବନ୍ଦ କରିଦେଲା ।

ପୁଣି ଜିପ୍‌ ଚାଲିଲା ଆଗକୁ ଆଗକୁ ।

ସନ୍ଧ୍ୟା ସେତେବେଳକୁ ଗାଢ଼ତର ହୋଇ ଆସିଲାଣି । କଟକ ସହରର ରାସ୍ତାରେ ରାସ୍ତାରେ ଜଳିଉଠିଲାଣି ଅସଂଖ୍ୟ ବିଜୁଳି ଆଲୋକ । ଗାଡ଼ି ଛୁଟୁଛି ଏକମୁହାଁ ହୋଇ ।

ମେଘନାଦ ଡ୍ରାଇଭରକୁ ଗାଡ଼ି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଲେ । ଗାଡ଼ି ଅଟକିଲା । ମେଘନାଦ ଆଗ ଓହ୍ଲାଇପଡ଼ିଲେ ।

ସରୋଜରଞ୍ଜନ ତାଙ୍କ ପଛେ ପଛେ ଓହ୍ଲାଇପଡ଼ିଲା ।

ସରୋଜରଞ୍ଜନ ଚିହ୍ନିପାରିଲେ ଏ ଘରକୁ, ଘର ଅଭିନେତ୍ରୀ ଅନୁରାଧାଙ୍କର । ଅଫିସ୍‌ରୁ ବାହାରିବା ପରଠାରୁ ଏପର୍ଯ୍ୟନ୍ତ ମନ ତା’ର ସନ୍ଦେହର ଦୋଳିରେ ଦୋଳାୟିତ ହେଉଥିଲା । ମାତ୍ର ଅନୁରାଧାଙ୍କ ଘର ଦେଖିସାରିଲା ପରେ ସେ ଏକପ୍ରକାର ଆଶ୍ୱସ୍ତ ହେଲା ।

 

ମେଘନାଦ ଦେଖିଲେ ଘରର ଦ୍ୱାରକୁ । ଘରର ଦ୍ୱାର ବନ୍ଦ ରହିଛି । ଅଥଚ ଘର ସଂଲଗ୍ନ ଲନ୍‌ରେ ବହୁ ଲୋକଙ୍କର ପାଟିତୁଣ୍ଡ ଶୁଭୁଛି । ଆନନ୍ଦ ଓ ହସର ସମ୍ମିଳିତ ଧ୍ୱନି ଘରର ବାହାରକୁ ସ୍ପଷ୍ଟ ଭାବରେ ମଧ୍ୟ ଶୁଣାଯାଉଛି ।

 

ମେଘନାଦ ବାବୁ ପକ୍‌କା ପାଚେରୀ ପାଖରେ ଠିଆ ହୋଇ ଚାହିଁଲେ ଲନ୍‌କୁ । ବହୁ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଆଜି ଅନୁରାଧାର ଜନ୍ମ ଦିବସରେ ଯୋଗଦାନ କରିଛନ୍ତି । ଲନ୍‌ରେ ଜଳୁଛି ବହୁବର୍ଣ୍ଣର ବିଦ୍ୟୁତ୍‌ ଆଲୋକ ।

 

ମେଘନାଦଙ୍କ ମନ ଦବିଗଲା । ଏଡ଼େ ବଡ଼ ଉତ୍ସବରେ ଆନନ୍ଦ ଉଚ୍ଛ୍ୱାସ ଓ ଉଦ୍ଦୀପନାର ଅସରନ୍ତି ଭାବାବେଗ ଭିତରେ ସେ କିପରି ସୃଷ୍ଟି କରିବେ ଦୁଃଖ ସନ୍ଦେହ ଓ କାରୁଣ୍ୟ ।

 

ସେଠାରୁ ସେ ଫେରିଆସିଲେ ଜିପ୍‍ ପାଖକୁ ।

 

ସରୋଜରଞ୍ଜନ ପାଚେରୀ ପାଖରେ ଠିଆ ହୋଇ ଚାହିଁଲା ସେଇ ଉତ୍ସବର ଆବେଗକୁ-

 

ମେଘନାଦ ଭାବୁଛନ୍ତି ଆଜିଭଳି ଏକ ଦିବସରେ ଛନ୍ଦା ହତ୍ୟାର ହିସାବ ନିକାଶ ନ କଲେ ଏ ସୁଯୋଗ ଆଉ ହୁଏତ ମିଳିବ ନାହିଁ । ସମାଜରେ ଯେଉଁମାନେ ନାନା ବିଭୀଷିକା ସୃଷ୍ଟିକରି ଜନତାର ଆଖିରେ ଧୂଳି ଦେଇ ପୁଣି ଭଦ୍ର ସାଜି ପାରନ୍ତି, ସେମାନଙ୍କ ପାଇଁ ଦୟା ନାହିଁ, ସ୍ନେହ ନାହିଁ, ସହାନୁଭୂତି ନାହିଁ । ସେମାନଙ୍କ ସ୍ୱରୂପକୁ ବିଚ୍‌ବଜାରରେ ପଦାରେ ପକାଇଦେଲେ କୌଣସି କ୍ଷତି ମଧ୍ୟ ନାହିଁ ।

 

ମେଘନାଦ ବାବୁ କହିଲେ– ଇଆଡ଼କୁ ଆସ ସରୋଜରଞ୍ଜନ, ଗୋଡ଼ ଟେକି ସୁସଜ୍ଜିତ ଲନ୍‌କୁ ଚାହିଁବାର ବେଳ ବର୍ତ୍ତମାନ ନୁହେଁ । ତମେ କବାଟ ଉପରେ ଆଘାତ କର ।

 

ସରୋଜରଞ୍ଜନ ଫେରିଆସି କବାଟ ଉପରେ ବାରମ୍ବାର ଆଘାତ କଲା ।

 

ଉତ୍ସବର ଆନନ୍ଦ ଉଚ୍ଛ୍ୱାସରେ ସମସ୍ତେ ମସ୍‌ଗୁଲ । ଏପରି କି ଯେଉଁ ଚାକର ବିଚରା ଦାଣ୍ଡ ଦୁଆରେ ଜଗି ରହିଥିଲା, ସେ ମଧ୍ୟ ଅବଶେଷରେ ଚାଲିଯାଇଛି ଲନ୍‌କୁ ।

 

ମେଘନାଦ ଧୀରେ ଧୀରେ କହିଲେ– ଶୁଣ ସରୋଜରଞ୍ଜନ, ତମେ ବର୍ତ୍ତମାନ ଜିପ୍‌ ନେଇ କିଛି ବାଟ ଆଗକୁ ଚାଲିଯାଅ । ମୁଁ ଲନ୍‌ ଭିତରକୁ ପ୍ରବେଶ କରିବାର ଦେଖିଲେ ତମେ ଗାଡ଼ି ଧରି ଆସିବ ଏବଂ କୁକୁର ଓ ଏଇ ଓ୍ୱାଚରକୁ ସାଙ୍ଗେ ସାଙ୍ଗେ ମୋ ପାଖରେ ପହଞ୍ଚାଇ ଦେଇ ଥାନା ଅଭିମୁଖେ ଯାତ୍ରା କରିବ ।

 

ଥାନାରେ ମୁହୂର୍ତ୍ତେ ମାତ୍ର ବିଳମ୍ବ ନ କରି ବଳିଆର ସିଂହ ବାବୁ ଓ ଇନ୍‌ସପେକ୍ଟର ବାବୁଙ୍କୁ ସାଙ୍ଗେ ସାଙ୍ଗେ ଆସିବାକୁ କହିବ । ସେ ଦୁହେଁଯାକ ଆସିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି-

 

ସରୋଜରଞ୍ଜନ ତାହାହିଁ କଲା ।

 

ମେଘନାଦ ବର୍ତ୍ତମାନ କବାଟ ପାଖରେ ଠିଆ ହେଲେ । କବାଟ ଉପରେ ତଥାପି ଆଘାତର ବିରାମ ନାହିଁ ।

 

କବାଟ ଖୋଲିବାର ଶବ୍ଦ ହେବା ମାତ୍ରେ ସରୋଜରଞ୍ଜନ ଜିପ୍‌ ଧରି କିଛିବାଟ ଆଗକୁ ଚାଲିଗଲେ ।

 

ମେଘନାଦଙ୍କୁ ଚାକର ଦେଖି କହିଲା– ଚାଲନ୍ତୁ ଆଜ୍ଞା, ଦେଈ ଆମର ଲନ୍‌ରେ । ଖାଇବା ପିଇବା ଆରମ୍ଭ ହୋଇନାହିଁ, ଚାଲନ୍ତୁ ।

 

ବିନା ଉତ୍ତରରେ ଲନ୍‌ ପାଖକୁ ଚାଲିଗଲେ ମେଘନାଦ ।

 

ମେଘନାଦଙ୍କୁ ଅନିମନ୍ତ୍ରିତ ଭାବରେ ଦେଖି ଅନୁରାଧାର ଛାତିରେ ହଠାତ୍‌ ଚମକ ପଶିଲା-। କିନ୍ତୁ ଉପାୟ କାହିଁ ? ଅଗତ୍ୟ କୃତ୍ରିମ ଆନନ୍ଦରେ ବିଭୋର ହେଲାଭଳି କହିଲେ–କ୍ଷମା କରିବେ ମେଘନାଦ ବାବୁ, ଭୁଲକ୍ରମେ ଆପଣଙ୍କୁ ନିମନ୍ତ୍ରଣ କରାଯାଇ ପାରି ନ ଥିଲା । ଆପଣଙ୍କ ବ୍ୟତୀତ ମୋର ଆହୁରି ଅନେକ ବ୍ୟକ୍ତିଗତ ବଂଧୁ ମଧ୍ୟ ନିମନ୍ତ୍ରିତ ହୋଇ ପାରିନାହାନ୍ତି । ପ୍ଳିଜ୍‌ ଡୁ ନଟ୍‌ ମାଇଣ୍ଡ ।

 

ମେଘନାଦ ବାବୁଙ୍କୁ ଲନ୍‌ ଭିତରେ ରାତ୍ରିର ପ୍ରଚଣ୍ଡ ଆଲୋକରେ ଚିହ୍ନିପାରି ଚାଲି ଚାଲି ଆସିଲେ ତାଙ୍କ ପାଖକୁ ସୁରିତ୍‌ କୁମାର ଓ ନଳିନୀରଞ୍ଜନ ।

 

ସୁରିତ୍‌ କୁମାର ଓ ନଳିନୀରଞ୍ଜନଙ୍କୁ ଦେଖି ମେଘନାଦ ବାବୁ କହିଲେ– ଓ, ଆପଣମାନେ ଯେ ନିମନ୍ତ୍ରିତ ଅତିଥି !

 

ଧୀରେ ଧୀରେ ନିମନ୍ତ୍ରିତ ଅତିଥିମାନଙ୍କ ଭିତରୁ କେତେଜଣ ଚାଲି ଆସିଲେ ମେଘନାଦଙ୍କ ଆଡ଼କୁ ।

 

ଠିକ୍‌ ଏତିକିବେଳେ ସରୋଜରଞ୍ଜନ ଚଣ୍ଡୀଖୋଲ ବଙ୍ଗ୍‍ଲୋର ସେଇ ଜଗୁଆଳୀ ଓ ଦୁଇଟି ଦୁରନ୍ତ କୁକୁରଙ୍କୁ ମେଘନାଦ ବାବୁଙ୍କ ପାଖରେ ଛାଡ଼ିଦେଇ ଆସିଲା ।

 

ଅନୁରାଧା ଓ ନଳିନୀରଞ୍ଜନଙ୍କ ଛାତି ଥରି ଥରି ଉଠିଲା ଅସ୍ୱାଭାବିକ ଭାବରେ । ସରୋଜରଞ୍ଜନ ପୁଣି ଚାଲିଲା....

 

ମେଘନାଦ ବାବୁ ବଡ଼ପାଟିରେ ଆରମ୍ଭ କଲେ– ଦେଖନ୍ତୁ ଅତିଥି ବନ୍ଧୁଗଣ । ଛନ୍ଦାର ହତ୍ୟା ସମ୍ପର୍କରେ ଅନୁସନ୍ଧାନ ଚଳାଇବା ପାଇଁ ଆପଣମାନଙ୍କର ଏଇ ଆନନ୍ଦ ମୁଖରିତ ସ୍ଥାନଟିକୁ ନିଜର ଅନିଚ୍ଛା ସତ୍ତ୍ୱେ ମୁଁ ଆସିବାକୁ ବାଧ୍ୟ ହେଲି । କାରଣ ଏଇ ତାଲିମପ୍ରାପ୍ତ କୁକୁର ଦୁଇଟି ସ୍ଥାନ ଶୁଙ୍ଘି ଶୁଙ୍ଘି ପ୍ରକୃତ ହତ୍ୟାକାରୀର ଚିହ୍ନୋଟ କରିବାକୁ ଆସିଛନ୍ତି । ସୁତରାଂ ଆପଣଙ୍କର ଆନନ୍ଦ ଓ ଉତ୍ସବ ମୁଖର ରାତ୍ରିଟିକୁ କିଛି ସମୟ ପାଇଁ ନିରାନନ୍ଦରେ ପରିଣତ କରୁଥିବାରୁ ମତେ କ୍ଷମା ଦେବେ-

 

ଆପଣମାନେ ଦୟାକରି ନିଜ ନିଜ ସ୍ଥାନରେ ବସିଯାଆନ୍ତୁ ।

 

ଅନୁରାଧାର ଜନ୍ମତିଥିକୁ ନିମନ୍ତ୍ରିତ ହୋଇ ଆସିଥିବା ସମାଜର ବହୁ ଶ୍ରେଣୀର ବ୍ୟକ୍ତି ହଠାତ୍‌ ଚୁପ୍‌ଚୁପ୍‌ ହୋଇ ବସିପଡ଼ିଲେ ।

 

ମେଘନାଦ ବାବୁ ଆଦେଶ ଦେଲେ– ଶୁଣ ଟୁନୁ ଆଉ ମୁନୁ—ହତ୍ୟାକାରୀର ବାସ୍ନା ଶୁଙ୍ଘି ଶଙ୍ଘି ତମେ ଯେମିତି ଏଠାକୁ ଆସିବାକୁ ମତେ ସଂକେତ ଦେଲ, ଠିକ୍‌ ସେଇମିତି ବର୍ତ୍ତମାନ ତମେ ହତ୍ୟାକାରୀକୁ ଖୋଜି ବାହାର କର ।

 

ଟୁନୁ ଆଉ ମୁନୁ ଆନନ୍ଦରେ ସେମାନଙ୍କର ଲାଙ୍ଗୁଡ଼କୁ ଉପରକୁ ଟେକି କୁଦିବାରେ ଲାଗିଗଲେ ।

 

ଜନତା ନୀରବ ଓ ଶାନ୍ତ.....

 

ଅନୁରାଧା ଓ ନଳିନୀରଞ୍ଜନ ଭିନ୍ନ ଭିନ୍ନ ସ୍ଥାନରେ ବସିଛନ୍ତି । ସେମାନଙ୍କର ମୁଖମଣ୍ଡଳରେ ଧୂସର ଅଥଚ କୃତ୍ରିମ ହାସ୍ୟରେଖା ।

 

ଟୁନୁ ଆଉ ମୁନୁ ସମସ୍ତଙ୍କର ପାଦ ଶୁଙ୍ଘି ଶୁଙ୍ଘି ଘୂରିବାରେ ଲାଗିଲେ । ନିମନ୍ତ୍ରିତ ଅତିଥିମାନଙ୍କ ମନଭିତରେ ଆଶଙ୍କ ଓ ଦ୍ୱନ୍ଦର ଘନୀଭୂତ ରେଖ । କୁକୁର ଦୁଇଟି କାହାର ଲୁଗାକୁ ଝିଙ୍କିବେ ? କାହାର ହାତ ପାପୁଲି କାମୁଡ଼ିବାକୁ ଆସିବେ ?

 

ଚଣ୍ଡୀଖୋଲ ଡାକବଙ୍ଗ୍‌ଲୋର ସେଇ ଜଗୁଆଳୀଟି ନିରୀହ ଭାବରେ ଠିଆ ହୋଇଛି । ସମସ୍ତେ ଚାହିଁଛନ୍ତି କୁକୁର ଦୁଇଟିର ଗତିବିଧି ଲକ୍ଷ୍ୟ କରି ।

 

ଟୁନୁ ଆଉ ମୁନୁ ହତ୍ୟାକାରୀମାନଙ୍କୁ ଖୋଜିବାକୁ ଆଉ ବିଶେଷ ସମୟ ଦେଲେନାହିଁ । ଟୁନୁ କାମୁଡ଼ିଲା ଅନୁରାଧା ଦେବୀଙ୍କ ମୂଲ୍ୟବାନ୍‌ ଶାଢ଼ୀକୁ, ଆଉ ମୁନୁ ନଳିନୀରଞ୍ଜଙ୍କ ହାତ ଚାଟିଲା-

 

ମେଘନାଦ ସାହାଣୀ ଆଉ ସ୍ଥିର ହୋଇ ରହିପାରିଲେନି ।

 

ଅନୁରାଧା ଓ ନଳିନୀରଞ୍ଜନ କୁକୁର ଦୁଇଟିକୁ ନିଜପାଖରୁ ଘଉଡ଼ିବାକୁ ଯେତେ ଚେଷ୍ଟାକଲେ ମଧ୍ୟ ସେମାନେ ହଟିଲେ ନାହିଁ ।

 

ମେଘନାଦ ବାବୁ କହିଲେ– ଆପଣ ଦୁହିଙ୍କୁ ବର୍ତ୍ତମାନ ମୁଁ ଗିରଫ କରୁଛି ଅନୁରାଧା ଦେବୀ ଓ ନଳିନୀରଞ୍ଜନ ବାବୁ ! ଛନ୍ଦାର ମୃତ୍ୟୁ ପାଇଁ ଆପଣଙ୍କ ସମେତ ଚଣ୍ଡୀଖୋଲ ଡାକବଙ୍ଗ୍‌ଲୋର ସେଇ ନିରୀହ ଜଗୁଆଳୀଟି ମଧ୍ୟ ସଂପୃକ୍ତ ।

 

ଅନୁରାଧା ଦେବୀ ଓ ନଳିନୀରଞ୍ଜନ ଲଜ୍ଜା ଓ ଅପମାନରେ ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କ ଗହଣରେ ସଢ଼ିଗଲେ ।

 

ଅନୁରାଧା ଦେବୀ ମେଘନାଦ ବାବୁଙ୍କ କଥା ଶୁଣି କହିଲେ ଆମ ଦୁହିଁଙ୍କୁ ଲଜ୍ଜିତ ଓ ଅପମାନିତ କରିବା ପାଇଁ ଆପଣଙ୍କର ଏ ଷଡ଼ଯନ୍ତ୍ର ପୂର୍ବକଳ୍ପିତ । ଆପଣଙ୍କ ବ୍ୟବହାରର ଆମେ ଦୃଢ଼ ପ୍ରତିବାଦ କରୁଛୁ । ଆପଣଙ୍କ ବିରୁଦ୍ଧରେ ମାନହାନୀ ମୋକଦ୍ଦମା ଦାଏର କରିବାକୁ ଆମେ ବାଧ୍ୟ ହେବୁ ।

 

—ଆପଣ ଆଉ ଗର୍ଜ୍ଜନ କରନ୍ତୁ ନାହିଁ ଅନୁରାଧା ଦେବୀ । ଛନ୍ଦା ମୃତ୍ୟୁ ନାଟିକାର ଏ ହେଉଛି ଶେଷଦୃଶ୍ୟ । ଆପଣଙ୍କ ସମ୍ପର୍କରେ ସମସ୍ତ ସମ୍ବାଦ ସଂଗ୍ରହ କରାଯାଇଛି ।

 

ନଳିନୀରଞ୍ଜନ ଆହତ କଣ୍ଠରେ କହିଲେ– ଏ ସବୁ ସମ୍ପୂର୍ଣ୍ଣ ମିଥ୍ୟା ।

 

—ମିଥ୍ୟା !

 

ମେଘନାଦ ବାବୁ ହସିଉଠିଲେ ହୋ ହୋ ହୋଇ । ହସ ବନ୍ଦ ସରିଲାପରେ କହିଲେ–ଏଇ ଯେଉଁ ନିରୀହ ଲୋକଟି ତଳକୁ ମଥାପୋତି ଠିଆ ହୋଇଛି, ଆପଣ ତାକୁ ଚିହ୍ନି ପାରୁଛନ୍ତି ?

 

—ନାଁ ।

 

—ଆପଣ ଚିହ୍ନିପାରୁଛନ୍ତି ଅନୁରାଧା ଦେବୀ ?

 

—ନାଁ ।

 

ଠିକ୍‌ ଏତିକିବେଳେ ମିଃ ବଳିଆର ସିଂହ ଓ ଟାଉନ୍‌ ଥାନା ଇନିସ୍‌ପେକ୍ଟର ସଦଳବଳେ ପଶିଆସିଲେ ଲନ୍‌ ଭିତରକୁ । ସରୋଜରଞ୍ଜନ ମଧ୍ୟ ଆସୁଥିଲା ସେମାନଙ୍କ ସାଙ୍ଗରେ ।

 

ମିଃ ପାଟଶାଣୀ କହିଲେ– ବର୍ତ୍ତମାନ ଉକ୍ତି ପ୍ରତ୍ୟୁକ୍ତିର ବେଳ ନୁହେଁ ସାହାଣୀ ବାବୁ ସେମାନଙ୍କୁ ହ୍ୟାଣ୍ଡକପ୍‌ ପକାଇ ଥାନା ପର୍ଯ୍ୟନ୍ତ ନେଇଚାଲନ୍ତୁ ।

 

ନିମନ୍ତ୍ରିତ ଅତିଥିଗଣ ସେଇ ହଇଚଇ ଭିତର କିଏ କୁଆଡ଼େ ଅଦୃଶ୍ୟ ହୋଇଗଲେ । ଅନୁରାଧା ଓ ନଳିନୀରଞ୍ଜନଙ୍କ ପ୍ରତି ଘୃଣାରେ ସେମାନଙ୍କ ମନ ଭରିଉଠିଲା ।

 

ସୁରିତ୍‌ କୁମାର ଆଶ୍ଚର୍ଯ୍ୟ ହୋଇଗଲେ । ଦୁହେଁଯାକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଖ୍ୟାତନାମା ଅଭିନେତା ଓ ଅଭିନେତ୍ରୀ । ଅଥଚ ଛନ୍ଦାକୁ ଏଇମାନେ ହତ୍ୟା କରିଥିଲେ ?

 

ସୁରିତ୍‌ କୁମାର କାହାରିକୁ କିଛି ନ କହି ବିଦାୟ ନେଉଥିଲେ ।

 

ମେଘନାଦ ବାବୁ କହିଲେ– ଶୁଣନ୍ତୁ ସୁରିତ୍‌ ବାବୁ ! ଦୁଃଖ ଓ ବିନମ୍ରରେ ଅବଶ୍ୟ ଆପଣ ଏ ଠାରୁ ବିଦାୟ ନେଉଛନ୍ତି । ମାତ୍ର ଏଇମାନଙ୍କୁ ଛନ୍ଦାର ହତ୍ୟାକାରୀ ରୂପେ ଆପଣ କ’ଣ କେବେ ଭାବିଥିଲେ ?

 

ସୁରିତ୍‌ କୁମାର ଆଉ କି ଉତ୍ତର ଦେବେ ? ନିରୁତ୍ତର ହୋଇ ସେଠାରୁ ସେ ବିଦାୟ ନେଲେ ।

 

ଅନୁରାଧା ଓ ନଳିନୀରଞ୍ଜନଙ୍କୁ ହ୍ୟାଣ୍ଡକପ୍‌ ପକାଇ ପୋଲିସ ଟାଣି ଟାଣି ଜିପ୍‌ ପାଖକୁ ନେଇ ଆସିଲେ । ସେମାନଙ୍କୁ ଜିପ୍‌ରେ ବସାଇଦେଲେ ।

 

ଦୁଇଟି ଜିପ୍‌ ଅତି ଦ୍ରୁତ ଗତିରେ ଥାନା ଅଭିମୁଖେ ଛୁଟି ଚାଲିଲା ।

 

ଜେଲ ହାଜତ୍‌କୁ ସେମାନଙ୍କୁ ନିଆ ଯାଇନାହିଁ । ଥାନା ହାଜତ୍‌ରେ ରଖିସାରି ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜ ହେଲେ ଯାଇ ଜେଲ୍‌ ଭିତରକୁ ଯିବେ ।

 

ନଳିନୀରଞ୍ଜନ ଓ ଅନୁରାଧାଙ୍କୁ ଏପର୍ଯ୍ୟନ୍ତ ବି ଚେୟାର ଦିଆଯାଇନାହିଁ । ସେମାନେ ମର୍ଡ଼ରର ।

 

ବଳିଆର ସିଂହ କହିଲେ– ଆପଣଙ୍କପରି ନାରୀ ଯେ ଛନ୍ଦାଙ୍କୁ ନିଜ ହାତରେ ହତ୍ୟା କରିପାରିବେ ଏ ଧାରଣା ଆମର କାହାରି ନ ଥିଲା । ସେଦିନ ରାତିରେ ଏକ ଜିପ୍‌ରେ କଟକରୁ ଆସି ଆପଣ ଓ ନଳିନୀରଞ୍ଜନ ବାବୁ ଏକ ନିରୀହ ଜଗୁଆଳୀକୁ ତିନିଭରି ଓଜନର ଗୋଟିଏ ସୁନାହାର ଦେଇ ଯେପରି ହାତ କରିଥିଲେ, ତାହା ଅତ୍ୟନ୍ତ ବିସ୍ମୟକର ।

 

ଅନୁରାଧା ତଳକୁ ମୁଣ୍ଡପୋତି ଠିଆ ହୋଇଛି । ନଳିନୀରଞ୍ଜନଙ୍କ କାନ ଏସବୁ ଶୁଣି ଶୁଣି ସ୍ତବ୍‌ଧ ହୋଇ ଗଲାଣି ।

 

ପାଟଶାଣୀ ବାବୁ କହିଲେ– ଈର୍ଷା ଓ ଅସୂୟାପାଇଁ ଆପଣଙ୍କୁ ଆଉ କିଛି ଉପାୟ କ’ଣ ମିଳିଲା ନାହିଁ ? ଗୋଟାଏ ଜୀବନକୁ ନିଜ ହାତରେ ଆପଣ ନିଃଶେଷ କରିଦେଲେ ? ଛନ୍ଦା ଦେବୀ ଆପଣଙ୍କ ପରି ଜଣେ ନାରୀ । ଆପଣଙ୍କ ପରି ତାଙ୍କର କୁସୁମ କୋମଳ ତନୁ । ମାତ୍ର ନିଜ ପ୍ରତିଭାର ବିକାଶ ଯେତେବେଳେ ତାଙ୍କର ହେବାର କଥା, ଠିକ୍‌ ସେତିକିବେଳେ ଆପଣ ତାଙ୍କୁ ଶେଷ କରିଦେଲେ ?

 

ସତ୍ୟ କେବେହେଲେ ଲୁଚି ରହିବ ନାହିଁ ଅନୁରାଧା ଦେବୀ । ସତ୍ୟର ପ୍ରଳୟଙ୍କରୀ ବନ୍ୟା ପାପର ଦୃଢ଼ ବାଲିବନ୍ଧକୁ ଧୋଇ ଦେଇ ନିଶ୍ଚୟ ପଦାକୁ ବାହାରି ଆସିବ । ଆପଣ ଯେପରି ଭାବରେ କଥାଟାକୁ ଗୋପନ ରଖିବାକୁ ଚେଷ୍ଟା କରିଥିଲେ, ତାହା ଅବଶ୍ୟ ରହିପାରିଲା ନାହିଁ ।

 

ଅନୁରାଧା ପାଷାଣ ପ୍ରତିମା ପରି ଠିଆ ହୋଇଛି । କଥା କହିବାକୁ ତା’ର ଶକ୍ତି କାହିଁ ?

 

ମେଘନାଦ ସାହାଣୀ ଓ ସରୋଜରଞ୍ଜନ ଏଇସବୁ କଥା ଶୁଣି ଚାଲିଛନ୍ତି ।

 

ବଳିଆରସିଂହ ବାବୁ କହିଲେ– ଏ ହତ୍ୟା ପାଇଁ ଆପଣଙ୍କର କ’ଣ ସ୍ୱାର୍ଥ ଥିଲା ନଳିନୀରଞ୍ଜନ ବାବୁ ? ଛନ୍ଦା ଦେବୀ ଆପଣଙ୍କର ତ ପ୍ରତିଦ୍ୱନ୍ଦୀ ନ ଥିଲେ; ମାତ୍ର ନିଜ ପ୍ରେମିକାର ପଥ ପରିଷ୍କାର କରିବାପାଇଁ ଆପଣ ଯେଉଁ ଜଘନ୍ୟ ନରହତ୍ୟା କଲେ, ସେ ପାପର ପ୍ରାୟଶ୍ଚିତ୍ତ ଆପଣଙ୍କୁ ହିଁ କରିବାକୁ ପଡ଼ିବ ।

 

ନଳିନୀରଞ୍ଜନ ମୁଣ୍ଡପୋତି ଶୁଣୁଛନ୍ତି ।

 

ରାତି ବଢ଼ି ବଢ଼ି ଚାଲିଛି ।

 

ବଳିଆର ସିଂହ ଏକ କନେଷ୍ଟବଲ୍‍କୁ ଆଦେଶ ଦେଇ କହିଲେ, ଏମାନଙ୍କୁ ହଜାତ୍‌ରେ ଭର୍ତ୍ତିକର ମହମ୍ମଦ ଖାଁ । ପରେ ଖାଇବା ପିଇବାର ବ୍ୟବସ୍ଥା ହେବ ।

 

କନେଷ୍ଟବଲ୍‌ ମହମ୍ମଦ୍‌ ଖାଁ । ନଳିନୀରଞ୍ଜନ ଓ ଅନୁରାଧାଙ୍କୁ ଟାଣି ଟାଣି ଥାନା ହାଜତ୍‌ ଭିତରକୁ ନେଇଗଲେ ।

 

ତା’ ପରଦିନ ସକାଳ ଦଶଟା । ମେଘନାଦ ବାବୁ ବ୍ରଜେନ୍ଦ୍ର ପେଦିନୀ, ଚିତ୍ର ପ୍ରଯୋଜକ ମାନଧାତା ଓ ନିର୍ଦ୍ଦେଶକ ରାୟସିଂହଙ୍କୁ ଗୋଟିଏ ଜିପ୍‌ରେ ବସାଇ ଦେଖାଇବାକୁ ଆଣିଛନ୍ତି ଛନ୍ଦା ପେଦିନୀର ହତ୍ୟକାରୀମାନଙ୍କୁ । ସେମାନେ କେହି ଜାଣି ନାହାନ୍ତି ନଳିନୀରଞ୍ଜନ ଓ ଅନୁରାଧା ହତ୍ୟାକାରୀ ବୋଲି ।

 

ସେମାନଙ୍କୁ ନେଇ ଜେଲ୍‌ ହାଜତ୍‌ ପାଖରେ ପହଞ୍ଚାଇ ମେଘନାଦ କହିଲେ– ଏଇ ଦୁହେଁ ହେଉଛନ୍ତି ଆପଣମାନଙ୍କର ପ୍ରିୟତମ ଅଭିନେତା ଅଭିନେତ୍ରୀ ଓ କନ୍ୟା ଛନ୍ଦାର ହତ୍ୟାକାରୀ ।

 

ସମସ୍ତେ ଅବାକ୍‌ ହୋଇ ଚାହିଁ ରହିଲେ ସେ ଦୁହିଙ୍କୁ । ସେମାନଙ୍କ ଆଖି ବିସ୍ମୟରେ ଖୋସି ହୋଇଗଲା ।

 

ମେଘନାଦ ବାବୁ ପୁଣି କହିଲେ– ଏ ଦୁହିଙ୍କ ସହିତ ଆଉ ଜଣେ ମଧ୍ୟ ଏଥିରେ ସଂପୃକ୍ତ ଅଛି । ସେ ଅଛି ଏଇ ହାଜତ୍‌ର ଦକ୍ଷିଣ ପାର୍ଶ୍ୱରେ–ଆସନ୍ତୁ, ତାକୁ ଥରେ ଦେଖିନେବେ ।

 

ବ୍ରଜେନ୍ଦ୍ର କାନ୍ଦି ଉଠିଲେ ।

 

ଅନୁରାଧା ଓ ନଳିନୀରଞ୍ଜନ କାନ୍ଦିଲେ ।

 

ମାନଧାତା ଓ ରାୟସିଂହ ଚଣ୍ଡୀଖୋଲ ଡାକବଙ୍ଗ୍‍ଲୋର ସେଇ ନିରୀହ ଗରିବ ଜଗୁଆଳୀକୁ ଚାହିଁ ରହିଥିଲେ ।

Image